ଦୃଷ୍ଟି ଅନ୍ତରାଳେ ଦାଶରଥି

ବିପିନ ବିହାରୀ ମହାନ୍ତି
ବିପିନ ବିହାରୀ ମହାନ୍ତି

ଆଜକୁ ଏକଶତ ଦଶବର୍ଷ ତଳେ ନୟାଗଡ଼ ଜିଲ୍ଲାର ଅଖ୍ୟାତପଲ୍ଲୀ ‘ଉଦୟପୁର’ରେ ଯେଉଁ ସାଧାରଣ ବ୍ୟକ୍ତିଟି ଜନ୍ମ ନେଇ ନିଜକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଚିତ କରାଇପାରିଥିଲେ ସେ ମହାଶୟ ଆଉ କେହି ନୁହଁନ୍ତି ଶ୍ରୀଯୁକ୍ତ ଦାଶରଥି ପଟ୍ଟନାୟକ ଆମର ପ୍ରିୟ ଦଶପଇସାର ରଜା : ଦାସିଆ ଅଜା । ତାଙ୍କର ଜନ୍ମ କାଳ ଥିଲା ଜୁଲାଇ ୧୨, ୧୯୦୭ । ବାଲ୍ୟ ଜୀବନରେ ଶିକ୍ଷା ଗାଁ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲେ ହେଁ, ସେ ଥିଲେ ସ୍ୱଳ୍ପ ଶିକ୍ଷିତ । ଜୀବନର ପ୍ରାରମ୍ଭିକ ସ୍ତରରେ ସେ ନିଜକୁ କୃଷିକାର୍ଯ୍ୟରେ ନିୟୋଜିତ କରିଥିଲେ ଏବଂ ବନଭୂମିକୁ ତାଡ଼ି ତାକୁ ଚାଷ ଜମିରେ ପରିଣତ କରୁଥିଲେ । ତେଣୁ ତାଙ୍କୁ କେହି କେହି ଖୁଂଟତଡ଼ା ରଜା ବୋଲି କହୁଥିଲେ । ଏହି ଖୁଂଟତଡ଼ା ରଜା ପରବର୍ତୀ ସମୟରେ ହେଲେ ଦଶପଇସାର ରଜା ।
ଗାଁ ପରିସରର ଶିକ୍ଷା ସମାପ୍ତି ପରେ ସେ ଜଙ୍ଗଲ ବିଭାଗରେ ଜଣେ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ପାଲଟିଗଲେ । ସମୟର ତାଙ୍କ ପ୍ରତି ଭିନ୍ନ ଆହ୍ୱାନ ଥିଲା । ସେ ଚାକିରି ଛାଡ଼ିଦେଲେ, ପାଲଟିଗଲେ ଜଣେ ସମାଜସେବୀ । ପରେ ପରେ ଜଣେ ସଂଗଠକ ସାହିତ୍ୟ ସେବକ, ବାଣୀ ସାଧକ ଏବଂ ବିଶିଷ୍ଠ ସଂଗ୍ରାହକ ।
ସାଧାସିଧା ପତଳା ମଣିଷଟିଏ । ପିନ୍ଧା ବିସ୍ତ୍ରରେ ଧୋତି ବା ଗାମୁଛା, ମୁଣ୍ଡରେ ଗାମୁଛାର ଠେକା, ହାତରେ ଖଣ୍ଡିଏ ବାଉଁଶ ବାଡ଼ି, କାନ୍ଧରେ ଗୋଟିଏ ବସ୍ତାନି ବା ମୁଣା ଯାହାକି ଥିଲା ସଂଗ୍ରହର ଥଳି । ଏହି ଢ଼ଙ୍ଗରେ ସେ ଘୁରି ବୁଲିଲେ ଦୁଆର ଦୁଆର, ଗାଁ ଗାଁ, ଗାଁରୁ ସହର; ସାରା ଓଡ଼ିଶା । ବୃତି ଥିଲା ‘ଭିକ୍ଷାଂ ଦେହି’ା ଦଶ ପଇସାଇଟିଏ ଦିଅ, ବହି ଖଣ୍ଡେ ଦିଅ, ପତ୍ରିକା କି ପୋଥି ଥିଲେ ଦିଅ । ତୁମ ଅଦରକାରୀ ପଦାର୍ଥକୁ ସଦା ଓ ସାଇତି ରଖିବାକୁ ମୋତେ ସବୁ ଦେଇଦିଅ; ଖାଲି ବହିପତ୍ର ନୁହେଁ; କ’ଣ ଦେଶୀ, ବିଦେଶୀ, ଚଳଣି, ଅଚଳଣି ପଦାର୍ଥ ରଖିଛ ଦିଅ : ଚାଙ୍ଗୁଡ଼ି, କୁଲା, ଡାଲା, ବାଜା ବାଜନ୍ତରୀ, ମୁଦ୍ରା ଅଳଙ୍କାର ଯାହା ଅଛି ସବୁ ମୋତେ ଦେଇଦିଅ ।
ଏମିତି କିଛି ସାହାଯ୍ୟ, ସଂଗ୍ରହ, ମଗାଯଚାରୁ ସେ ଗଢ଼ିଥିଲେ ବିଶ୍ୱପ୍ରସିଦ୍ଧ ଅନୁଷ୍ଠାନ ସମୂହ : ବାଞ୍ଛାନିଧି ପାଠାଗାର, ଅରବିନ୍ଦ ସଂଗ୍ରହାଳୟ ଏବଂ ଯଦୁମଣି ସାହିତ୍ୟ ସଂସଦ । ଏହି ପାଠାଗାରରେ ପୃଥିବୀର ବିଭିନ୍ନ ଭାଷାଭାଷୀ ପୁସ୍ତକ ସଂଖ୍ୟା ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ; ପତ୍ରପତ୍ରିକା ପାଖାପାଖି ୭୦ ହଜାର – କୋଉ କାଳରୁ ଏଯାବତ୍‌ର ସଂଗ୍ରହ ।
ସଂଗ୍ରହାଳୟ କଥା ଏମିତିରେ ତୁଣ୍ଡକୁ କି କଲମ ମୁନରେ ବର୍ଣ୍ଣିତ ହେବ ନାହିଁ । ଏହା ପ୍ରତ୍ୟେକ ଓଡ଼ିଆ ପାଇଁ ଦର୍ଶନ ସାପେକ୍ଷ । ପାଠାଗାର ଓ ସଂଗ୍ରହାଳୟ ପରି ଯଦୁମଣି ସାହିତ୍ୟ ସଂସଦ ସେତେଦୂର ଉଠି ନପାରିଥିଲେ ହେଁ, ସାହିତ୍ୟ ଓ ସେବା କ୍ଷେତ୍ରରେ ତା’ର ଅବଦାନ କମ୍ ନୁହେଁ । ଏହା ଓଡ଼ିଶାର ଏକ ସାଂସ୍କୃତିକ, ସାହିତ୍ୟିକ, ଶୈକ୍ଷିକ, ଗ୍ରନ୍ଥାଗାର ଓ ସଂଗ୍ରହର ଚକ୍ରତୀର୍ଥ ।
ଶ୍ରୀ ପଟ୍ଟନାୟକ ୧୯୯୭ ସେପ୍ଟେମ୍ବର ୧୨ ତାରିଖରେ ଆମ ଗହଣରୁ ବିଦାୟ ନେଇଛନ୍ତି । ତାଙ୍କ ଗଢ଼ା ଅନୁଷ୍ଠାନଗୁଡ଼ିକ ଯେ ଅତି ବିଶ୍ୱସ୍ତରୀୟ ମାନ୍ୟତା ପାଇଛି, ସେକଥା ସେ ଜାଣିଲେ ନାହିଁ, ତାଙ୍କୁ ଆଜି ଦେଶ ବିଦେଶର ବୁଦ୍ଧିଜୀବୀ ଯେ ଝୁରି ହେଉଛନ୍ତି, ସେକଥା ସେ ବୁଝିଲେ ନାହିଁ । ସେ ଥିଲେ ଜଣେ ପ୍ରେରଣାର ଉତ୍ସ । ଏମିତି ଲେଖକ କି କବିଟିଏ ନାହିଁ, ଯାହାଙ୍କ ଲେଖାଟିଏ ପତ୍ରପତ୍ରିକାରେ ବା କେଉଁ ବହିରେ ପ୍ରକାଶିତ ହୋଇଛି ଏବଂ ତାଙ୍କ ନଜରକୁ ଆସିଛି, ସେ ତାକୁ ତାଙ୍କର ଆଶୀର୍ବାଦ ଓ ପ୍ରେରଣାର ପତ୍ରଟିଏ ଦେଇନାହାନ୍ତି । ସେ ଥିଲେ ସବୁଠି ପହଂଚିଲା, ପରିଚିତ ଓ ଆପଣାର ଲୋକ । ଏଇଥିପାଇଁ ତ ସେ ଆଜି ସମସ୍ତଙ୍କ ହୃଦୟରେ ଅଛନ୍ତି ଓ ସ୍ମରଣୀୟ ବ୍ୟକ୍ତିତ୍ୱ ।
ତାଙ୍କ ଅନ୍ତେ ତାଙ୍କ ଅନୁଷ୍ଠାନଗୁଡିକ ଏବେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ତାଙ୍କ ଅନୁଷ୍ଠାନକୁ ୨୦୦୬ରେ ଓଡ଼ିଶା ସରକାର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଇଛନ୍ତି । ବର୍ତମାନ ଏ ଅନୁଷ୍ଠାନର ମୁଖ୍ୟ ହେଉଛନ୍ତି ଜିଲ୍ଲାପାଳ, ନୟାଗଡ଼ ଏବଂ ଶ୍ରୀ ପଟ୍ଟନାୟକଙ୍କ ଅଭିଳାଷକୁ ସମ୍ମାନ ଦେଇ, ତାଙ୍କର ପ୍ରିୟ ନାତି ଦୀପକ ପଟ୍ଟନାୟକ ଏହାର ସଂପାଦକ, ସଂରକ୍ଷକ । ଏହାର ରକ୍ଷଣାବେକ୍ଷଣ ଏବଂ ଉନ୍ନତିକଳ୍ପେ ଓଡ଼ିଶା ସରକାରଙ୍କର ଅନୁଦାନ ଅଛି । ସୁପରିଚାଳନା ନିମନ୍ତେ କର୍ମଚାରୀମାନେ ନିଯୁକ୍ତ ଅଛନ୍ତି । ଏହି ଅନୁଷ୍ଠାନଟି ୫୭ ନମ୍ବର ରାଜ୍ୟ ରାଜପଥର ନୟାଗଡ଼ ଓ ଦଶପଲ୍ଲା ରାସ୍ତାର ନୂଆଗାଁଠାରୁ ଭିତରକୁ ୫ କି.ମି ଦୂରରେ ଅବସ୍ଥିତ । ଅପନ୍ତରା ରାଇଜ ହେଲେ ହେଁ ଏହା ଏକ ବଣମଲ୍ଲୀ : ବାଣୀତୀର୍ଥ, ସଦା କୋଳାହଳମୟ ।
କହିବା ବାହୁଲ୍ୟ ଯେ, ଗତବର୍ଷ ୨୦୧୬ରେ ଅକ୍ଟଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ବିଶେଷଜ୍ଞ ଦଳ ଏଠାକୁ ଆସି ଏହାକୁ ଦର୍ଶନ କରି ପରମତୃପ୍ତି ଲାଭ କରିଥିଲେ । ସେହିମାନଙ୍କ ଅନୁମୋଦନ କ୍ରମେ ଏବେ ଶ୍ରୀ ପଟ୍ଟନାୟକଙ୍କ ଅନୁଷ୍ଠାନ ଓ ସେ ନିଜେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାଠ୍ୟବସ୍ତୁ ରୂପେ ଗୃହୀତ ହୋଇଛି । ତାଙ୍କ ପରେ ଏହି ଅନୁଷ୍ଠାନର ପରିଦର୍ଶନରେ ଆସିଥିଲେ ଚିକାଗୋ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାରକ ତଥା ଦକ୍ଷିଣ ଏସିଆ ରାଷ୍ଟ୍ରର ଗ୍ରନ୍ଥ ବିଶାରଦ ପ୍ରଫେସର ଜେମ୍‌ସନେ’ । ସେ ବି ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଏ ମହତ୍ ଅନୁଷ୍ଠାନକୁ । ଏବେ ତ ଅନୁଷ୍ଠାନ ପାଇଁ ପୁସ୍ତକ ବା ସଂଗ୍ରହାଳୟ ପାଇଁ କୌଣସି ବସ୍ତୁ ସଂଗ୍ରହ କରିବାକୁ ପ୍ରାୟତଃ ପଡ଼େ ନାହିଁ । ଦେଶ ବିଦେଶରୁ ଆପଣାଛାଏଁ ସେଠି ପହଂଚିଯାଏ । ଏହାର କଳେବର ଓ କୃତି ଦିନକୁ ଦିନ ବଢ଼ିବାର ଲାଗିଛି ।
ଶ୍ରୀ ପଟ୍ଟନାୟକ ଓ ତାଙ୍କ ଅନୁଷ୍ଠାନ ବହୁତ ବାଟରେ ପହଂଚିଗଲାଣି । ଏତେ ତାଙ୍କ କୃତି ସର୍ବଜନ ଓ ସର୍ବବିଶ୍ୱବିଦିତ । ବାହାରୁ ପ୍ରଶଂସାରେ ସେ ପୋତି ହୋଇପଡ଼ନ୍ତି । ତାଙ୍କ କାରଣରୁ ଓଡ଼ିଶା ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ତାଙ୍କ ପାଇଁ କିଛି କରିବାକୁ ବିଶ୍ୱ ଆଜି ଅଂଟା ଭିଡ଼ିଛି । ଅଥଚ ଏ ଓଡ଼ିଶା ତାଙ୍କ ପାଇଁ କରିଛି କ’ଣ ? ତାଙ୍କୁ ଦେଇଛି କ’ଣ ? ତାଙ୍କ ଜୀବଦ୍ଦଶାରେ ତାଙ୍କ କୃତିତ୍ୱ ପାଇଁ ଦେଇଛି କି ପ୍ରମାଣପତ୍ରଟିଏ । କରିଛି କି ସେମିତି କିଛି ବିଶେଷ କୀର୍ତି-କୃତି ?
ଏବେ ଆମର ଓଡ଼ିଶା ସରକାରଙ୍କ ନିକଟରେ କେତୋଟି ଦାବି ବାଢ଼ୁଛୁ । ବିଶ୍ୱାସ ଏଗୁଡ଼ିକ କାର୍ଯ୍ୟକାରୀ କରାଯିବ ।
୧. ଶ୍ରୀ ପଟ୍ଟନାୟକଙ୍କୁ ମରଣୋତର ପଦ୍ମଶ୍ରୀ ଉପାଧି ପ୍ରଦାନ ନିମନ୍ତେ ସରକାର ଦୃଷ୍ଟି ଦିଅନ୍ତୁ ।
୨. ତାଙ୍କ ଅନୁଷ୍ଠାନକୁ ‘ଜାତୀୟ ସ୍ମାରକୀ-ସାଂସ୍କୃତିକ ସମ୍ଭାର’ ମାନ୍ୟତା ଦିଆଯାଉ ।
୩. ବିଶ୍ୱବିଦ୍ୟାଳୟ ସ୍ତରରେ ତାଙ୍କ ପାଇଁ ଏକ ଆସନ ବା ଚେୟାର ରଖାଯାଉ ।
୪. ଏବଂ ସର୍ବୋପରି ରାଜଧାନୀ ଭୁବନେଶ୍ୱରର କୌଣସି ଏକ କେନ୍ଦ୍ର ସ୍ଥାନରେ ତାଙ୍କର ଏକ ପୂର୍ଣ୍ଣାବୟବ ମୂର୍ତି ସ୍ଥାପନ କରାଯାଉ । ସେ ଏବେ ତାଙ୍କ ଶାରୀରିକ ଆବର୍ତମାନରେ ବି ବର୍ତମାନ । ତାଙ୍କର ଉପଯୁକ୍ତ ଦାୟାଦ ହିସାବରେ ଅନ୍ତତଃ କିଛି କରିବା ତ ! ଆମ ଠାରୁ ସମ୍ମାନ, ଭକ୍ତି ଓ ଶ୍ରଦ୍ଧାଞ୍ଜଳି ସହଜେ ଦାବି କରନ୍ତି । ତୁମକୁ ପ୍ରଣାମ ହେ ତପସ୍ୱୀ; କାଳଜୟୀ ।

ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ