ପାଣି ଘେରରେ ଗାଁ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ଓ ଗୋବିନ୍ଦପୁର ଗ୍ରାମର ଲୋକମାନେ ପାଣି ଘେରରେ ରହିଛନ୍ତି ି । ଅଣ୍ଟେ ପାଣିରେ ପସି ଯାଉଛନ୍ତି ଗ୍ରାମବାସୀ । ସମଣା ନୁଆସାହିର ୩୦ଟି ପରିବାର ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ସମଣା ଗୋବିନ୍ଦପୁର ରାସ୍ତା ଉପରେ ଏବେ ଦୁଇଫୁଟ ଉଚ୍ଚର ପାଣି । ଏହି ରାସ୍ତା ଉପରେ ସମଣା, ଗୋବିନ୍ଦପୁର, ଆଗିରିଆ, ହାବଳେଶ୍ୱର, ଗିରିଗାଁ, ବାହାରିପୁର ଆଦି ୧୦ରୁ ଉର୍ଦ୍ଧ ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି । କିନ୍ତୁ ବୈତରଣୀ ନଦୀବନ୍ଧ ନିର୍ମାଣ ହେବା ଦିନ ଠାରୁ ବର୍ଷାଜଳ ନିସ୍କାସନ ହୋଇନପାରି ସମଣା ଗୋବିନ୍ଦପୁର ରାସ୍ତା ବୁଡି ରହିବା ଦ୍ୱାରା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଠିକାଦାର ନଦୀବନ୍ଧ ନିର୍ମାଣ କରିବାପରେ ଜଳ ନିସ୍କାସନ ପାଇଁ କଲଭଟ ନିର୍ମାଣ କଲାନି । ଫଳରେ ଗାଁ ସାରାର ବର୍ଷାଜଳ ଯାଇ ଏହି ସ୍ଥାନରେ ଜମା ହୋଇ ରହୁଛି । ଏହି ପାଣିଦ୍ୱାରା ସମଣା ନୁଆସାହିକୁ ଯାଇଥିବା ୩୦୦ମିଟର ରାସ୍ତାଟି ବୁଡିରହିଛି । ଅଣ୍ଟେ ପାଣିରେ ଗାଁ ଲୋକମାନେ ଯିବା ଆସିବା କରିବା ସହ ଛାତ୍ରଛାତ୍ରୀ ମାନେ ମଦ୍ୟ ପାଣିରେ ପସି ସ୍କୁଲକୁ ଯିବା ଆସିବା କରୁଛନ୍ତି । ଅଧିକାଶଂ ପିଲା ପାଣିରେ ପସି ଆସିବାକୁ ଅମଙ୍ଗ ହେଉଥିବାବେଳେ ଆଉ କେତେକ ଛାତ୍ରଛାତ୍ରୀ ପାଣିରେ ଯାତାୟତ କରିବା ଦ୍ୱାରା ବିଭିନ୍ନ ରୋଗରେ ପଡିଛନ୍ତି । ତେଣୁ ଅଭିଭାବକମାନେ ଆଉ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ରାଜି ହେଉ ନାହାନ୍ତି । ୫ବର୍ଷ ହେଲା ଏହି ସମସ୍ୟା ଲାଗି ରହିଛି । ବର୍ଷର ୬ମାସ ଗାଁ ର ତିରିଶ ପରିବାରର ପାଣି ଘେରରେ ରହି ଆସୁଛନ୍ତି । ଏପରିକି ସାହିରେ ଥିବା ନଳକୂପ ଗୁଡିକ ପାଣିରେ ବୁଡି ଯାଇଥିବାରୁ ପିଇବା ପାଣି ପାଇଁ ମଧ୍ୟ ସମସ୍ୟା ଦେଖାଦେଇଛି । ଦୀର୍ଘଦିନ ଧରି ପାଣି ଜମି ରହିବା ଦ୍ୱାରା ପାଣିରୁ ଦୁର୍ଗନ୍ଧ ବାହାରିବା ସହ ଏହି ପାଣିରେ ଯାତାୟତ କରିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେହିପରି ଗୋବିନ୍ଦପୁର ଗ୍ରାମର ଲୋକମାନେ ସମଣା ଗାଁ ଉପରେ ନିର୍ଭର କରୁଥିବାବେଳେ ସମଣା ପଞ୍ଚାୟତ କାର୍ଯ୍ୟାଳୟକୁ ନିୟମିତ ବିଭିନ୍ନ କାମରେ ଆସିଥାନ୍ତି । କିନ୍ତୁ ରାସ୍ତାରେ ଏତେ ପାଣି ହୋଇଯାଉଥିବାରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାରେ ନାହିଁ ନଥିବା ସମସ୍ୟା ଭୋଗିବା ସହ ପଞ୍ଚାୟତରୁ ଚାଉଳ, ଗହମ ଓ କିରୋସିନି ସାମଗ୍ରୀ ଉଠାଇ ଘରକୁ ନେଇ ପାରୁ ନାହାନ୍ତି । ସେହିପରି ଗୋବିନ୍ଦପୁରର ୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବାହାରିପୁର ହାଇସ୍କୁଲରେ ପଢ଼ୁଥିବାବେଳେ ବର୍ଷାଦିନେ ସେମାନଙ୍କର ସ୍କୁଲ ଯିବା ଆସିବା ବନ୍ଦ ହୋଇଯାଉଛି । ଏନେଇ ଗ୍ରାମବାସୀମାନେ ବାରମ୍ବାର ଜଳସମ୍ପଦ ବିଭାଗ, କେନ୍ଦୁଝର ଜିଲ୍ଲାପାଳ ଓ ରାଜନେତା ମାନଙ୍କୁ ଜଣାଇ ପଦକ୍ଷେପ ନେବାକୁ ନିବେଦନ କରୁଥିଲେବି କେହି ତାଙ୍କ ଗୁହାରୀ ଶୁଣୁ ନଥିବା ସମଣା ଗ୍ରାମର ହେମଲତା କାଣ୍ଡି, ତିଳୋତ୍ତମା ସା, ନୟନୀ ଚକ୍ର, ଶାନ୍ତିଲତା ଦାସ, ଫୁଲ ମାଝୀ, ରମାକାନ୍ତ ରଣା, ଆଲୋକ ଦାଶ, ମହେଶ୍ୱର ସାହା, ଅରୁଣ ସାହା, ଅଭିମନ୍ୟୁ ବେହେରା, ମୋହନ ସାହା, ଆଦିକନ୍ଦ ସାହା, ସୁର କାଣ୍ଡି, ମନମୋହନ ମାଝୀ, ଚିନ୍ତାମଣୀ ସାହା, ଗୋବିନ୍ଦପୁର ଗ୍ରାମର ସୁବାସ ବେହେରା, ବ୍ରଜ ନାୟକ, କୈଳାଶ ନାୟକ, ରାମ ସେନାପତି, ଶରତ ନାୟକ, ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ କୌଣସି ପଦକ୍ଷେପ ନନେଲେ ମହିଳାମାନେ ସଂଘବଦ୍ଧ ହୋଇ ନଦୀବନ୍ଧଟିକୁ ହାଣି ଦେବେ ବୋଲି ଚେତାବନୀ ଦେଇଛନ୍ତି । କେନ୍ଦଦୁଝର ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।


