ସର୍ପାଘାତରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ମିଳୁନି ଅନୁକମ୍ପା ସହାୟତା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଦୈବଦୁର୍ଘଟଣାରେ ମୃତ୍ୟୁବରଣ କଲେ ରାଜ୍ୟ ସରକାର ଅନୁକମ୍ଫା ମୂଳକ ରାଶି ଯୋଗାଇଦେବାର ବ୍ୟବସ୍ଥା ଥିଲେ ସୁଦ୍ଧା ପ୍ରଶାସନିକ ଅବହେଳା ଯୋଗୁ ଅନେକ ଲୋକଙ୍କୁ ଏହା ମିଳିବାରେ ବିଳମ୍ବ ଘଟୁଛି । ମିଳିଥିବା ଅଭିଯୋଗ ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଖଡିସିଙ୍ଗା ଗ୍ରାମର ଉଦ୍ଧବ ଜେନା ଗତ ନଭେମ୍ବର ୮ତାରିଖ ଦିନ ଚାଷଜମିକୁ ବିଷ ପକାଇବାକୁ ଯାଇ ସର୍ପାଘାତରେ ମୃତ୍ୟୁବରଣ କରିଥିଲେ । ଉଦ୍ଧବଙ୍କ ମୃତ୍ୟୁ ପରେ ତାଙ୍କର ପାଞ୍ଚ ପ୍ରାଣୀର କୁଟୁମ୍ବ ମଧ୍ୟ ବେସାହାରା ହୋଇଯାଇଥିଲା । କାରଣ ସେ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ସେ ଯାହାବି ହେଉ ସର୍ପାଘାତରେ ମୃତ୍ୟୁବରଣ କରିଥିବାରୁ ତାଙ୍କୁ ସରକାରଙ୍କ ଅନୁୁକମ୍ଫା ରାଶି ମିଳିବ ବୋଲି ନିଶ୍ଚିତ ଥିବାରୁ ପରିବାର ଲୋକେ ବଞ୍ଚିବାର ରାହାଟିକିଏ ପାଇଥିଲେ । ପରିତାପର ବିଷୟ ମୃତ୍ୟୁକୁ ଏକବର୍ଷ ବିତିଯାଇଥିଲେ ସୁଦ୍ଧା ଉଦ୍ଧବଙ୍କ ପରିବାର ଏପର୍ଯ୍ୟନ୍ତ ଅର୍ଥରାଶି ପାଇନାହାଁନ୍ତି । ସରକାରୀ ନିୟମ ଅନୁଯାୟୀ ଉଦ୍ଧବଙ୍କ ସମସ୍ତ କାଗଜପତ୍ର ତହସିଲ କାର୍ଯ୍ୟଳୟକୁ ଦିଆଯାଇଥିଲେ ସୁଦ୍ଧା ସେଥିମଧ୍ୟରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜକୁ ଅଧିକାରୀମାନେ ହଜାଇଦେଇଥିଲେ । ଦ୍ୱିତୀୟ ଥର ମଧ୍ୟ କାଗଜ ପ୍ରଦାନ କରାଯାଇଥିଲା । ହେଲେ କର୍ମଚାରୀ ମାନେ ଏଦିଗରେ ତତ୍ପରତା ପୂର୍ବକ କାର୍ଯ୍ୟ କରିନଥିବାରୁ ଆଜି ଯାଏଁ ଗରୀବ ଅସହାୟ ପରିବାରଟି ଅନୁକମ୍ଫା ମୂଳକ ରାଶି ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ଏନେଇ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁଙ୍କୁ ଯୋଗାଯୋଗ କରାଯିବାରୁ ସେ ଘଟଣା ସମ୍ପର୍କରେ ଦୁଃଖ ପ୍ରକାଶ କରି ଅମଲାତନ୍ତ୍ରିକ କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ମୃତକଙ୍କ ପରିବାରକୁ ଦେଇଥିବା ବ୍ୟାଙ୍କ ପାସବହିର ନକଲ ସ୍ପଷ୍ଟ ଦେଖାଯାଉନଥିବାରୁ ଅର୍ଥଯିବାର ଅସୁବିଧା ହେବ । ତେଣୁ ଅନ୍ୟ ଏକ ବ୍ୟାଙ୍କ ପାସବହିର ନକଲ ଦେବାପାଇଁ ତାଙ୍କୁ କୁହାଯାଇଥିବାବେଳେ ଅନୁକମ୍ଫା ରାଶି ଯଥାଶୀଘ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ଭୂୟାଁ ପ୍ରକାଶ କରିଛନ୍ତି ।


