ପଞ୍ଚାୟତ ସମିତି ବୈଠକରେ ବିରକ୍ତ ହେଲେ ସାଂସଦ ଓ ବିଧାୟିକା

ଯୋଡ଼ା (ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଯୋଡା ବ୍ଲକ ସଭାଗୃହଠାରେ ମଙ୍ଗଳବାର ଷଷ୍ଠତମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ଯୋଡା ବ୍ଲକ ଅଧ୍ୟକ୍ଷା ଶୁକୁମାରୀ ଦେହୁରୀ, ଉପାଧ୍ୟକ୍ଷ ବିଶ୍ୱଜିତ ନାଏକ, ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ସମେତ ୧୯ ଗୋଟି ପଂଚାୟତର କର୍ମକର୍ତା ଉପସ୍ଥିତ ଥିଲେ । ଏହି ବୈଠକରେ ଯୋଡା ବ୍ଲକରେ ବୃହତକାର ସମବାୟ ସମିତି ନଥିବାରୁ ଚାଷୀମାନେ ସାର, ବିହନ ପାଇପାରୁନାହାନ୍ତି । ଚାଷୀମାନେ ସେମାନଙ୍କ ଉତ୍ପାଦ ବିକ୍ରୟ ଅଧିକାର ପାଇ ପାରୁନାହାନ୍ତି । ଯୋଡା ବ୍ଲକରେ ସମୁଦାୟ ୮୨୬୦ ହେକ୍ଟର ଜମିରେ ଧାନ ଚାଷ ହେଉଛି । ଏଥି ମଧ୍ୟରୁ ୩୫୫୦ ହେକ୍ଟର ଜମିରେ ବୁଣାଧାନ , ୪୭୧୦ ହେକ୍ଟର ଜମିରେ ରୁଆଧାନ ପାଇଁ ଲକ୍ଷଧାର୍ଯ୍ୟ କରାଯାଇଛି । ମକା ଚାଷ ପାଇଁ ଯୋଡା ବ୍ଲକ ପକ୍ଷରୁ ୫୦ ହେକ୍ଟର କ୍ଷେତ୍ର ପରିମିତ ଅଂଚଳରେ ଚାଷ କିପରି କରାଯିବ ତାହାର ପ୍ରଦର୍ଶନ କରାଯାଇଛି । ଯୋଡା ବ୍ଲକରେ ମକା, ହରଡ, ମୁଗ, ଧାନ ଚାଷ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହୋଇଛି । ବ୍ଲକର ପଶୁଧନ ବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସକ ମାଧବ ଚନ୍ଦ୍ର ଚୌଧୁରୀ କହିଥିଲେ ଯେ, କେନ୍ଦୁଝର ଜିଲାରେ ଲିମ୍ପସ ସ୍କିନ୍ ଡିଜିଜ୍ ରୋଗ ପଶୁ ମାନଙ୍କୁ ହେଉଛି । କେନ୍ଦୁଝର ଜିଲାରେ ପ୍ରାୟ ୨ ହଜାର ପଶୁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଯଦିଓ ଏହା ଯୋଡାରେ ବ୍ୟାପି ନାହିଁ । ତେଣେ ଯୋଡା ବ୍ଲକରେ ଦୁର୍ଘଟଣା ଜନିତ ପଶୁ ମୃତ୍ୟୁ ଓ ଆହତ ସଂଖ୍ୟା ବଢିଥିବା ବେଳେ , ଆହତ ପଶୁ ମାନଙ୍କର ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସକଙ୍କୁ ଡାକିଲେ ଚିକିତ୍ସକ ଶୁଣୁନଥିବା ଭଦ୍ରାସାହି ସରପନଚ କସ୍ତୁରି ଓରାମ୍ ଅଭିଯୋଗ କରିଥିଲେ । ସେହିପରି ଯୋଡା ବ୍ଲକରେ ମତ୍ସ୍ୟ ଚାଷ ପାଇଁ କାରାଖେଣ୍ଡରା , ସେରଣ୍ଡା, ଶୋୟାବଲି, ଅଁଶେଇକଳା, ରଘୁଆଳ ସାହି ପ୍ରଭୃତି ଅଂଚଳରେ ରାଷ୍ଟ୍ରୀୟ କୃଷି ବିଜ୍ଞାନ ଯୋଜନା ମାଧ୍ୟମରେ ୪ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମତ୍ସ୍ୟ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଇଛି । ଯୋଡା ବ୍ଲକର ସ୍ୱାସ୍ଥ୍ୟ ବିଭାଗର ପ୍ରଶ୍ନ ଉତରରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଲକ୍ଷ୍ମୀକାନ୍ତ ସିଂ କହିଥିଲେ ଯେ, ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ ଜଣ ସରକାରୀ ଡାକ୍ତର ଥିବା ବେଳେ ଜଣେ ଡିଷ୍ଟିକ ମିନେରାଲ ଫାଉଣ୍ଡେସନ(ଡିଏମଏଫ) ପକ୍ଷରୁ ଅଛନ୍ତି । ଚମ୍ପୁଆ ବିଧାୟିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ବେଳେ ସେ ଡାକ୍ତରଖାନାରେ ହେଉଥିବା ଅବ୍ୟବସ୍ଥା ବିଷୟରେ ପ୍ରଶ୍ନ କରିବାରୁ ଡାକ୍ତର ସିଂ ସେତେବେଳେ ଛୁଟିରେ ଥିବା କହି ପ୍ରଶ୍ନକୁ ଏଡାଇ ଦେଇଥିଲେ । ଫଳରେ ବିଧାୟିକ କ୍ଷୋଭ ପ୍ରକାଶ କରି ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । କୁକୁର କାମୁଡା ରୋଗୀଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ପାରୁନାହିଁ ବୋଲି ସେଠାରେ ଅଭିଯୋଗ ହୋଇଥିଲା । ପନଚାୟତରେ ଏଏନ୍ଏମ୍ ମାନେ ରହୁନଥିବା ଅଭିଯୋଗ ହୋଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କ ପାଇଁ ପାନୀୟ ଜଳର ସୁବିଧା ମିଳିପାରୁନଥିବା ଅଭିଯୋଗ ହୋଇଥିଲା । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବ୍ଲକ ଶିକ୍ଷାଧିକାରୀ କହିଥିଲେ ଯେ, ଯୋଡା ବ୍ଲକର ୧୯ଟି ପନଚାୟତରେ ସମୁଦାୟ ୧୭୨ ଟି ବିଦ୍ୟାଳୟ ଥିବା ବେଳେ ୬୨୩ ଜଣ ଶିକ୍ଷୟତ୍ରୀଶିକ୍ଷକ ରହିଛନ୍ତି । ବିଦ୍ୟାଳୟ ଗୁଡିକରେ ଆହୁରି ୧୬୯ ଜଣ ଶିକ୍ଷକ ଆବଶ୍ୟକ ବୋଲି ସେ କହିଥିଲେ । ସେଠାରେ କିଛି ବିଦ୍ୟାଳୟର ଶିକ୍ଷକ ନିଶାଗ୍ରସ୍ତ ହୋଇ ସ୍କୁଲ୍ କୁ ଆସୁଥିବା ପନଚାୟତ ସମିତି ସଭ୍ୟ ମାନେ ଅଭିଯୋଗ କରିଥିଲେ । ଆହୁରି ମଧ୍ୟ ଅନେକ ଖଣି କମ୍ପାନୀର କର୍ପୋରେଟ ଅଫିସ ମାନେ ଶିକ୍ଷକ ଯୋଗାଇ ଦେଉଥିବା କହୁଥିବା ବେଳେ, କେତେ ଶିକ୍ଷକ କର୍ପୋରେଟ ଅଫିସ ପକ୍ଷରୁ ଯୋଗାଇ ଦିଆଯାଇଛି ପ୍ରଶ୍ନ କରାଯାଇଥିବାରୁ, ଏହାର ଉତର ବିଇଓ ଦେଇପାରିନଥିଲେ । ଫଳରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ କ୍ଷୋଭ ପ୍ରକାଶ କରିଥିଲେ । ଯୋଡା ବ୍ଲକ ବିଡିଓ ଏଥିରେ ହସ୍ତକ୍ଷେପ କରି ଏହାର ତଦନ୍ତ କରିବେ ବୋଲି କହିବା ସହିତ ଏହାକୁ ଅଗ୍ରାଧିକାର ଭିତିରେ ଲିପିବଧ କରି ରଖିଥିଲେ । ଯୋଡା ମଙ୍ଗଳ ସଂପ୍ରସାରଣ ଅଧିକାରୀ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ପ୍ରଶ୍ନ ବାଣରେ ବିବ୍ରତ ହୋଇପଡିଥିଲେ । ଆଶ୍ରମ ସ୍କୁଲ ଗୁଡିକରେ ଛାତ୍ରୀଛାତ୍ରମାନଙ୍କର ଅବସ୍ଥା ନିଜେ ଯାଇ ଦେଖ ବୋଲି ମଙ୍ଗଳ ସଂପ୍ରସାରଣ ଅଧିକାରୀ ରବିଦ୍ରନାଥ ସାମନ୍ତରାୟଙ୍କୁ କହିଥିଲେ । କ୍ଷୁଦ୍ର ଜଳସେଚନ ବିଭାଗ ପ୍ରକଳ୍ପରେ ନିମ୍ନମାନର କାର୍ଯ୍ୟ ହେଉଛି ଏବଂ କଣ କାର୍ଯ୍ୟ ହେଉଛି ତାହାର ବିବରଣୀ ଦିଆଯାଉନଥିବା ଅଭିଯୋଗ ହୋଇଥିଲା । ଗ୍ରାମ୍ୟ ପରିମଳ ଓ ଜଳ ଯୋଗାଣ ବିଭାଗର ଯୋଡା ବ୍ଲକ ଜେଇଇ ମଳୟ କୁମାର ରାଉତ କହିଛନ୍ତି ଯେ, ଘରେ ଶୌଚାଳୟ ନଥିଲେ ପାଇପ ଲାଇନ୍ ଯୋଗେ ଜଳ ଯୋଗାଣ କରାଯିବ ନାହିଁ ବୋଲି କହିଥିଲେ । ବୈଠକରେ ସମୁଦାୟ ୧୯ଟି ବିଭିନ୍ନ ବିଭାଗୀୟ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ କାରଖାନରେ ୨୦୦୪ ଅଗଷ୍ଟ ୬ ତାରିଖରେ କାର୍ଯ୍ୟରତ ଅବସ୍ଥାରେ ମହାନ୍ତି କାରୁଆଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ କମ୍ପାନୀରେ ନିଯୁକ୍ତି ଓ ଆର୍ଥିକ କ୍ଷତିପୂରଣ ଦାବି କରି ଗତ ୧୬/୦୫/୨୦୧୯ ରିଖଠାରୁ କାରଖାନା ମୁଖ୍ୟ ଫାଟକ ସମୁଖରେ ମୃତ ମହାନ୍ତି କାରୁଆଙ୍କ ପତ୍ନୀ ଓ ପୁଅ ଧାରଣା ଦେଇ ଆସୁଛନ୍ତି । ମଙ୍ଗଳବାର ପନଚାୟତ ସମିତି ବୈଠକରେ ମହାନ୍ତି କାରୁଆଙ୍କ ପତ୍ନୀ ବିଳାସୀ କାରୁଆ ଓ ତାଙ୍କ ପୁଅ କେନ୍ଦୁଝର ସାଂସଦଙ୍କୁ ଦାବିପତ୍ର ଦେଇଥିଲେ । କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଅନୁକମ୍ପା ପ୍ରଦର୍ଶନ କରି ଏହାକୁ ବିଚାରକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ଯୋଡା ବ୍ଲକ କୃଷି ବିଭାଗ ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଏଫଆଇଏସ ଚେୟାରମ୍ୟାନ୍ କବୀନ୍ଦ୍ର ନାଏକ କେନ୍ଦୁଝର ସାଂସଦ ଓ ଚମ୍ପୁଆ ବିଧାୟିକାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଏହି ବୈଠକ ପୂର୍ବାହ୍ନ ୧୧ ଘଟିକାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଘଟିକାରେ ଶେଷ ହୋଇଥିଲା ।\n

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ