ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ପଥପ୍ରାନ୍ତ ସଭା
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ରୁପସା ଅଞ୍ଚଳରେ ୧୦ ଟିରୁ ଅଧିକ ପଥପ୍ରାନ୍ତ ସଭା କରି ବରଗଡ଼ର ସାଂସଦ ସୁରେଶ ପୂଜାରୀ ତାଙ୍କ ଓଜ୍ବସୀ ଭାଷଣରେ ଜନମାନସକୁ ମୋହିତ କରିଛନ୍ତି। ତାଙ୍କୁ ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସକତା ପ୍ରକାଶ ପାଇଥିଲା। ପଥପ୍ରାନ୍ତ ସଭା ମାନଙ୍କରେ ଶ୍ରୀଯୁକ୍ତ ପୂଜାରୀ ନବୀନ ସରକାରକୁ କଟାକ୍ଷ୍ଯ ସମାଲୋଚନା କରିବା ଛଳରେ କହିଛନ୍ତି ଯେ:-
ଆସନ୍ତା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଯୁବ ପ୍ରାର୍ଥୀ ଶ୍ରୀମାନ ମାନସ କୁମାର ଦତ୍ତଙ୍କ ବିରୁଦ୍ଧରେ ବିଜୁ ଜନତା ଦଳର ଗଣ୍ଡା ଗଣ୍ଡା ମନ୍ତ୍ରୀ ବିଧାୟକମାନେ ବାଲେଶ୍ବରରେ ଢେରା ପକାଇବା ବିଜୁ ଜନତା ଦଳର ଦୟନୀୟ ଆତ୍ମବିଶ୍ବାସକୁ ଦର୍ଶାଉଛି। ୨୧ ବର୍ଷଧରି ଶାସନ କରିଛ, ଅଥଚ ନିର୍ବାଚନ ରଣାଙ୍ଗନରେ ପ୍ରଥମ କରି ପାଦ ପକାଇ ଥିବା ଜଣେ ଯୁବକଙ୍କୁ ଏତେ ଭୟ କଣପାଇଁ ? ମନ୍ତ୍ରୀଙ୍କ ଅନୁପସ୍ଥିତିରେ ସଚିବାଳୟ ଖାଁ ଖାଁ, ଅଥଚ ମନ୍ତ୍ରୀ ମାନେ ବାଲେଶ୍ବରର ଗାଁ ମିଥ୍ୟା ସ୍ବପ୍ନର ସୌଦାଗର ପାଲଟିଛନ୍ତି। ୨୨ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ନ’ମିଳିଥିଲେ କୋରୋନା ମହାମାରୀର ଯନ୍ତ୍ରଣା ନ-ଅଙ୍କ ଦୁର୍ଭିକ୍ଷକୁ ଟପି ଯାଇଥାଆନ୍ତା। ବାଲେଶ୍ବର ସଦରକୁ ଅପରାଧ ଓ ନିଶାମୁକ୍ତ ନିର୍ବାଚନ ମଣ୍ଡଳୀରେ ପରିଣତ କରିବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତିବଦ୍ଧ। ମୋଦୀଜୀଙ୍କ ବିକାଶ ଧାରାକୁ ବାଲେଶ୍ବରର ଘରେ ଘରେ ପହଞ୍ଚାଇବାକୁ ହେଲେ ଭାରତୀୟ ଜନତା ପାର୍ଟିକୁ ବିଜୟୀ କରିବା ପାଇଁ ବରଗଡ଼ର ସାଂସଦ ସୁରେଶ ପୂଜାରୀ ନିବେଦନ କରିଛନ୍ତି। ପଥପ୍ରାନ୍ତ ସଭା ମାନଙ୍କରେ ସୋର ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ, ସଦାଶିବ ଜେନା, ସୁବଳ ସାହୁ ପ୍ରମୁଖ ସହଯୋଗ କରିଥିଲେ।