ଭବିଷ୍ୟତ ଗଢିଲେ, ପାରିଶ୍ରମିକ ପାଇଲେନି; ଚିନ୍ତାରେ କନ୍ଧମାଳର ୧୫୭୦ ଟ୍ୟୁସନ୍‍ କେନ୍ଦ୍ରର ଶିକ୍ଷକ ଓ ଶିକ୍ଷୟିତ୍ରୀ

 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅନୁଷ୍ଠାନ ନିୟମ ମାନି ପାଠ ପଢାଇଲେ। କିଛିମାସ ପାରିଶ୍ରମକ ମଧ୍ୟ ପାଇଲେ। କିନ୍ତୁ ପରବର୍ତ୍ତୀ ସମୟରେ ଆଉ ପାରିଶ୍ରମିକ ପାଇଲେନି। ଦୀର୍ଘ ମାସକାଳ ପାଠ ପଢାଇବା ବାବଦ ପାରିଶ୍ରମିକ ନପାଇ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଘୋର ଚିନ୍ତାରେ ରହିଛନ୍ତି । ଏପରି  ଏକ ଅଭିଯୋଗ ହୋଇଛି କନ୍ଧମାଳ ଜିଲାରୁ । ଦିଲ୍ଲୀସ୍ଥିତ ପ୍ରୟାସ ନାମରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ କନ୍ଧମାଳ ଜିଲାର ପ୍ରତ୍ୟେକ ବ୍ଲକରେ ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ଟ୍ୟୁସନ ଜରିଆରେ ପିଲାଙ୍କୁ ପାଠ ପଢାଇବା ଏବଂ ସେଥିପାଇଁ ମାସିକ ୧୫୦୦ ଟଙ୍କା ବେତନ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଜିଲାର ୧୫୭୦ଟି କେନ୍ଦ୍ରରେ ଘରୋଇ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହାକୁ ତଦାରଖ କରିିବା ପାଇଁ ମଧ୍ୟ ନିୟୋଜିତ ହୋଇଥିଲେ ଜଣେ ଜିଲା ଅଧିକାରୀ, ୮ ଜଣ ବ୍ଲକ ଅଧିକାରୀ ଓ ୩୩ ଜଣ ସୁପରଭାଇଜର। ଗାଁ ଗାଁ ବୁଲି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଟ୍ୟୁସନ କରିବାକୁ ଜଣେ ଜଣେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ନିୟୋଜିତ ହୋଇଥିଲେ । ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ଗ୍ରାମବାସୀଙ୍କ ଦ୍ୱାରା ବଛାଯାଇଥିଲା। ଏଭଳି ଭାବେ ଜିଲାରେ ୧୫୭୦ଟି କେନ୍ଦ୍ର ସୃଷ୍ଟି କରାଯାଇଥିଲା। ଏଥିରେ ୪୯ ହଜାର ୭୦୯ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦିଆଯାଉଥିଲା। ପ୍ରଥମରୁ ମାଗଣା କୁହାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସଂସ୍ଥାର ବିବରଣୀ ପତ୍ରିକା ପ୍ରକାରେ ଶିକ୍ଷା ଗ୍ରହଣ କରୁଥିବା ବିପିଏଲ୍‍ ପିଲାଙ୍କଠାରୁ ମାସିକ ୬୮ ଟଙ୍କା ଓ ଏପିଏଲ୍‍ ପିଲାଙ୍କ ଠାରୁ ମାସିକ ୭୨ ଟଙ୍କା ଆଦାୟ ପାଇଁ କୁହାଯାଇଥିଲା। ଏହି ପ୍ରକଳ୍ପ ଜିଲାରେ ୫ ବର୍ଷ ପର୍ଯ୍ୟନ୍ତ  ଚାଲିବ ବୋଳି କୁହାଯିବାରୁ ଶହଶହ ସଂଖ୍ୟାରେ ଶିକ୍ଷିତ ଯୁବକ ଓ ଯୁବତୀ କିଛି ରୋଜଗାର ଆଶାରେ ଟ୍ୟୁସନରେ ନିୟୋଜିତ ହୋଇଥିଲେ। ଏହାସହ ଛାତ୍ରଛାତ୍ରୀଙ୍କ ଠାରୁ ମଧ୍ୟ ମାସିକ ଫି’ ଆଦାୟ କରି ତାହାକୁ ଅନୁଷ୍ଠାନର ଆକାଉଣ୍ଟରେ ଜମା କରିଥିଲେ। ଅନୁଷ୍ଠାନ ପକ୍ଷରୁ ନିୟୋଜିତ ଜିଲା ଅଧିକାରୀ ଓ ସର୍କଲ ମୁଖ୍ୟଙ୍କ ଜରିଆରେ ୩୩ ଲକ୍ଷ ୮୦ ହଜାର ୨୧୨ ଟଙ୍କା ଜମା କରାଯାଇଥିବା ଜିଲାପାଳଙ୍କୁ ଦିଆଯାଇଥିବା ଏକ ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଟ୍ୟୁସନରେ ପଢୁଥିବା ପିଲାଙ୍କୁ ମାଗଣା ଚିକିତ୍ସା ସେବା ସହ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବାକୁ ପ୍ରସ୍ତାବ ରହିଥିଲା। ଏହାସହ ଖାଇବା ପାଇଁ ଚକୋଲେଟ୍‍ ଓ ବିସ୍କୁଟ୍‍ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ଯାହାକି କେବଳ ଗୋଟିଏ ମାସ ଦିଆଯାଇଥିଲା। ସେହିଭଳି ବ୍ଳକ ଅଫିସରଙ୍କୁ ମାସିକ ୧୪ ହଜାର ଟଙ୍କା, ସୁପରଭାଇଜରଙ୍କୁ ମାସିକ ୯ ହଜାର ଏବଂ ପ୍ରତ୍ୟେକ କେନ୍ଦ୍ରରେ ନିୟୋଜିତ ହୋଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମାସିକ ୧୫୦୦ ଟଙ୍କା ବେତନ ଦେବାକୁ ସ୍ଥିର ହୋଇଥିଲା। ପ୍ରଥମ ମାସରେ ଏହା ଠିକ୍‍ ଠାକ୍‍ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆଉ ଜଣେ ବି କର୍ମଚାରୀ ଟଙ୍କାଟିଏ ପାଇ ନାହାନ୍ତି। କିନ୍ତୁ ଛାତ୍ରଛାତ୍ରୀଙ୍କ ଠାରୁ ମାସିକ ଟଙ୍କା ଆଦାୟ କରାଯାଉଛି। କରୋନା ପାଇଁ ଲକ୍‍ଡ଼ାଉନ୍‍ ଓ ସଟ୍‍ଡ଼ାଉନ୍‍ ସମୟରେ ମଧ୍ୟ କେତେକ ଚାକିରି ଚାଲିଯିବା ଭୟରେ ଲୁଚାଛପାରେ ଶିକ୍ଷାଦାନ ଚଳାଇଥିଲେ। କରୋନା ଯୋଗୁ ବର୍ତ୍ତମାନ ସମସ୍ତ କେନ୍ଦ୍ର ବନ୍ଦ ହୋଇଥିଲେ ମଧ୍ୟ ଗତ ଦିନରେ କରିଥିବା କାମ ବାବଦକୁ ପାରିଶ୍ରମିକ ମାଗି ମାଗି ଥକିଗଲେଣି, ୧୫୭୦ ଜଣ ଶିକ୍ଷିତ ଯୁବକ ଓ ଯୁବତୀ ଓ ଜିଲାରେ ଏହି ଦାୟିତ୍ୱ ତୁଲାଇବା ପାଇଁ ନିୟୋଜିତ ହୋଇଥିବା ୪୨ ଜଣ କର୍ମଚାରୀ। ଅଭିଯୋଗ ସମ୍ପର୍କରେ କନ୍ଧମାଳ କେନ୍ଦ୍ରର ମୁଖ୍ୟ ଦାୟିତ୍ୱରେ ଥିବା ଜିତେନ୍ଦ୍ର ସାମଲଙ୍କୁ ଫୋନରେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇ ଥିଲେ ମଧ୍ୟ ସେ ଫୋନ୍‍ ଉଠାଇନଥିଲେ। ରାଜ୍ୟ ମୁଖ୍ୟ ଦାୟିିତ୍ୱରେ ଥିବା ଆଶୁତୋଷ ଦାସଙ୍କ ସହିତ ଯୋଗାଯୋଗ କରାଯିବାରୁ ସେ ମଧ୍ୟ ଦରମା ପାଇନଥିବା ପ୍ରକାଶ କରିଥିଲେ। ଏନେଇ ସେ ପ୍ରକଳ୍ପ ଦାୟିତ୍ୱରେ ଥିବା ଦିଲ୍ଲୀସ୍ଥିତ ବଲ୍ଲବ ପାଣ୍ଡେ ଓ ଏଚ୍‍.ଆର୍‍ ଦାୟିତ୍ୱରେ ଥିବା ମୋହନ ଉପାଧ୍ୟାୟଙ୍କୁ ମଧ୍ୟ ଅବଗତ କରିଥିବାର ସୂଚନା ଦେଇଛନ୍ତି। ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀ ସହିତ ଆଲେଚାନା ପରେ ଆସନ୍ତା ୬୦ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ