ମହାବିଦ୍ୟାଳୟ ସମ୍ମୁଖରେ ଧାରଣା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) ; ଆଜି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କ୍ଲଷ୍ଟର ବିଶ୍ୱ ବିଦ୍ୟାଳୟର ଖାମଖିଆଲି ନିତି ଓ ସମସ୍ୟା ପ୍ରତି ଅଣଦେଖା ବିରୁଦ୍ଧରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ସେମାନେ କଲେଜକୁ ସମ୍ପୁର୍ଣ୍ଣ ରୂପେ ବନ୍ଦ କରି ମୁଖ୍ୟ ଫାଟକରେ ତାଲା ପକାଇ କଲେଜ ଗେଟ୍ ଆଗରେ ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଥିଲେ । ଫଳରେ କଲେଜ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । କଲେଜ ଅଧ୍ୟକ୍ଷା ବହୁତ ବୁଝାସୁଝା କରିବା ପରେ ମଧ୍ୟ ସେମାନେ ଆନ୍ଦୋଳନରୁ ଓହରି ନଥିଲେ । ଫଳରେ ପୋଲିସ୍ ପହଂଚି ଆନ୍ଦୋଳନକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଛାତ୍ର ପ୍ରତିନିଧୀମାନେ ନ ଓହରିବାରୁ ବିଶ୍ୱ ବିଦ୍ୟାଳୟର ପରିକ୍ଷା ନିୟନ୍ତ୍ରକ ଫୋନ ଯୋଗେ ଛାତ୍ର ପ୍ରତିନିଧୀମାନଙ୍କ ସହ କଥାବାର୍ତ୍ତା କରି ଆଶ୍ୱାସନା ଦେଇ ଆସନ୍ତା କାଲି ଆଲୋଚନା କରିବା ସକାଶେ ବିଶ୍ୱ ବିଦ୍ୟାଳୟକୁ ଡାକିବାରୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଥିଲେ । ଅଭିଯୋଗ ଅନୁଯାୟୀ ୨୦୧୫ ବର୍ଷରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଠାରୁ ପୃଥକ୍ କରି କ୍ଲଷ୍ଟର ବିଶ୍ୱ ବିଦ୍ୟାଳୟ ଘୋଷଣା ହେବା ଠାରୁ ଛାତ୍ରଛାତ୍ରୀମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସମାନେ ଅଭିଯୋଗ କରିଥିଲେ ଯେ କୌଣସି ସମସ୍ୟା ସମାଧାନ ହେଉନଥିବାରୁ ସେମାନଙ୍କୁ ପୂର୍ବ ଭଳି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଅଧିନରେ ରଖାଯାଉ ବୋଲି କହିଥିଲେ । ଦାବି ଗୁଡିକ ମଧ୍ୟରୁ ଛାତ୍ରଛାତ୍ରୀମାନଙ୍କ ପରିକ୍ଷା ଠିକ୍ ସମୟରେ ନ ହେବା ଅନ୍ୟର ସିଲାବସ୍ ରୁ ପ୍ରଶ୍ନ ପତ୍ର ଆସିବା,ସେମିଷ୍ଟାର ପରିକ୍ଷା ଫଳ ଠିକ୍ ସମୟରେ ନ ବାହାରିବା,ତୃଟିପୁର୍ଣ୍ଣ ଭାବେ ମାର୍କ ଦେବା,ଯୁକ୍ତ ୩ ସରିବା ପରେ ମଧ୍ୟ ବେକ୍ ପେପର ମାନଙ୍କ ପରିକ୍ଷା ଫଳ ନ ବାହାରିବା ପ୍ରଭୃତି ଅଭିଯୋଗ କରି କହିଥିଲେ ଯେ,ଏହାଫଳରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯାଉଛି । ଏହି ଆନ୍ଦୋଳନରେ ଆଜି ଛାତ୍ର ନେତା ମହେଶ ଗୌଡ,ଜ୍ଞାନ ରଞ୍ଜନ ସାହୁ,ତାପସ ରଥ,ଅନିଲ୍ ରାଉଳ,ଚିଦାନନ୍ଦ ପ୍ରଧାନ,ପି.ଜାମିନୀ ରେଡ୍ଡି ଜୌତିମୟୀ ଶତପଥୀ,ସଂଜୀବ ସ୍ୱାଇଁ,ଶେଷଦେବ ବେହେରା ପ୍ରମୂଖ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ