ଦ୍ୱିଭାଷୀ ଅଞ୍ଚଳ କୃଷକଙ୍କ ଏକ ଭିନ୍ନ ପରମ୍ପରା ;ଗଜପତିରେ ଉତ୍ତମ ଧାନ ଅମଳ ପାଇଁ ଗୌରୀଆମ୍ମା ପୂଜା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ତେଲୁଗୁ ଓ ଓଡିଆ ସଂପ୍ରଦାୟର ଦ୍ୱିଭାଷୀ ଚାଷୀ ଉତ୍ତମ ଧାନ ଅମଳ ପାଇଁ ବହୁ ପୁରାତନ କାଳରୁ ଏକ ଭିନ୍ନ ପରମ୍ପରାରେ ପୂଜାବିଧି ପାଳନ କରି ଆସୁଛନ୍ତି । ଏହାକୁ ଗୌରୀଆମ୍ମା ପୂଜା ବା ନନ୍ଦିଆମ୍ମା ପୂଜା କୁହାଯାଏ । ପାରଳାଖେମୁଣ୍ଡି ସହର ସମେତ କାଶୀନଗର ଓ ଗୋଷାଣୀ ବ୍ଲକର ବିଭିନ୍ନ ଗ୍ରାମରେ ଦ୍ୱିଭାଷୀ ଚାଷୀଙ୍କ ଠାରେ ଏହି ପୂଜା ପରମ୍ପରା ପାଳିତ ହୋଇ ଆସୁଛି । ପାରଳାଖେମୁଣ୍ଡି ସହରର ବିଭିନ୍ନ ଅଞ୍ଚଳରେ, କାଶୀନଗର ବ୍ଲକର କାଶୀନଗର, ହାଡୁଭାଙ୍ଗି, କେ.ସୀତାପୁର, ଭିସ୍ତଳା ଆଦି ସହ ଗୋଷାଣୀ ବ୍ଲକର ଅଗରଖଣ୍ଡି, ମାଛମରା, ଶରଧାପୁର, ଭୁଷୁକୁଡି ଆଦି ଗ୍ରାମ ମାନଙ୍କରେ ନନ୍ଦିଆମ୍ମା ଠାକୁରାଣୀଙ୍କ ଯାତ୍ରା ପାଳନ ହୋଇଛି । ଧାନ ଅମଳ ପୂର୍ବରୁ ଏହି ସ୍ଥାନରେ ସ୍ଥାନୀୟ କୃଷକ ମାନଙ୍କ ଏହା ଏକ ମୁଖ୍ୟ ପର୍ବ । କେହି କେହି ଏହାକୁ ଗୌରୀଆମ୍ମା ଠାକୁରାଣୀଙ୍କ ପର୍ବ ନାମରେ ନାମିତ କରିଥାନ୍ତି । ଯାହାକି ପବିତ୍ର ଆଶ୍ୱିନ ମାସ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଏହି ଅଞ୍ଚଳ ଦ୍ୱିଭାଷୀ ଅଞ୍ଚଳ ହୋଇଥିବାରୁ ମୁଖ୍ୟତଃ ତେଲୁଗୁ ଭାଷାଭାଷୀର ଲୋକମାନେ ଏହି ପର୍ବ ପାଳନ କରୁଥିବାବେଳେ ଓଡିଆ ଭାଷାଭାଷୀ ଲୋକମାନେ ମଧ୍ୟ ଏହି ଅଞ୍ଚଳରେ ଏହି ପର୍ବ ପାଳନ କରିଥାନ୍ତି । ମୁଖ୍ୟତଃ ନନ୍ଦିଆମ୍ମାଙ୍କ ପ୍ରତିଷ୍ଠିତ କ୍ଷେତ୍ରରେ ଏହି ସବୁ ଗ୍ରାମର ଚାଷୀ ସଂପ୍ରଦାୟର ମହିଳାମାନେ ସମବେତ କଣ୍ଠରେ ଏକତ୍ରିତ ହୋଇ ପାରମ୍ପାରିକ ସଂଗୀତ ଆବୃତ କରିଥାନ୍ତି । ଏହି ସବୁ ଗ୍ରାମରେ ପୁରୁଷମାନେ ସାମାଜିକ ଦୃଷ୍ଟି ଆକର୍ଷଣ କରିବାପାଇଁ ପାରମ୍ପାରିକ ବେଶବୁଶାରେ ସଜ୍ଜିତ ହୋଇଥାନ୍ତି । ଅଞ୍ଚଳରେ ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କ ଉଦ୍ଦ୍ୟମ ତଥା ପ୍ରୟାସ ଯୋଗୁଁ ଏହି ପୁରାତନ ପରମ୍ପରା ବଞ୍ôଚ ରହିଥିବା କୁହାଯାଉଛି । ସୋସିଏଲ ମିଡିଆର ବହୁ ବ୍ୟବହାର ସତ୍ତ୍ୱେ ଏହି ପରି ଏକ ପାରମ୍ପାରିକ ପରମ୍ପରା ବଞ୍ôଚ ରହିଛି । କୋଭିଡ-୧୯ ପ୍ରାଦୁର୍ଭାବ ଯୋଗୁଁ ଉକ୍ତ ନିୟମକୁ ମଧ୍ୟ ଏହି ଉତ୍ସବ ପାଳନ ବେଳେ ବିଭିନ୍ନ ସତର୍କତା ଗ୍ରହଣ କରାଯାଇଛି ।


