୨୫ ରେ ଭାରତ ବନ୍ଦ ଆହ୍ୱାନ
ଭୁବନେଶ୍ୱର,(ୱାଇଏନ୍ଏସ୍): କୃଷକଙ୍କ ସର୍ବନାଶ କରିବା ପାଇଁ ଯେଉଁ କୃଷି ବଧେୟକ ଗୃହୀତ ହୋଇଛି ତାହା ସମ୍ବିଧାନର ନଗ୍ନ ଉଲ୍ଲଘଂନ ବୋଲି ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ କୋ-ଅର୍ଡିନେସନ୍ କମିଟି ରାଜ୍ୟ ଆବାହକମଣ୍ଡଳୀ ତରଫରୁ କୁହାଯାଇଛି । ଏହି ବିଲ୍ ଖୁବ୍ଶୀଘ୍ର ଆଇନରେ ପରିଣତ ହୋଇ କୃଷକଙ୍କ ବିରୋଧରେ ପ୍ରୟୋଗ କରାଯିବ ବୋଲି କୃଷକ ସଂଗଠନମାନେ ମତ ପ୍ରକାଶ କରିଛନ୍ତି । କୃଷକଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ଧ୍ୱଂସ କରି କୃଷିର କମ୍ପାନୀକରଣ କରିବା ପାଇଁ ମୋଦୀ ନେତୃତ୍ୱାଧୀନ ବିଜେପି ସରକାରର ଏହା ଷଡ଼ଯନ୍ତ୍ର ବୋଲି କୁହାଯାଇଛି । ଆତ୍ମ ନିର୍ଭରର ସ୍ଳୋଗାନ୍ ଦେଇ କର୍ପୋରେଟ୍ ସଂସ୍ଥା ପାଖରେ ଆତ୍ମସମର୍ପଣ କରିବାର ଜ୍ୱଳନ୍ତ ନମୁନା ହେଉଛି ଆଜି ସଂସଦରେ ଗୃହୀତ ହୋଇଥିବା କୃଷି ବିଧେୟକ ବୋଲି କୃଷକ ସଂଗଠନ ନେତୃବୃନ୍ଦ କହିଛନ୍ତି । ଆସନ୍ତା ୨୫ ସେପ୍ଟେମ୍ବରରେ ସାରା ଦେଶରେ ବନ୍ଦ ଆହ୍ୱାନ ସହିତ ପ୍ରତିରୋଧ ଆନ୍ଦୋଳନ ସଂଗଠିତ ପାଇଁ ୨୦୦ରୁ ଊର୍ଦ୍ଧ୍ବ କୃଷକ ସଂଗଠନ ଆହ୍ୱାନ ଦେଇଛନ୍ତି । ଆସନ୍ତା ୨୫ ରେ ସର୍ବଭାରତୀୟ ବନ୍ଦ ଆହ୍ୱାନ ଓ ପ୍ରତିରୋଧ ଦିବସକୁ ଓଡ଼ିଶାରେ ସଫଳ କରିବା ପାଇଁ କୃଷକ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।


