ସୁବ୍ୟବସ୍ଥିତ ମତଦାତା ଶିକ୍ଷା ଏବଂ ନିର୍ବାଚକ ସହଭାଗିତା(ସ୍ୱିପ) ରଥ’ର ଶୁଭାରମ୍ଭ

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଉପ-ନିର୍ବାଚନ ପାଇଁ ମତଦାତାଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ସୁବ୍ୟବସ୍ଥିତ ମତଦାତା ଶିକ୍ଷା ଏବଂ ନିର୍ବାଚକ ସହଭାଗିତା (ସ୍ୱିପ) ରଥ’ର ଯାତ୍ରା ଆରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ବାଲେଶ୍ୱର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ୩୨ଟି ସ୍ୱିପ ରଥ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ବିଭିନ୍ନ ବୁଥ୍ ପରିକ୍ରମା କରି ଭୋଟରମାନଙ୍କୁ ନିର୍ବାଚନ ଓ ଭୋଟଗ୍ରହଣ ପ୍ରକ୍ରିୟାର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରିବ । ମୁଖ୍ୟତଃ କୋଭିଡ୍ କଟକଣା ମଧ୍ୟରେ କିଭଳି ଭୋଟଦାନ କରାଯାଇପାରିବ, ଇଭିଏମ-ଭିଭିପାଟ ମେସିନର ବ୍ୟବହାର ଏବଂ ଉପ-ନିର୍ବାଚନରେ ଭୋଟରମାନଙ୍କ ସହାୟତା ନିମନ୍ତେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ସ୍ଥାପନ କରାଯାଇଥିବା ସହାୟକ ବୁଥ୍ ବାବଦରେ ଏହି ରଥସବୁ ମତଦାତାମାନଙ୍କୁ ସଚେତନ କରାଇବେ । ଏତଦ୍ ଭିନ୍ନ ଉପ-ନିର୍ବାଚନ ବାବଦରେ ରହିଥିବା ଅନ୍ୟାନ୍ୟ ସନ୍ଦେହକୁ ମଧ୍ୟ ଏହା ଦୂର କରିବ । ଏହି ରଥଗୁଡିକ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ସେକ୍ଟର ୱାରୀ ପରିକ୍ରମା କରି ମତଦାତାମାନଙ୍କୁ ନିର୍ବାଚନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବେ । ଏଥିପାଇଁ ସେକ୍ଟର ଅଧିକାରୀ ଓ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି । ଏହା ଦ୍ୱାରା ମତଦାତାମାନେ ଅଧିକ ସଚେତନ ହୋଇପାରିବେ ବୋଲି ଜିଲ୍ଲାପାଳ ଆଶାପ୍ରକଟ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ସହକାରୀ ଜିଲ୍ଲାପାଳ,ନିର୍ବାଚନ ଶ୍ରୀ ମନୋଜ ସେନାପତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ