ପ୍ରାଚୀନ ଜାଗମଠର ପ୍ରଚାର ପାଇଁ ଅଂଟାଭିଡିଲା ଓଡିଶା ଜନସେବା ସଂଗଠନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜନସେବା ସଂଗଠନର ରାଜ୍ୟ ସଭାପତି ଶୋଭନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସଂଗଠନର ଏକ ପାଂଚଜଣିଆ ପ୍ରତିନିଧି ଦଳ ଭାଗବତପୁର ପଂଚାୟତର ବଣହରାସ୍ଥିତ ଐତିହାସିକ ତଥା ବହୁ ପୁରାତନ ଜାଗମଠକୁ ପରିଦର୍ଶନ କରିବା ସହିତ ଜାଗମଠ ଉନ୍ନୟନ ପରିଷଦ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ମଠ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଜାଗମଠ ପ୍ରତି ପ୍ରଶାସନିକ ଅବହେଳାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକଟ କରିଛନ୍ତି । ଏଥିସହିତ ଏହାର ଉନ୍ନତିକରଣ ଏବଂ ପ୍ରଚାର ପ୍ରସାର କିପରି ହୋଇପାରିବ ସେଥିନିମନ୍ତେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ନେଇ ସଂଗଠନ ସହିତ ମିଳିତ ଯୋଜନା ପ୍ରସ୍ତୁତ କରିଛନ୍ତି । ସୂଚନା ଯୋଗ୍ୟ ଯେ ଏହି ଜାଗମଠରେ ପ୍ରାୟ ୨୫୦ବର୍ଷ ହେଲାଣି ନିର୍ବିଘ୍ନ ଭାବେ ପ୍ରତ୍ୟେକ ବର୍ଷ ଶ୍ରୀରାମ ନବମୀ ଦିନ ଯଜ୍ଞ ହୋଇଆସୁଛି । ଏହି ଯଜ୍ଞରେ ଜଂଟିଲୋ, ବଡଗାଁ, ସାନଗାଁ ସମେତ ଆଖପାଖ ଗ୍ରାମ ଗୁଡିକରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସମବେତ ହୋଇଥାନ୍ତି । ଏହାଛଡା ଏହି ପ୍ରାଚୀନ ମଠଟିର ଏକ ନିଆରା ଇତିହାସ ମଧ୍ୟ ରହିଛି । ଏହି ସ୍ଥାନରେ ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା’ଲକ୍ଷ୍ମୀ,ଭଗବାନ ଶ୍ରୀରାମ ଓ ମାତା ସୀତାଙ୍କ ରୂପରେ ପୂଜା ପାଉଥିବା ବେଳେ ପ୍ରଭୁ ଶ୍ରୀବଳଦେବଜୀଉ ଶ୍ରୀ ଲକ୍ଷ୍ମଣଙ୍କ ରୂପରେ ପୁଜା ପାଇଥାନ୍ତି । ଏଭଳି ଅନନ୍ୟ ଇତିହାସ ସାରା ଭାରତବର୍ଷରେ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ ବୋଲି କୁହାଯାଏ । ଲୋକକଥା ଅନୁସାରେ ସନ୍ଥ ଶ୍ରୀରାମାନୁଜଙ୍କ ବଂଶଧର ଏହି ମଠ ସ୍ଥାପନ କରିଥିବାରୁ ଏହାକୁ ରାମାହୁତି ମଠ ମଧ୍ୟ କୁହାଯାଏ । ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ଗଠିତ ଜଗନ୍ନାଥ ସେନା ଏହି ମଠଟିର ରକ୍ଷଣାବେକ୍ଷଣ ଦାୟୀତ୍ୱ ହାତକୁ ନେଇଥିବା ବେଳେ ବିନା ସରକାରୀ ଅନୁଦାନରେ ଗ୍ରାମବାସୀ ମିଳିତ ଭାବରେ ମଠ ପରିସରରେ ଏକ ମନ୍ଦିର ମଧ୍ୟ ନିର୍ମାଣ କରୁଛନ୍ତି । ଏଭଳି ପ୍ରାଚୀନ ଧାମକୁ ପ୍ରଶାସନ ଗୁରୁତ୍ୱ ଦେଉନଥିବା ରୁ ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିବାକୁ ସଂଗଠନର ସଭାପତି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଏହି ଆଲୋଚନାରେ ବିକାଶ ସ୍ୱାଇଁ, ଶ୍ରୀକାନ୍ତ ବାରିକ, ମନୋଜ ବେହେରା, ଜାଗମଠ ଉନ୍ନୟନ ପରିଷଦର ସଭାପତି ଅଶ୍ୱିନୀ ମିଶ୍ର, ଦେବକୀନନ୍ଦନ ମିଶ୍ର, କାଳନ୍ଦି ବେହେରା, ପିତାମ୍ବର ମିଶ୍ର, ବିଷ୍ଣୁ ଚରଣ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ