ମହିଳା ସ୍ୱୟଂ ସହାୟୀକା ଗୋଷ୍ଠିରୁ ୨ଜଣ ଗାଁ ସାଥି ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଗାଁ ସାଥି ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ମହିଳା ସ୍ୱୟଂ ସହାୟୀକା ଗୋଷ୍ଠିରୁ ୨ଜଣ ଗାଁ ସାଥି ନିଯୁକ୍ତି ପ୍ରତିବାଦରେ ଶୁକ୍ରବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ ୨୦୦୮ ମସିହା ଠାରୁ ଗାଁ ସାଥିମାନେ ନିଯୁକ୍ତି ପାଇ ସରକାରଙ୍କ ମନରେଗା ଯୋଜନାରେ କାର୍ଯ୍ୟ କରି ଆସୁଥିବା ବେଳେ ଏପର୍ଯ୍ୟନ୍ତ ସରକାର ସମସ୍ତ କାର୍ଯ୍ୟରେ ସେମାନଙ୍କୁ ଉପେକ୍ଷା କରିଆସୁଥିବା ସେମାନେ ଅଭିଯୋଗ କରିଛନ୍ତି । ଓଡିଶା ସରକାର ବିଜ୍ଞାପନ ଅନୁଯାଇ ୩୫ବର୍ଷରୁ କମ ବୟସର ସର୍ବୋଚ୍ଚ ଶିକ୍ଷିତ ଯୁବକ/ଯୁବତୀ ୨ଜଣଙ୍କୁ ନିଯୁକ୍ତି ଦେବାପାଇଁ ବିଜ୍ଞାପନ ପ୍ରକାଶ କରିବା ପରେ ସେହି ଅନୁଯାଇ ବ୍ଲକ ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରି ଶତକଡା ୩୦ ପ୍ରତିଶତ ରୁ ଅଧିକ ମାଷ୍ଟର ଡିଗ୍ରୀ ଓ ୯୦ପ୍ରତିଶତରୁ ଅଧିକ ଗ୍ରାଜୁଏଟ ଗାଁ ସାଥିରେ ଓଡିଶା ସରକାରଙ୍କ ଦ୍ୱାରା ଚୟନ ହୋଇଥିଲେ । କରୋନା ମହାମାରୀ ଆରମ୍ଭ ହେବା ପର ଠାରୁ ଗାଁ ସାଥିମାନଙ୍କୁ କାମ ଦିଆଯାଉନଥିବାରୁ ସେମାନେ ଜୀବିକା ହରାଇଥିବା ଅଭିଯୋଗ ହୋଇଛି । ସବୁ କାମରେ ଗାଁ ସାଥିଙ୍କୁ ସାମିଲ କରାଯାଉ ନାହିଁ । ବ୍ଲକ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ତୁରନ୍ତ ମନରେଗା କାମରେ ସାମିଲ କରାଯାଇ ସେମାନଙ୍କୁ କାମ ଯୋଗାଇ ଦେବାକୁ ଦାବୀ କରାଯାଇଛି । ସରକାର ୨ଜଣ ଗାଁ ସାଥିଙ୍କୁ ବଂଚିବା ପାଇଁ ସୁଯୋଗ ଦେଇପାରୁନଥିବା ବେଳେ ଏବେ ସ୍ୱୟଂ ସହାୟୀକା ଗୋଷ୍ଠିରୁ ଆଉ ୨ଜଣ ମହିଳାଙ୍କୁ ପ୍ରତି ରାଜସ୍ୱ ଗ୍ରାମରେ ନିଯୁକ୍ତି ଦେବା ପାଇଁ ପତ୍ର ସଂଖ୍ୟା ପିଆର – ଏନଆରଇଜି – ଇଏସଟିଟି -୦୦୦୩ -୨୦୧୯- ୧୩୦୬୫ରେ ବିଜ୍ଞାପନ ପ୍ରକାଶ କରିଛନ୍ତି । ଏହି ବିଜ୍ଞାପନକୁ ପ୍ରତ୍ୟାହାର କରାଯିବା ପାଇଁ ଗାଁ ସାଥି ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଓଡିଶା ଉଚ୍ଚ ନ୍ୟାୟାଳୟରେ ଡବ୍ଲୁପିସି ନମ୍ବର ୨୨୯୩୩.୨୦୨୦ରେ ଏକ ରିଟ ପିଟିସନ ଦାୟର କରାଯାଇଥିଲା । ସେହି ରିଟ ପିଟିସନର ବିଚାରକରି ଓଡିଶା ଉଚ୍ଚ ନ୍ୟାୟାଳୟ ଚଳିତମାସ ୧୦ତାରିଖରେ ଏହିମାମଲାର ଚୁଡାନ୍ତ ନିର୍ଦେଶନାମା ପର୍ଯ୍ୟନ୍ତ ରାଜ୍ୟ ସରକାର ନୂତନ ମହିଳା ଗାଁ ସାଥି ନିଯୁକ୍ତି ବା ଚୟନ ଉପରେ ରହିତାଦେଶ ଜାରି କରିଛନ୍ତି । ଏହି ଉପଲକ୍ଷେ ଗାଁ ସାଥି ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଶୁକ୍ରବାର ତିନିମୁହାଣିସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ସଭାପତି କନକଲତା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସମସ୍ୟା ସମ୍ପର୍କରେ ଆଲୋଚନା ହେବା ପରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡାଙ୍କୁ କୋର୍ଟଙ୍କ ରହିତାଦେଶ ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗାଁ ସାଥି ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଅନିଲ କୁମାର ଜେନା, ସୁଶାନ୍ତ କୁମାର ବିଶ୍ୱାଳ, ସ୍ୱୟମ୍ଭୁ ସାମଲ, ପ୍ରତାପ ଚନ୍ଦ୍ର ସ୍ୱାଇଁ, ନବଘନ ସାହୁ, ବିକ୍ରମ ବିଶ୍ୱାଳ, ଦେବାଶିଷ ମଳିକ, ଦିଲ୍ଲିପ ଶର୍ମା, ବରଦାକାନ୍ତ ପାତ୍ର, ରୀନାରାଣୀ ବେହେରା, କଳ୍ପନା ମଳିକ, ମମତା ସାହୁ, ପ୍ରିୟସ୍ମିତା ସାହୁ, ନିର୍ମଳ ଚନ୍ଦ୍ର ପାତ୍ର, ହେମନ୍ତ କୁମାର ମଳିକ, ପ୍ରଶାନ୍ତ କୁମାର ଦାସ, ସୁଧିରଞ୍ଜନ ପ୍ରଧାନ, କବିର କୁମାର ବସନ୍ତିଆ, ବିଭୂତି ଭୂଷଣ ବାରିକ, ଅମର ବାରିକ, ରମାକାନ୍ତ ନାୟକ, ଅଜୟ କୁମାର ମହାପାତ୍ର, କିଶୋର ମହାରଣା, ପବିତ୍ର କୁମାର ବେହେରା ପ୍ରମୁଖ ଯୋଗଦେଇ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ