‘ବାଂଲାର ରସଗୋଲ୍ଲା’ ଜିଆଇ ମାନ୍ୟତାକୁ ଚ୍ୟାଲେଞ୍ଜ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍) : ବାଂଲାର ରସଗୋଲ୍ଲା’ କୁ ଜିଆଇ ମାନ୍ୟତା ମିଳିବାକୁ ନେଇ ଓଡ଼ିଶା ପକ୍ଷରୁ ହୋଇଥିବା ଚ୍ୟାଲେଞ୍ଜର ଆଜି ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଶୁଣାଣି ହୋଇଥିଲା । ଏଥିରେ ଓଡ଼ିଶାର ଯେଉଁ ସବୁ ମୂଳ ଅଭିଯୋଗ ରହିଥିଲା ତାହାର ଉତ୍ତରରେ ପଶ୍ଚିମବଙ୍ଗ ପକ୍ଷରୁ ଅଜବ ଯୁକ୍ତି କରାଯାଇଛି । ତେଣୁ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ମାସ ୨୧ ତାରିଖରେ ହେବ ବୋଲି ଜଣାପଡ଼ିଛି ।୨୦୧୭ ମସିହାରେ ‘ବାଂଲାର ରସଗୋଲ୍ଲା’ ଜିଆଇ ମାନ୍ୟତା ପାଇଥିଲା । ତେବେ ଏହି ମାନ୍ୟତାକୁ ଚ୍ୟାଲେଞ୍ଜ କରି ରିଜିଓନାଲ ଡେଭଲପମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ୨୦୧୮ ମସିହାରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଏହାର ପ୍ରତି ଜବାବ ରଖିବା ପାଇଁ ପଶ୍ଚିମବଙ୍ଗକୁ ବାରମ୍ବାର ନୋଟିସ କରାଯାଇଥିଲେ ହେଁ ସ୍ଥାନୀୟ ସରକାର ଏହାକୁ ଏଡ଼ାଇ ଚାଲିଥିଲେ । ଆଜି ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଏହାର ଶୁଣାଣି ହୋଇଥିଲା । ଏଥିରେ ପଶ୍ଚିମବଙ୍ଗ ପକ୍ଷରୁ ଅଜବ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଓଡ଼ିଶା ପକ୍ଷରୁ କାହିଁକି ବିଳମ୍ବରେ ସତ୍ୟପାଠ ଦାଖଲ କରାଯାଇଛି ବୋଲି ପଶ୍ଚିମବଙ୍ଗ ପକ୍ଷରୁ କୁହାଯାଇଥିଲା । ଯାହାକୁ ଜିଆଇ କର୍ତ୍ତୃପକ୍ଷ ଗ୍ରହଣ କରିନଥିଲେ ।ଆଜିର ଶୁଣାଣିରେ ଆଇଡିଟି ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ସମେତ ପୁଣ୍ୟ ଉକ୍ରଳର ସଂଯୋଜକ ସୁଶାନ୍ତ, ଓଡ଼ିଆ ପର୍ବ ପତ୍ରିକାର ସମ୍ପାଦକ ସନ୍ତୋଷ ସାହୁ, ଆଇଡିଟିର ଉପାଧ୍ୟକ୍ଷ ଶ୍ରୀନିବାସ ମହାପାତ୍ର, ସଚିବ ବ୍ରଜେନ୍ଦ୍ର ପ୍ରସାଦ ଦାସ ଓ ପ୍ରଭାତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ମାଡ୍ରାସ ଓଡ଼ିଆ ସୋସାଇଟିର ସଚିବ ବିଶ୍ୱଜିତ କାନୁନଗୋ ପ୍ରତିନିଧି ମଣ୍ଡଳୀ ସହିତ ଯୋଗ ଦେଇଥିଲେ ।


