ବାଲ୍ୟ ବିହାହକୁ ରୋକିବା ପାଇଁ ଟାସ୍କ ଫୋର୍ସ ଗଠନ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ସ୍ଥିତ ବ୍ଲକ ସଭା ଗୃହ ଠାରେ ବାଲ୍ୟ ବିବାହକୁ ରୋକିବାପାଇଁ ବ୍ଲକସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ସ୍ଥାନୀୟ ସିଡିପିଓ ତେରେସ୍କୋଭା ମଲ୍ଲିକଙ୍କ ଆହ୍ୱାନରେ ଏ.ବି.ଡି.ଓ. ପୀତାମ୍ବର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇ ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାର ଅରୁଣ କୁମାର ତ୍ରିପାଠୀ, ଡ. ସବୀର କୁମାର ମଲ୍ଲ, ବି.ଇ.ଓ. ମନୋରଂଜନ ସେଠୀ, ଏସ୍‌.ଆଇ. କୃଷ୍ଣ ଚନ୍ଦ୍ର ମଲ୍ଲିକ ପ୍ରମୁଖ ମଞ୍ଚାସୀନଥିଲେ । ବୈଠକରେ ବାଲ୍ୟ ବିବାହ ଏବଂ ତାର କାରଣ ଆଲୋଚନା ହୋଇଥିଲା । ବାଲ୍ୟ ବିବାହ ଯୋଗୁଁ ବିଶେଷ କରି କିଶୋରୀ ବାଳିକାମାନେ ଅପପୃଷ୍ଟି ଓ ରକ୍ତହୀନତା ସହ କମ ଓଜନର ଛୁଆ ଜନ୍ମ ଦେବା ସହ ଶିଶୁ ଓ ମାତୃ ମୃତ୍ୟୁ ହାର ବୃଦ୍ଧି ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ବ୍ଲକସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇ ବିଭିନ୍ନ ବିଭାଗ ଗୁଡିକୁ ଜଡିତ କରାଇବା ସହ ଲୋକଙ୍କୁ ସଚେତନ କରିବାପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ବାଲ୍ୟ ବିବାହକୁ କିପରି ବନ୍ଦ କରାଯିବ ତାହା ଉପରେ ଯୋଜନା ପ୍ରସ୍ତୁତି କରିବା, ଉଦ୍ଧାର ହୋଇଥିବା ଝିଅ ପାଇଁ ଆବଶ୍ୟକୀୟ ଥଇଥାନ ବ୍ୟବସ୍ଥା, ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା । ବାଲ୍ୟ ବିବାହ ସ୍ଥିତି ଉପରେ ଏକ ସର୍ଭେ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଦିନରେ ପ୍ରତି ଗ୍ରାମକୁ କିପରି ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯିବ ତାହା ଉପରେ ମଧ୍ୟ ଖସଡା ପ୍ରସ୍ତୁତ କରାଯାଇଛି । ୟୁ.ଏନ୍‌.ଏଫ୍‌.ପି.ର ଜିଲ୍ଲା ପ୍ରତିନିଧି ସଂଜୁକ୍ତା ତ୍ରିପାଠୀ, ଆକ୍ସନ ଏଡ୍‌ର ପ୍ରତିନିଧି ପ୍ରବୋଧ ନାୟକଙ୍କ ସମେତ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ