ଜମ୍ମୁ କଶ୍ମୀରରେ ତୁରନ୍ତ ସ୍ଥିତି ସ୍ୱ୍ୱାଭାବିକ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଦେଖାଦେଇଥିବା ସ୍ଥିତିକୁ ନେଇ ଆଜି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଜାତୀୟ ସୁରକ୍ଷାକୁ ନଜରରେ ରଖି ତୁରନ୍ତ ଜମ୍ମୁ କଶ୍ମୀରରେ ସ୍ୱ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗାଇ । ଲୋକମାନେ ନିଜ ସମସ୍ୟାକୁ ନେଇ ଜମ୍ମୁ କଶ୍ମୀର ହାଇକୋର୍ଟକୁ ଯାଇ ପାରୁ ନାହାନ୍ତି । ଏପରି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ସେ ବାଧ୍ୟ ହୋଇ ଜମ୍ମୁ କଶ୍ମୀର ଗସ୍ତ କରିବେ ବୋଲି ସିଧାସିଧା କେନ୍ଦ୍ରକୁ କହିଛନ୍ତି । ଏଥିସହ ସ୍ଥିତି ସ୍ୱ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ କି କି ବ୍ୟବସ୍ଥା କେନ୍ଦ୍ର ଓ ଜମ୍ମୁ ପ୍ରଶାସନ ଗ୍ରହଣ କରିଛି ସେ ବାବଦରେ ସତ୍ୟପାଠ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜବାବରେ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛି ଏଯାଏ ୮୮ ପ୍ରତିଶତ ପୁଲି୍ସ ଷ୍ଟେସନ ଅଞ୍ଚଳରେ ସ୍ଥିତି ସ୍ୱ୍ୱାଭାବିକ ଅବସ୍ଥାକୁ ଫେରିଆସିଛି । ସମସ୍ତ ଟିଭି ଚ୍ୟାନେଲ୍, ଏଫ୍ଏମ୍ ରେଡିଓ ଆଦିକୁ ଯିବା ପାଇଁ ଅନୁମତି ଦିଆଯାଇଛି? କୌଣସି ସ୍ଥାନରେ ଗୁଳି ଫୁଟି ନାହିଁ । କିନ୍ତୁ କିଛି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆଟର୍ଣ୍ଣି ଜେନେରାଲ ଏହି ଅବସରରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବାକୁ ଯାଇ କହିଛନ୍ତି ବୁରହାନ ୱାନିର ମୃତ୍ୟୁ ୨୦୧୬ରେ ହୋଇଥିଲା । ଏହି ସମୟରେ ୩ ମାସ ପାଇଁ ଜମ୍ମୁ କଶ୍ମୀରରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା । ତେଣୁ ଜମ୍ମୁ କଶ୍ନୀରରେ ମୋବାଇଲ ଏବଂ ଇଣ୍ଟରନେଟ୍ ଉପରେ କଟକଣା ଲଗିବା କିଛି ନୂଆ କଥା ନୁହେଁ । ଧାରା ୩୭୦ ଉଚ୍ଛେଦ ପରେ ଅନେକ ଆତଙ୍କବାଦୀ କଶ୍ମୀରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ଏହି ଅପ୍ରୀତିକର ପରିସ୍ଥିତି ପଛରେ ପାକିସ୍ତାନ ହାଇ କମିଶନ ଏବଂ କଶ୍ନୀରି ବ୍ୟବସାୟୀ ଜହୋର ୱାଟଲି ରହିଛନ୍ତି ବୋଲି ଏଜି କହିଛନ୍ତି । ସେହିପରି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ନୁହେଁ ବରଂ ପବ୍ଲିକ୍ ସେଫଟି ଆକ୍ଟରେ ଅଟକ ରଖାଯାଇଛି ବୋଲି କେନ୍ଦ୍ର କହିଛି । ଏଥିସହ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ଶ୍ରୀନଗର, ଅନନ୍ତନାଗ୍, ବରମୁଲ୍ଲା ଏବଂ ଜମ୍ମୁ ପରିଦର୍ଶନ କରିବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଏହି ସମୟରେ ଗୁଲାମ୍ ନବୀ ଆଜାଦ୍ କୌଣସି ରାଲି କି ମ୍ବା ରାଜନୀତିକ ଉଦ୍ଦେଶ୍ୟ ରଖି କାମ କରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ଏଗି ଗସ୍ତ ସମୟରେ ଆଜାଦ୍ ପର୍ଯ୍ୟଟନ ସ୍ଥଳୀ ଓ ଫଳ ଉତ୍ପାଦନ ବାବଦର ସ୍ଥିତି ବାବଦରେ ସମୀକ୍ଷା କରିବା ସହିତ ଲୋକଙ୍କ ସହିତ କଥା ହୋଇପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଗସ୍ତ ଶେଷ କରିବା ପରେ ଗୁଲାମ ନବୀ ସୁପ୍ରିମକୋର୍ଟରେ ତାଙ୍କ ଗସ୍ତ ବାବଦରେ ଏକ ସତ୍ୟପାଠ କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ