ଚାଲାଣ କାଟିବାରୁ ଯୁବତୀ ଦେଲେ ଆତ୍ମହତ୍ୟା ଧମକ
ନୂଆଦିଲ୍ଲୀ: ସେପ୍ଟେମ୍ବର ୧ରୁ ଦେଶରେ ଲାଗୁ ହୋଇଥିବା ନୂଆ ସଂଶୋଧିତ ମୋଟର ଯାନ ଆଇନକୁ ନେଇ ସାରା ଦେଶରେ ତର୍କବିତର୍କ ଚାଲିଛି । ବିଶେଷକରି ଜରିମାନା ପରିମାଣକୁ ଦେଖି ଲୋକଙ୍କ ମଧ୍ୟରେ ଅସନ୍ତାଷ ପ୍ରକାଶ ପାଇଛି । ଆଉ ଏହାକୁ ନେଇ ଅନେକ ଅପ୍ରୀତିକର ଘଟଣା ମଧ୍ୟ ଦେଖିବାକୁ ମିଳିଛି । ଗତ ଶନିବାର ଦିଲ୍ଲୀରେ ଟ୍ରାଫିକ ପୁଲିସକୁ ଏମିତି କିଛି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଚାଲାଣ କାଟିବାରୁ ଜଣେ ଯୁବତୀ ଆତ୍ମହତ୍ୟା ଧମକ ଦେଇଥିଲେ । ଶେଷରେ ସ୍ଥିତି ଏମିତି ହୋଇଥିଲା ଯେ ସେମାନେ ଯୁବତୀ ଜଣଙ୍କୁ ବିନା ଜରିମାନାରେ ଛାଡ଼ି ଦେଇଥିଲେ । ଶନିବାର ସକାଳେ ଦିଲ୍ଲୀର ଏହି ଯୁବତୀ ଜଣଙ୍କ ଅଫିସ୍ ଯାଉଥିବା ବେଳେ କଶ୍ମୀରି ଗେଟ୍ ନିକଟରେ ଟ୍ରାଫିକ ପୁଲିସ ତାଙ୍କୁ ଅଟକାଇଥିଲା । କାରଣ ସେ ଗାଡ଼ି ଚଲାଇବା ବେଳେ ମୋବାଇଲରେ କଥା ହେଉଥିଲେ । ତା ସହିତ ତାଙ୍କ ସ୍କୁଟିର ଆଗ ନମ୍ବର ପ୍ଲେଟ୍ ଭାଙ୍ଗିଯାଇଥିଲା । ଟ୍ରାଫିକ ପୁଲିସ ତାଙ୍କୁ ଅଟକାଇ ଚାଲାଣ କାଟିବା ପରେ ଯୁବତୀ ଜଣଙ୍କ ସେମାନଙ୍କ ସହିତ ଯୁକ୍ତିତର୍କ କରିଥିଲେ । ତେବେ ତାଙ୍କ କଥା ଟ୍ରାଫିକ୍ ପୁଲିସକୁ ପ୍ରଭାବିତ କରିନଥିଲା । ତେଣୁ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ତା ସହିତ ଯୁବତୀ ଜଣଙ୍କ ଜୋରରେ କାନ୍ଦିବା ସହ ପିନ୍ଧିଥିବା ହେଲମେଟକୁ ମଧ୍ୟ ଫିଙ୍ଗି ଦେଇଥିଲେ । ପାଖାପାଖି ୨୦ ମିନିଟ୍ ଧରି କଶ୍ମୀର ଗେଟ୍ ନିକଟରେ ଏହି ଡ୍ରାମା ଚାଲିବା ପରେ ଟ୍ରାଫିକ୍ ପୁଲିସ ବାଧ୍ୟ ହୋଇ ତାଙ୍କୁ ଛାଡ଼ି ଦେଇଥିଲା ।


