ଆଚରଣ ବିଧି ଉଲ୍ଲଂଘନ ମାମଲାରେ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି
ବାଲେଶ୍ଵର,(ଓ୍ବାଇଏନ୍ଏସ୍) : ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ ଉପନିର୍ବାଚନ ପ୍ରଚାର ଅଭିଯାନ ଜୋର ଧରିଥିବା ବେଳେ ଶାସକ ଦଳ ତରଫରୁ ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରାଯାଉଛି l ଖୋଦ୍ ବିଜେଡି ପ୍ରାର୍ଥୀଙ୍କ ଅନୁମତି ବିହୀନ(OD 22R 0001) ଫୋର୍ଡ଼ ଏଣ୍ଡଭ୍ୟୁର ଗାଡ଼ିରେ ପ୍ରଚାର କରୁଥିବାର ନଜିର୍ ସାର୍ଥା ପଞ୍ଚାୟତରେ ଏକ ରୋଡ଼-ଶୋ ସମୟରେ ଦେଖିବାକୁ ମିଳିଥିଲା l ଏହା ଜନପ୍ରତିନିଧି ଆଇନ ୧୯୫୧ର ଧାରା ୧୩୩ ଖୋଲାଖୋଲି ଉଲ୍ଲଂଘନ ବୋଲି ବିଜେପି ଦାବି ଜଣାଇଛି lକେବଳ ସେତିକି ନୁହେଁ ଚାନ୍ଦିପୁର ଥାନା ଆଇଆଇସିଙ୍କ କାର୍ଯ୍ୟକଳାପ ଉପରେ କଡା ପ୍ରଶ୍ନ ଉଠାଇଛି ବିଜେପି l ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ଗୋଟିଏ ଥାନାର ଭାରପ୍ରାପ୍ତ ଅଧିକାରୀ ଥିବା ବେଳେ ନିଜ ଥାନାରେ ରହି କାମ କରିବା ପରିବର୍ତ୍ତେ , ସେ ଉପନିର୍ବାଚନ ସମୟରେ ନିଜ ଅଂଚଳ ଛାଡି ନୋସି ବିଜନେସ ପାର୍କ ଭିତରେ ଥିବା ଗେଷ୍ଟ ହାଉସରେ ଡେରା ପକାଇଥିବା , ବିଜେଡି ନେତାଙ୍କ ପାଖରେ ଚକ୍କର କାଟୁଥିବା ଓ ସେମାନଙ୍କ ସହ ବୁଲୁ ଥିବାର ଦେଖିବାକୁ ମିଳିଛି l ନିର୍ବାଚନ ସମୟରେ ଜଣେ ଆଇଆଇସି ନିଜ ଏରିଆ ଛାଡି ନିର୍ବାଚନ ପ୍ରଚାର କରୁଥିବା ଶାସକ ଦଳ ନେତାଙ୍କ ସହ କଣ କରୁଛନ୍ତି ଓ ତାଙ୍କୁ ଏହି ବିଶେଷ ଦାୟିତ୍ବ ଦିଆଯାଇଛି କି ବୋଲି ବିଜେପି ପ୍ରଶ୍ନ କରିବା ସହିତ ଏଭଳି ଦାୟିତ୍ୱହୀନତା ପାଇଁ ଉକ୍ତ ଅଧିକାରୀଙ୍କୁ କାର୍ଯ୍ୟରୁ ତୁରନ୍ତ ଅନ୍ତର କରିବା ଏବଂ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ଦାବି କରିଛି lସେହିପରି ମତଦାନ ଦିନ ସମସ୍ତ ଭୋଟ କେନ୍ଦ୍ରରେ ଭୋଟ କାଷ୍ଟିଙ୍ଗ ରିପୋର୍ଟ ସଂଗ୍ରହ ପାଇଁ ବୁଥ ଏଜେଣ୍ଟ ମାନଙ୍କୁ ଫର୍ମ ୧୭ସି ଯୋଗାଇ ଦେବାକୁ ବିଜେପି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି l ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଏଥିନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ l ଏହି ଟିମ ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମୁରଲୀ ଶର୍ମା , ଶ୍ରୀମତୀ ସୁଷମା ବିଶ୍ୱାଳ, ଶ୍ରୀନିବାସ ଓ ବିଭୁପଦ ଦାସ ସାମିଲ ଥିଲେ l ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଓ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଶାସକ ଦଳକୁ ସୁହାଇଲା ଭଳି ବେଆଇନ କାର୍ଯ୍ୟର ତୁରନ୍ତ ଅନୁସନ୍ଧାନ କରି ନିର୍ବାଚନ ପୂର୍ବରୁ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଏହି ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି l


