କେକେଆର୍କୁ କାଟିଲେ ଜାଦେଜା, ଶେଷ ୨ ବଲ୍ ଛକା
ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ଆଇପିଏଲ୍-୧୩ରେ ରୋମାଞ୍ଚ ସରିନାହିଁ। ଗୁରୁବାର ଆଉ ଏକ ଅନ୍ତିମ ବଲ୍ ଉତ୍କଣ୍ଠାରେ ବାଜି ମାରି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ନାଟକୀୟ ଭାବେ ୬ ୱିକେଟ୍ରେ ହରାଇଛି ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ)। ଉତ୍ଥାନ ପତନ ଓ ଘଟଣା ବହୁଳ ଏହି ମୁକାବିଲା ଅଷ୍ଟାଦଶ ଓଭର ପର୍ଯ୍ୟନ୍ତ ଏକପ୍ରକାର କୋଲକାତା କବ୍ଜାରେ ଥିଲା। ହେଲେ ଶେଷ ଦୁଇ ଓଭରରେ ଚେନ୍ନାଇ ସୁବିକଛି ବଦଳାଇ ଦେଇଥିଲା। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା (୩୧* ରନ୍, ୧୧ ବଲ୍, ୨ ଚୌକା, ୩ ଛକା) ହିଁ ନିଜ ବିସ୍ଫୋରକ ରୂପରେ କୋଲକାତା ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ । ବିଜୟ ପାଇଁ ଚେନ୍ନାଇକୁ ଆଜି ଶେଷ ୧୨ ବଲ୍ରୁ ୩୦ ରନ୍ ଦରକାର ଥିଲା। ପିଚ୍ ମଧ୍ୟ ବୋଲରଙ୍କୁ ସୁହାଉଥିଲା। କଠିନ ପରିସ୍ଥିତିରେ ଜାଦେଜା ଧମାକାଦାର ବ୍ୟାଟିଂ କରି ଚତୁରତାର ସହ ପ୍ରଥମେ ଚେନ୍ନାଇ ପଲ୍ଲା ଭାରି କରିଥିଲେ ଏବଂ ପରେ ବିଜୟ ରେଖା ପାର କରାଇଥିଲେ। ଗୁରୁତ୍ବପୂର୍ଣ୍ଣ ଊନ୍ନବିଂଶ ଓଭରର ଚତୁର୍ଥ ବଲ୍ରେ ଲୋକି ଫର୍ଗୁସନ ନୋ’ ବଲ୍ ପକାଇବା କୋଲକାତା ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏହିଠାରୁ ହିଁ ମ୍ୟାଚ୍ର ମୋଡ଼ ବଦଳି ଯାଇଥିଲା। ଫ୍ରି-ହିଟ୍ରୁ ଛକା ସହ ଏହି ଓଭରରୁ ୨୦ ରନ୍ ଅମଳ କରିଥିଲେ ଜାଦେଜା। ଫଳରେ କମଲେଶ ନାଗରକୋଟୀଙ୍କ ବିଂଶତମ ଓଭରରୁ ବିଜୟ ପାଇଁ ଚେନ୍ନାଇକୁ ୧୦ ରନ୍ର ଦରକାର ଥିଲା। ତାଙ୍କ ପ୍ରଥମ ୪ ବଲ୍ରୁ ଜାଦେଜା ଓ ସାଥୀ ସାମ୍ କରନ (୧୩ ରନ୍, ୧୪ ବଲ୍, ୧ ଚୌକା) ୩ ରନ୍ ନେଇଥିଲେ। ତେବେ ଚତୁର୍ଥ ଓ ପଞ୍ଚମ ବଲ୍କୁ ଛକାରେ ରୂପାନ୍ତର କରି ଜାଦେଜା ଷ୍ଟାଇଲ୍ରେ ବିଜୟ ମୁଣ୍ଡି ମାରିଥିଲେ। ଏହି ବିଜୟ ପରେ ପ୍ଲେ ଅଫ୍ରୁ ବାଦ ପଡ଼ି ସାରିଥିବା ଚେନ୍ନାଇ ୧୩ ମ୍ୟାଚ୍ରୁ ପଞ୍ଚମ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ସେହି ୧୩ ମ୍ୟାଚ୍ରୁ ସପ୍ତମ ପରାଜୟ ବରଣ କରିଥିଲା କୋଲକାତା।


