ଖଣିରେ ପୁନଃ ନିଯୁକ୍ତି ଦାବି କରି ଶ୍ରମିକ ସଂଘ ପକ୍ଷରୁ ଧାରଣା

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଖଣିମଣ୍ଡଳର ଟଣ୍ଟୋ ଠାରେ ଥିବା ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀର  ଲୌହଖଣିରେ ପୂର୍ବରୁ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ନୂତନ ଖଣିରେ ପୁନଃ ନିଯୁକ୍ତି ଦାବି କରି କେନ୍ଦୁଝର ମାଇନିଂ ଫରେଷ୍ଟ ୱର୍କରସ ୟୁନିୟନ (କେଏମଏଫଡବ୍ଲୁ) ଶ୍ରମିକ ସଂଘ ପକ୍ଷରୁ ରବିବାର ସକାଳ ପ୍ରାୟ ୧୦ଟା ସମୟରେ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିବା ଖବର ହସ୍ତଗତ ହୋଇଛି । ଶ୍ରମିକ ସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜଣାପଡିଛି ଯେ ଭଦ୍ରାସାହି ଠାରେ ଥିବା କେ.ଏନ.ରାମ ଖଣିକୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ନେଇଛି । ପୂର୍ବରୁ କେ.ଏନ.ରାମ ଖଣିରେ ପୂର୍ବରୁ ୩୦୦ରୁ ଉର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାରଙ୍କ ଖଣି ନିଲାମ ପ୍ରକ୍ରିୟାରେ ଏହି ଖଣି ନୂତନ ଲିଜଧାରୀ ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ହାତକୁ ଆସିବା ପରେ କାର୍ଯ୍ୟରତ ଥିବା ଶ୍ରମିକ ମାନେ ଛଟେଇ ହୋଇ ବେରୋଜଗାର ହୋଇ ବସିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ନିଯୁକ୍ତିକୁ ନେଇ କୌଣସି ସର୍ତ୍ତାବଳୀ କିମ୍ବା ଗାଇଡଲାଇନ ପ୍ରସ୍ତୁତ କରାଯାଇନଥିବାରୁ ନୂତନ ଭାବେ ଖଣି ହାତେଇଥିବା ଲିଜଧାରୀ ମାନେ ପୂର୍ବରୁ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ନିଯୁକ୍ତି ପ୍ରତି ଆଦୌ ଦୃଷ୍ଟି ଦେଉନାହାଁନ୍ତି । ଯାହାଫଳରେ ଶହ ଶହ ଶ୍ରମିକ ଅଞ୍ଚଳରେ ବେରୋଜଗାର ହୋଇ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି । ଏହି ପରିପ୍ରେକ୍ଷୀରେ ଉକ୍ତ କେ.ଏନ.ରାମ ଖଣିକୁ ହାତେଇଥିବା ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ନଭେମ୍ବର ୧ ତାରିଖ ରବିବାର ଠାରୁ ନିଜର ଖଣିକାର୍ଯ୍ୟ ଆରମ୍ଭ କରିଛି । ହେଲେ ସ୍ଥାନୀୟ ପୂର୍ବରୁ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ନିଯୁକ୍ତିକୁ ଅଣଦେଖା କରୁଥିବାରୁ ଶ୍ରମିକ ସଂଘ ପକ୍ଷରୁ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି କରି ଶତାଧିକ ମହିଳା ଓ ପୁରୁଷ ଧାରଣାରେ ବସିଛନ୍ତି । କେଏମଏଫଡବ୍ଲୁ ୟୁନିୟନର ସମ୍ପାଦକ କପିଳ ମହାନ୍ତିଙ୍କ ନେତୃତ୍ୱରେ ରାଜେନ୍ଦ୍ର ମାଟିଆ, ତପନ ବାରିକ, କାହ୍ନୁ ଦଳବେହେରାଙ୍କ ସମେତ ଅନ୍ୟମାନେ ଏହି ଧାରାଣାରେ ବସିରହିଛନ୍ତି । ଏହି ଧାରଣା ଦେବାର ଘନ୍‌ଟା ଘନ୍‌ଟା ସମୟ ବିତିଯାଇଥିଲେ ହେଁ ଧାରଣାସ୍ଥଳକୁ ଏହାର ସମାଧାନ ପାଇଁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଖଣି କର୍ତ୍ତୃପକ୍ଷ ଆସିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶ୍ରମିକ ମାନେ ଧାରଣାରେ ବସିବେ ବୋଲି ଶ୍ରମିକ ନେତା କପିଳ ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ