ହାଡଫୁଟି ଆକ୍ରାନ୍ତରେ ଗ୍ରାମବାସୀ
ନବରଙ୍ଗପୁର,( ଯୁଗାବ୍ଦ ନ୍ୟୁଜ୍) ହାଡଫୁଟି ଆକ୍ରାନ୍ତରେ ଗ୍ରାମବାସୀ । ଘଟଣା ସ୍ଥଳରେ ଥରେ ନାମକୁ ମାତ୍ର ଗ୍ରାମକୁ ମୁହଁମାରି ଫେରିଛନ୍ତି ଡାକ୍ତର ଦଳ । ଗ୍ରାମ ଗୁଣିଆଁ ଉପରେ ନିର୍ଭର ଗ୍ରାମବାସୀ । ନିକଟସ୍ଥ ଲଦି ଗ୍ରାମରୁ ସକାଳେ ସନ୍ଧ୍ୟାରେ ଗୁଣିଆଁ ଗ୍ରାମକୁ ଯାଇ ଆକ୍ରାନ୍ତ ହୋଇଥିବା ରୋଗୀମାଙ୍କୁ ଝଢା ଫୁଙ୍କାରେ ଚାଲିଛି ଘରେଇ ଉପଚାର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତର ହାତିବାରୀ ଗ୍ରାମରେ । ଏହି ଗ୍ରାମରେ ବହୁ ବର୍ଷ ହେବ ୪୦ଟି ପରିବାର ବସବାସ କରି ଆସୁଛନ୍ତି । ଗତ କିଛି ଦିନ ତଳେ ଗ୍ରାମର ଅଧିକାଂଶ ଲୋକ ହାଡଫୁଟି ରୋଗର ଶିକାର ହୋଇ ଗୁଣିଆଁର ଝଡା ଫୁଙ୍କରେ କମିଯାଇଥିବା ଗ୍ରାମବାସୀ କହିଥିବା ବେଳେ ବର୍ତ୍ତମାନ ଗ୍ରାମର ୧୭ ଜଣଙ୍କୁ ପୁଣି ହାଡଫୁଟି ରୋଗ ଆକ୍ରାନ୍ତ ହୋଇଛନ୍ତି । ଏହି ରୋଗ ଧୀରେ ଧୀରେ ଗ୍ରାମରେ ବ୍ୟାପି ବାରେ ଲାଗିଥିବା ବେଳେ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିସେଧକ ବ୍ୟବସ୍ଥା କରାଯାଉ ନ ଥିବା ଗ୍ରାମବାସୀ ପକ୍ଷରୁ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଭିତ୍ତିହୀନ ଦର୍ଶାଇ ବାକୁ ଯାଇ ନାମକୁମାତ୍ର ଏକ ମେଡିକାଲ ଟିମ ଗତକାଲି ଉକ୍ତ ଗ୍ରାମକୁ ଯାଇ ଔଷଧ ବଣ୍ଟନ କରିଥିବା ଗ୍ରାମବାସୀ କହିଛନ୍ତି । ତେଣୁ ଲୋକେ ଆଜି ମଧ୍ୟ ଗୁଣିଆର ସାହାରା ନେଇ ଝଡ଼ାଫୁଙ୍କା କରୁଥିବାରୁ ଦେଖିବାକୁ ମିଳିଛି । ଅନ୍ୟପଟେ କିନ୍ତୁ ଗ୍ରାମର ସ୍ୱାସ୍ଥ୍ୟ କର୍ମୀ ସେଠାରେ ରହୁନଥିବା ସହ ଗ୍ରାମକୁ ମାସକୁ ଥରେ ଆସି ଚାଲି ଯାଉଥିବା ଜଣାପଡିଛି । ସ୍ୱାସ୍ଥ୍ୟ କର୍ମୀ ନଥିବାରୁ ପ୍ରାଥମିକ ଚିକିତ୍ସା ବଦଳରେ ଗ୍ରାମବାସୀ ଗୁଣିଆ ଉପରେ ବର୍ଷତମାମ ନିର୍ଭର କରିଆସୁଛନ୍ତି । ଏହି ବିଷୟରେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ହାତିବାରୀ ଗ୍ରାମରେ ହାଡଫୁଟି ରୋଗର ଆକ୍ରାନ୍ତକୁ ସ୍ୱୀକାର କରିଥିବା ବେଳେ ଘଟଣାକୁ ନେଇ ତୀକ୍ଷ୍ଣଣ ନଜର ରଖାଯାଇଛି ବୋଲି କହିବା ସହିତ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀ ବିରୋଧରେ କାର୍ଯ୍ୟ ଅବହେଳା ଅଭିଯୋଗକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସୂଚନା ଦେଇଛନ୍ତି ।