ଏସଏମଏସ ମାଧ୍ୟମରେ ଦିଆଯିବ ଟିକା

ଭୁବନେଶ୍ୱର,(ୱାଇଏନ୍ଏସ୍): ଦେଶରେ ହେଉଥିବା ନିର୍ବାଚନ ପ୍ରକ୍ରିୟା ପରି ହେବ କରୋନା ଟିକାକରଣ | ଟିକାକରଣ ପ୍ରକ୍ରିୟାରେ ଏସଏମଏସ, ଡିଜିଟାଲ ପ୍ରମାଣପତ୍ର ଭଳି ଡିଜିଟାଲ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛନ୍ତି ସରକାର | କେନ୍ଦ୍ର ନୀତି ଆୟୋଗ ଏହାର ସଦସ୍ୟ ଭି.କେ ପାଲଙ୍କ ନେତୃତ୍ୱରେ ଟିକା ପରିଚାଳନା ପାଇଁ ଏକ ଜାତୀୟ ବିଶେଷଜ୍ଞ କମିଟି ଗଠନ କରିଥିଲା। କରୋନା ଟିକା ପାଇଁ ଭାରତୀୟମାନେ ୨୦୨୧କୁ ଅପେକ୍ଷା କରିଥିବା ବେଳେ ବିଶେଷଜ୍ଞ କମିଟି ଟିକା ସଂରକ୍ଷଣ ଏବଂ ବିତରଣର ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛି । ଅଗ୍ରାଧିକାର ଭିତ୍ତିରେ ଦିଆଯିବାକୁ ଥିବା କରୋନା ଟିକା ହିତାଧିକାରୀଙ୍କ ତାଲିକା ପଠାଇବାକୁ କେନ୍ଦ୍ର ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି | ରାଜ୍ୟଠାରୁ ତାଲିକା ମିଳିବା ପରେ ହିତାଧିକାରୀଙ୍କ ସୂଚନା ଇଲେକ୍ଟ୍ରୋନିକ୍ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟୱାର୍କ (ଇଭିଏନ୍) ରେ ରଖାଯିବ | ଇଭିଏନ୍ ଟିକାର ଷ୍ଟକ୍, ପ୍ରବାହ, ଶୀତଳ ଭଣ୍ଡାର ଇତ୍ୟାଦି ଉପରେ ସୂଚନା ପ୍ରଦାନ କରିଥାଏ | ଏଥିରେ ପୂର୍ବରୁ ହିତାଧିକାରୀଙ୍କୁ ସୂଚନା ରଖାଯାଉ ନଥିବା ବେଳେ ଏବେ ଏହି ସୁବିଧା ଆଣିଛନ୍ତି ସରକାର | ନିର୍ବାଚନ ପରି ଟିକାକରଣ ପର୍ଯ୍ୟାୟକ୍ରମେ କରାଯିବ ଏବଂ ବିଦ୍ୟାଳୟଗୁଡିକୁ ବୁଥ୍ ଭାବରେ ବ୍ୟବହାର କରାଯିବ ବୋଲି ଜଣାପଡିଛି | ପ୍ରଥମ ପର୍ଯ୍ୟାୟରେ, ଆଗ ଧାଡ଼ିରେ ଥିବା ସ୍ୱାସ୍ଥ୍ୟସେବା ବିଶେଷଜ୍ଞଙ୍କ ସମେତ ପ୍ରାୟ ୩୦ ନିୟୁତ ଲୋକଙ୍କ ଟିକାକରଣ ଉପରେ ଭାରତ ଗୁରୁତ୍ୱ ଦେଇଛି। ପ୍ରାଥମିକ ଭାବେ ୫୦ରୁ ୭୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ, ୨ କୋଟି ପୁଲିସ କର୍ମଚାରୀ, ମୁନିସିପାଲ କର୍ମଚାରୀ ଓ ସେନା ବାହିନୀର ଯବାନ, ୨୬ କୋଟି ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଅଧିକ ସମ୍ବେଦନଶୀଳ ଲୋକଙ୍କୁ ଏହି ଟିକା ଦେବାକୁ ବ୍ୟବସ୍ଥା କରାଯାଉଛି । ସେମାନଙ୍କୁ ୬୦ କୋଟି ଟିକା ଦିଆଯିବାକୁ ଆକଳନ କରାଯାଇଛି । ହିତାଧିକାରୀଙ୍କୁ ସେମାନଙ୍କ ଟିକା ନେବାର ସମୟ, ତାରିଖ ଏବଂ ସ୍ଥାନ ବିଷୟରେ ସୂଚନା ପଠାଇବା ପାଇଁ ଏସଏମଏସ ସୁବିଧା ବ୍ୟବହାର କରିବାକୁ ମଧ୍ୟ ଚେଷ୍ଟା କରୁଛି ବିଶେଷଜ୍ଞ କମିଟି । ଏହା ସହ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଟିକା ଗ୍ରହଣ କରିବା ପରେ ଯଦି କୌଣସି ପ୍ରତିକୂଳ ପ୍ରଭାବ ନ ଦେଖାଯାଏ, ତେବେ ତାଙ୍କୁ ଏକ କ୍ୟୁଆର ଆଧାରିତ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ, ଯାହା ଡିଜିଲକରରେ ରହିପାରିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ