କେବଳ ସ୍ଵାମୀଙ୍କ ପାଇଁ ଦିନଟିଏ


ସନ୍ତୋଷ କୁମାର ଦାଶ

ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ବାର ମାସରେ ତେର ପର୍ବ ପାଳିତ ହୋଇଆସୁଛି। ତା ମଧ୍ୟରୁ ସାବିତ୍ରୀ ଅମାବାସ୍ୟା ଅନ୍ୟତମ। ଏହି ପର୍ବ ଟି ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ କେବଳ ସ୍ଵାମୀ ମାନଙ୍କ ପାଇଁ ତାଙ୍କ ପତ୍ନୀ ମାନେ ପାଳନ କରିଥାନ୍ତି। ସଧବା ନାରୀ ମାନେ ନିଜ ସ୍ୱାମୀ ଙ୍କ ଦୀର୍ଘାୟୁ କାମନା କରି ଏହି ଓଷା/ବ୍ରତ କୁ ଭକ୍ତି ଓ ନିଷ୍ଠାର ସହିତ ପାଳନ କରିଥାନ୍ତି। ସଧବା ମହିଳା ମାନେ ପ୍ରାତଃ ରୁ ଶୁଦ୍ଧପୂତ ଭାବେ ସ୍ନାନ କରି ସାରି ନୂଆବସ୍ତ୍ର ପରିଧାନ କରି ଉପବାସ କରିଥାନ୍ତି। ବିଭିନ୍ନ ଫଳ ମୂଳ କୁ ଗ୍ରାମ ଦେବତୀ ଙ୍କ ପାଖରେ ଭୋଗ ଲାଗି କରି ସାରିବା ପରେ ଘର କୁ ଆସି ନିଜ ନିଜ ସ୍ୱାମୀ ମାନଙ୍କୁ ପ୍ରଣାମ କରିଥାନ୍ତି। ଦିନ ସାରା ଭୋଗ ଲାଗି ହୋଇଥିବା ଫଳ ମୂଳ ଆହାର ଗ୍ରହଣ କରିଥାନ୍ତି। ମହିଳା ମାନେ ଯେଉଁ ନବ ବସ୍ତ୍ର ପରିଧାନ କରିଥାନ୍ତି ଓ ଦେବ ଦେବୀ ଙ୍କ ପାଖରେ ଯେଉଁ ଫଳ ମୂଳ ଭୋଗ ଲାଗି କରିଥାନ୍ତି ସେ ସବୁ ନିଜ ବାପା ଙ୍କ ଘରୁ ଆସିବା ପରମ୍ପରା ରହିଛି। ସ୍ୱାମୀ ମାନେ ମଧ୍ୟ ସେ ଦିନ ନିଜ ପତ୍ନୀ ମାନଙ୍କୁ ନୂଆ ଶାଢ଼ୀ ଉପହାର ପ୍ରଦାନ କରିଥାନ୍ତି। ଏହି ଓଷା/ ବ୍ରତ ଟି ପତି ଓ ପତ୍ନୀ ଙ୍କ ପ୍ରେମ ସମ୍ପର୍କ କୁ ମଜଭୁତ କରିଥାଏ। ସାବିତ୍ରୀ ବ୍ରତ ପାଳନ ସମ୍ପର୍କ ରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି। ସାବିତ୍ରୀ ବ୍ରତ ପୁସ୍ତିକାରେ ବର୍ଣ୍ଣିତ ହୋଇଛି ଯେ, ଅଶ୍ୱପତି ନାମକ ଜଣେ ରାଜା ଙ୍କ ର ସାବିତ୍ରୀ ନାମକ ଏକ କନ୍ୟା ଥିଲେ। ସେ ଶାଲ୍ୱ ଦେଶ ରୁ ନିର୍ବାସିତ ଦୃଷ୍ଟିହୀନ ରାଜା ଦ୍ୟୁମତସେନ ଙ୍କ ପୁତ୍ର ସତ୍ୟବାନ ଙ୍କୁ ମନେ ମନେ ଭଲପାଇ ବିବାହ କରିବାକୁ ସ୍ଥିର କରିଥିଲେ। ଦେବର୍ଷି ନାରଦ ଙ୍କୁ ରାଜା ଅଶ୍ୱପତି ସାକ୍ଷାତ ସମୟ ରେ ଏ ସମ୍ପର୍କ ରେ ଜଣାଇବା ପରେ ଦେବର୍ଷି ନାରଦ ଯୋଗ ବଳରେ ଜାଣି ପାରିଥିଲେ ଯେ ବିବାହ ର ଏକ ବର୍ଷ ପରେ ସତ୍ୟବାନ ମୃତ୍ୟୁ ବରଣ କରିବେ। ସେ ଏ ବିଷୟ ରେ ରାଜା ଅଶ୍ଵପତି ଙ୍କୁ ଅବଗତ କରିଥିଲେ। ବିବାହ ର ଏକ ବର୍ଷ ପରେ ବିଧବା ହେବେ ଜାଣି ମଧ୍ଯ ସାବିତ୍ରୀ ସତ୍ୟବାନ ଙ୍କୁ ବିବାହ କରିବାକୁ ଜିଦ ଧରି ବିବାହ କରିଥିଲେ। ଏଇ ଜ୍ୟେଷ୍ଠ ମାସ ର ଅମାବାସ୍ୟା ଦିନ ସାବିତ୍ରୀ ସତ୍ୟବାନ ଙ୍କ ବିବାହ ର ଏକ ବର୍ଷ ପୂରଣ ହୋଇଥିଲା। ସେ ଦିନ ସାବିତ୍ରୀ ଉପବାସ ବ୍ରତ ପାଳନ କରି ସ୍ୱାମୀ ଙ୍କ ପାଖେ ପାଖେ ରହିଥିଲେ। ମୃତ୍ୟୁ ସମୟ ଉପନୀତ ହେବା ଜାଣି ସତ୍ୟବାନ ନିଜ ପତ୍ନୀ ସାବିତ୍ରୀ ଙ୍କ କୋଳରେ ଶୋଇ ପଡ଼ି ପ୍ରାଣ ତ୍ୟାଗ କଲେ। ସତ୍ୟବାନ ଙ୍କ ମୃତ୍ୟୁ ପରେ ଯମରାଜ ସେଠାରେ ପହଞ୍ଚିଥିଲେ ସତ୍ୟବାନ ଙ୍କ ଆତ୍ମା କୁ ନେଇ ଯିବା ପାଇଁ। ସାବିତ୍ରୀ ନିଜର
ଉପବାସ ବ୍ରତ, ସତୀତ୍ୱ ଓ ପତି ଭକ୍ତି ର ପରାକାଷ୍ଠା ପ୍ରଦର୍ଶନ କରି ଦୃଢ଼ ଯୁକ୍ତି ଉପସ୍ଥାପନା କରି ଯମରାଜ ଙ୍କ ହୃଦୟ ଜିତି ପାରିଥିଲେ। ମୃତ୍ୟୁ ର ଦେବତା ଯମରାଜ ସାବିତ୍ରୀ ଙ୍କ ଭକ୍ତି,
ନିଷ୍ଠା ଓ ପତି ଭକ୍ତି ରେ ସନ୍ତୁଷ୍ଟ ହୋଇ ସାବିତ୍ରୀ ଙ୍କୁ ଆଶ୍ରିବାଦ ପ୍ରଦାନ କରି ଥିଲେ। ଯମରାଜ ଙ୍କ ଆଶ୍ରିବାଦ ଫଳରେ ସତ୍ୟବାନ ପୁନଃ ଜୀବନ ପ୍ରାପ୍ତ ହୋଇଥିଲେ। ସାବିତ୍ରୀ ସେ ଦିନ ମହାସତୀ ର ଆଖ୍ୟା ପାଇବା ସହିତ ସତ ସନ୍ତାନ ର ଜନନୀ ହୋଇ ପାରିଥିଲେ। ତାଙ୍କ ଶଶୁର ରାଜା ଦ୍ୟୁମତସେନ ନିଜ ଦୃଷ୍ଟି ଶକ୍ତି ଓ ରାଜ୍ୟ ଫେରି ପାଇଥିଲେ। ଏ ସବୁ ସମ୍ଭବ ହୋଇଥିଲା ସାବିତ୍ରୀ ଙ୍କ କଠୋର ସାଧନା ଓ ସତୀତ୍ୱ ଯୋଗୁଁ।
ସେ ନିଜ ଭକ୍ତି, ନିଷ୍ଠା, ପତି ପ୍ରେମ ପାଇଁ ମୃତ୍ୟୁ ର ଦେବତା ଯମରାଜ ଙ୍କୁ ପ୍ରୀତ କରି ମୃତ୍ୟୁ କୁ ଜୟ କରି ପାରି ଥିଲେ। ଏହି କିମ୍ବଦନ୍ତୀ କୁ ଆଖି ଆଗରେ ରଖି ସଧବା ନାରୀମାନେ ନିଜ ନିଜ ସ୍ୱାମୀ ଙ୍କୁ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରି ଆସୁଛନ୍ତି। ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ସାବିତ୍ରୀ ବ୍ରତ ସ୍ଵତନ୍ତ୍ର ପର୍ବ ଭାବେ ପରିଗଣିତ ହୋଇ ଆସିଛି। ଆମ ଓଡ଼ିଆ ପରିବାର ରେ ଏହି ପର୍ବ କୁ ନେଇ ସୁନ୍ଦର ନିୟମ ରହିଛି। ବିବାହ ପରେ ଝିଅ ଟିଏ ବୋହୁ ହୋଇଥାଏ। ନବବଧୂ ପାଇଁ ପ୍ରଥମ ସାବିତ୍ରୀ ଓଷା/ବ୍ରତ ସ୍ଵତନ୍ତ୍ର ହୋଇଥାଏ। ନବବଧୂ ଟି ଯଦି ଏହି ସମୟରେ ବାପ ଘରେ ଥାଏ ତେବେ ଶାଶୁ ଘରୁ ତାଙ୍କ ପାଇଁ ନବବସ୍ତ୍ର, ଫଳ ମୂଳ, ସିନ୍ଦୂର, ହଳଦୀ ଓ ଶଙ୍ଖା ,ଭାର ଆକାର ରେ ପଠା ଯାଇଥାଏ। ଆଉ ଯଦି ନବବଧୂ ଟି ଶାଶୁ ଘରେ ଥାଏ ତେବେ ବାପ ଘର ପକ୍ଷରୁ ନିଜ ଝିଅ ପାଇଁ ଏହି ସବୁ ସାମଗ୍ରୀ ଶାଶୁ ଘରକୁ ପଠା ଯାଇଥାଏ। ଏହା ଦ୍ବାରା ପିତୃ ଘର ଓ ଶାଶୁ ଘର ମଧ୍ୟରେ ସୁସମ୍ପର୍କ, ନିବିଡ଼ ସମ୍ପର୍କ ଗଢ଼ି ଉଠି ଥାଏ। ରାଜ୍ୟ ର ବିଭିନ୍ନ ମନ୍ଦିର ରେ ପାଶ୍ୱ ଦେବତା ଭାବେ ସାବିତ୍ରୀ ସତ୍ୟବାନ ଙ୍କ ମୂର୍ତ୍ତୀ ପୂଜା ପାଉଥିବା ଦେଖିବାକୁ ମିଳେ। ସାବିତ୍ରୀ ଅମାବାସ୍ୟା ଦିନ ବ୍ରତଧାରୀ ମହିଳା ମାନେ ମନ୍ଦିର ମାନଙ୍କ ରେ ପହଞ୍ଚି ଏହି ମୂର୍ତ୍ତୀ ଙ୍କୁ ପୂଜା କରି ନିଜ ନିଜ ସ୍ୱାମୀ ମାନଙ୍କ ଦୀର୍ଘାୟୁ କାମନା କରିଥାନ୍ତି। ଆଉ କିଛି ସ୍ଥାନ ରେ ଦେବ ଦେବୀ ପୀଠ ମାନଙ୍କ ରେ ଶିଳପୁଆ ରେ ସିନ୍ଦୂର, ହଳଦୀ ଚନ୍ଦନ ଲାଗି କରି ସାବିତ୍ରୀ ଙ୍କ ପ୍ରତୀକ ଭାବେ ସ୍ଥାପନା କରି ସଧବା ମହିଳା ମାନେ ପୂଜା କରିଥାନ୍ତି। ସାବିତ୍ରୀ ବ୍ରତ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ଏକ ସ୍ଵତନ୍ତ୍ର ପର୍ବ ଭାବେ ପାଳିତ ହୋଇ ଆସୁଛି କାହିଁ କେତେ କାଳରୁ।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ