ନୁତନ ଚାଷୀ ପଞ୍ଜିକରଣ ହାର କମୁଛି, ନାମ ପଞ୍ଜିକରଣ ହୋଇନାହିଁ ଭାଗଚାଷୀଙ୍କର

ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍) : ରାଜ୍ୟ ସରକାର ଧାନ ବିକ୍ରୀ ପାଇଁ ଚାଷୀ ପଞ୍ଜିକରଣ ସମୟର ଅବଧି ବୃଦ୍ଧି କରିବାରୁ ଚାଷୀ ମାନଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ଜାରି ରହିଛି । ପୁର୍ବ ବର୍ଷ ମାନଙ୍କ ଭଳି ଚଳିତବର୍ଷ ନବୀକରଣ ପରିବର୍ତ୍ତେ ନୁତନ ଜମିପଟା ଦେଖାଯାଇ ପଞ୍ଜିକରଣ କରାଯାଉଥିବାରୁ ଏବେ ସୁଧା ୬୦ଭାଗ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରିପାରିଛନ୍ତି । ଗତବର୍ଷ ହାଟଡିହି ବ୍ଲକର ୮ଟି ସେବାସମବାୟ ସମିତିରେ ମୋଟ ୮୦୨୦ଜଣ ଚାଷୀ ସେମାନଙ୍କର ନାମ ପଞ୍ଜିକରଣ କରିଥିବାବେଳେ ଏବେ ସୁଧା ମାତ୍ର ୫୪୬୯ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ଜଣାଯାଇଛି । କିନ୍ତୁ ବର୍ତ୍ତମାନ ସୁଧା ଜଣେକି ହେଲେ ଭାଗଚାଷୀ ନାମ ପଞ୍ଜିକରଣ ପାଇଁ ଆବେଦନ କରି ନଥିବା ଜଣାଯାଇଛି । ନାମ ପଞ୍ଜିକରଣରେ ରାସନକାର୍ଡ ସଂଯୋଗ କରିବା ବାଧ୍ୟତାମୁଳକ ଥିବାରୁ ଅନେକ ଚାଷୀ କାଳେ ସେମାନଙ୍କ ଚାଉଳକାର୍ଡ କଟିଯିବ ସେହି ଭୟରେ ନାମ ପଞ୍ଜିକରଣ କରୁନଥିବା ଶୁଣିବାକୁ ମିଳୁଛି । ଏପରିକି ପଞ୍ଚୁଗୋଛିଆ ସମବାୟ ସମିତିରେ କିଛି ଚାଷୀ ନାମ ପଞ୍ଜିକରଣ ପାଇଁ ଆବେଦନ କରିଥିଲେବି ପରବର୍ତ୍ତୀ ସମୟରେ ସେମାନଙ୍କ ଆବେଦନପତ୍ର ଫେରାଇ ନେଇଥିଲେ । ସୁଚନାଅନୁଯାଇ ସଢ଼ା ସମବାୟ ସମିତିରେ ଆଜି ସକାଳ ସୁଧା ୬୯୫ଜଣ ଚାଷୀ ନାମ ପଞ୍ଜିକରଣ କରିଥିବାବେଳେ ଡଅଁରରେ ୮୫୦ଜଣ, ପଞ୍ଚୁଗୋଛିଆରେ ୩୪୦ଜଣ, ବାଙ୍ଗୋରରେ ୮୨୫ଜଣ, ସୋସୋରେ ୭୩୫ଜଣ, ମରୈଗାଁରେ ୫୦୭ଜଣ, ସମଣାରେ ୬୩୭ଜଣ, ବଡରମ୍ପାସରେ ୮୮୦ଜଣ ଚାଷୀଙ୍କର ନାମ ପଞ୍ଜିକରଣ କରିଛନ୍ତି । ଭାଗଚାଷୀମାନେ ସେମାନଙ୍କ ନାମ ପଞ୍ଜିକରଣ ସମୟରେ କେତେକ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରିବାକୁ ଥିବାରୁ ତାହାକୁ ସଂଗ୍ରହ କରି ଦାଖଲ କରିବାର ବ୍ୟବସ୍ଥା ଥିଲେବି ଜଣେକି ହେଲେ ଭାଗଚାଷୀ ଆବେଦନ ନକରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁର୍ବରୁ ଭାଗଚାଷୀ ମାନେ ନାମ ପଞ୍ଜିକରଣ କରୁଥିଲେ ନା ସେମାନଙ୍କ ନାମରେ ଆଉ କେହି କରୁଥିଲା ତାହାକୁ ନେଇ ସନେ୍ଦହ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ