ଚାଷୀଙ୍କୁ ଟଙ୍କା ନ ମିଳିଲେ ୧୪ରେ ସତ୍ୟାଗ୍ରହ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ସହରପଡା ବ୍ଲକରେ ଧାନକିଣା ଦୁର୍ନୀତିକୁ ନେଇ ଶୁକ୍ରବାର ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏଥିରେ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ଲ୍ୟାମ୍ପରେ ବିକ୍ରି ହୋଇଥିବା ଧାନର ଟଙ୍କା ଏହି ଦୁଇ ଦିନ ଭିତରେ ଚାଷୀଙ୍କୁ ନ ମିଳିଲେ ଆସନ୍ତା ୧୪ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ଚାଷୀ ସତ୍ୟାଗ୍ରହ କରିବେ ।ସେହିପରି ଲ୍ୟାମ୍ପ ମାନଙ୍କରେ ଧାନ କିଣାବିକାରେ ହୋଇଥିବା ଦୁର୍ନୀତିର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ସଂଗଠନ ।ସୂଚନାଯୋଗ୍ୟ, ଗତ ଫେବୃଆରୀ ଓ ମାର୍ଚ୍ଚ ମାସରେ ଚାଷୀମାନେ ନିୟମାନୁଯାୟୀ ଧାନ ବିକ୍ରି କରିଥିଲେ।ତେବେ ୬୮ ଜଣ ଚାଷୀ ଏ ପର୍ଯ୍ୟନ୍ତ ସେମାନଙ୍କ ଧାନ ପଇସା ପାଇ ନାହାଁନ୍ତି। ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏନେଇ ସେମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପଇସା ନ ପାଇବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।ଏହି ବ୍ଲକ ରେ ପାଖାପାଖି ତିନି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ନେତା, ଲୋକ ପ୍ରତିନିଧି ସାମିଲ ରହିଥିବାରୁ ବଡ଼ ଦୁର୍ନୀତି ହୋଇଥିବା ଆଶଙ୍କା କରି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ସଂଗଠନ ।ପ୍ରଶାସନ କେବଳ ଲ୍ୟାମ୍ପ ବିରୁଦ୍ଧରେ ଥାନାରେ ଏତଲା ଦେଇ ଚୁପ ବସିଥିବା ବେଳେ ଚାଷୀ ଙ୍କ ପଇସା କିପରି ମିଳିବ ସେ ନେଇ ପଦକ୍ଷେପ ନେଉଁଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅକ୍ଷୟ କୁମାର ।


