ଚନ୍ଦାପଣର ଶିକାର ହୁଅନ୍ତି ଗେଡ଼ା ବ୍ୟକ୍ତି
କମ୍ ଉଚ୍ଚତା ବା ଗେଡ଼ା ବ୍ୟକ୍ତି ଅଧିକ ଚନ୍ଦାପଣର ଶିକାର ହୋଇଥାନ୍ତି ବୋଲି ଗବେଷକ ଏକ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି । ସେମାନଙ୍କଠାରେ ହରମୋନ କ୍ଷରଣର ଅନିୟମିତତା ଦୃଷ୍ଟି ଗୋଚର ହୋଇଥାଏ । ଏହାର ପ୍ରଭାବରେ ଅକାଳରେ ସେମାନଙ୍କର କେଶ ଝଡ଼ିବା ଆରମ୍ଭ କରିଥାଏ । ଏଭଳି ବ୍ୟକ୍ତିଙ୍କଠାରେ ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ଅଧିକ ହୃଦରୋଗ, ପ୍ରୋଷ୍ଟେଟ କର୍କଟ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ ବୋଲି ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡାକ୍ତର ଷ୍ଟିଫାନି ହେଇଲମ୍ୟାନ ହେମ୍ବ୍ରିଚ ଓ ପ୍ରଫେସର ମାର୍କସ ନୋଥେନ ସୂଚିତ କରିଛନ୍ତି । ଏହି ମର୍ମରେ ଗବେଷକ ୨୦ ହଜାର ଗେଡ଼ା ପୁରୁଷଙ୍କର ଶାରୀରିକ ସ୍ଥିତି ଓ ସେମାନଙ୍କ ଠାରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ଅଧ୍ୟୟନ କରିଥିଲେ । ସେମାନଙ୍କ ମଧ୍ୟରେ ୧୧ ହଜାର ଳୋକଙ୍କଠାରେ ଅକାଳ ଚନ୍ଦାପଣ ଦେଖାଯାଇଥିଲା । ସେହିପରି ୧୨ ହଜାର ଲୋକଙ୍କଠାରେ ଅକାଳପକ୍ୱତା ସମସ୍ୟା ଦେଖିବାକୁ ମିଳିଥିଲା । ବିଭିନ୍ନ ଶାରୀରିକ ସମସ୍ୟା ପାଇଁ ଦାୟୀ ଥିବା ୬୩ ଗୁଣସୂତ୍ର ସମ୍ପର୍କରେ ଗବେଷକ ବିଶେଷ ଅଧ୍ୟୟନ କରି ଜାଣିପାରିଥିଲେ ଯେ ହରମୋନର କ୍ଷରଣରେ ଅନିୟମିତତା ଯୋଗୁଁ ଜଣେ ବ୍ୟକ୍ତି ଗେଡ଼ା ହେବା ସହିତ ତାଙ୍କଠାରେ ଅନ୍ୟ ରୋଗ ତୁଳନାରେ ଚନ୍ଦାପଣ ଅଧିକ ଦେଖାଯାଇଥାଏ । ସେମାନଙ୍କଠାରେ ଭିଟାମିନ ଡି ଓ ଭିଟାମିନ-ଇ ସଂଶ୍ଳେଷଣ ହେବା ପ୍ରକ୍ରିୟା କମ୍ ରହିଥାଏ । ଫଳରେ ଏହାର ପ୍ରଭାବ କେଶ ଉପରେ ପଡ଼ିଥାଏ ଓ ଅକାଳ ପକ୍ୱତା ସହିତ ଚନ୍ଦାପଣ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।