ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଓ ଜାତିଆଣ ଅପମାନ ଅଭିଯୋଗ
ଛତ୍ରପୁର(ଓ୍ବାଇଏନଏସ): ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକ ରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ ଉପସ୍ଥାପନ କରୁଥିବା ସମୟରେ ମହିଳା ସରପଞ୍ଚ ଜୟନ୍ତୀ ବେହେରାଙ୍କୁ ଦୁର୍ବ୍ୟବହାର, ଅପମାନଜନକ ଆଚରଣ ଓ ଜାତିଆଣ ମନ୍ତବ୍ୟ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାକୁ ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ଗୁରୁତର ଭାବେ ନେଇ ଦୋଷୀଙ୍କ ବିରୋଧରେ ତୁରନ୍ତ ଆଇନଗତ ପଦକ୍ଷେପ ଦାବି କରିଛି। ଏନେଇ ମହାସଂଘ ପକ୍ଷରୁ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟ ରେ ଗଞ୍ଜାମ ଏସପି ଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ଼, ଦକ୍ଷିଣ ଓଡିଶା ସରପଞ୍ଚ ମହା ସଂଘ ର ଜୋନ ସଭାପତି ଭାବନୀ ଶଙ୍କର ମଲ୍ଲିକ, କେନ୍ଦ୍ରପଡ଼ା ଜିଲ୍ଲା ସରପଞ୍ଚ ମହାସଂଘ ର ସଭାନେତ୍ରୀ ଚାମେଲୀ ଓଝାଙ୍କ ସମେତ ଜିଲ୍ଲାର ବହୁ ସରପଞ୍ଚ ଉପସ୍ଥିତ ଥିଲେ। ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଜଣେ ମହିଳା ଜନପ୍ରତିନିଧିଙ୍କ ସହ ସମିତି ବୈଠକ ସମୟରେ ଏଭଳି ଆଚରଣ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଜନପ୍ରତିନିଧିଙ୍କ ମର୍ଯ୍ୟାଦା ପ୍ରତି ଅସମ୍ମାନ। ଏଥିସହ ମହିଳା ଜନପ୍ରତିନିଧିଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ସମସ୍ତଙ୍କ ଦାୟିତ୍ୱ ରହିଛି। ଘଟଣାର ନିରପେକ୍ଷ ତଦନ୍ତ କରିବା, ଅଭିଯୋଗରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବା, ମହିଳା ସରପଞ୍ଚଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇବା ଏବଂ ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ମହାସଂଘ ଦାବି କରିଛି। ଏହି ଅଭିଯୋଗ ଉପରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ଓ ରାଜ୍ୟ ସରପଞ୍ଚ ସଂଘ ମିଳିତ ଭାବେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବେ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


