ଗଜପତିରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଗଜପତି ଶାଖା ଆନୁକୁଲ୍ୟରେ ବିଭିନ୍ନ ଉନ୍ନତି କରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରରେ ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ରଂଗମାଟିଆ ଠାରେ ଯୁବକ ସଂଘ ଉନ୍ନତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଲକର ୧୦ଜଣ ସଦସ୍ୟ ୫ଦିନ ମଧ୍ୟରେ ସମ୍ପୂର୍ଣ୍ଣ ପଞ୍ଚାୟତ ଭ୍ରମଣ କରି ନୂତନ ଯୁବକ ସଂଘ ନିର୍ମାଣପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶିକ୍ଷଣ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିବାରେ ମୋହନା ବ୍ଲକର ସ୍ୱେଚ୍ଛାସେବୀ କୁନୀ ଗୌଡ ଏବଂ ପ୍ରିୟଙ୍କା ପଟ୍ଟନାୟକ ସହଯୋଗ କରିଛନ୍ତି । ସେହିପରି କାଶୀନଗର ବ୍ଲକ ଅନ୍ତର୍ଗତ କିତିଂ ଏବଂ ବିଶିରିଙ୍ଗି ଗ୍ରାମରେ କୋଭିଡ୍‌-୧୯ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କିତିଂ ଗ୍ରାମର ଗୋପୀନାଥ ଯୁବକ ସଂଘ ଏବଂ ବିଶିରିଙ୍ଗି ଗ୍ରାମର ଗାରାମାତାଲି ଯୁବକ ସଂଘର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ । କରୋନାରୁ ସୁରକ୍ଷା ପାଇବାପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାବୁନରେ ହାତ ଧୋଇବା ସହ ଗ୍ରାମବାସୀଙ୍କୁ କରୋନା ଜନିତ ବିଭିନ୍ନ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କାଶୀନଗର ବ୍ଲକର ସ୍ୱେଚ୍ଛାସେବୀ କେ.ଶିବାଜୀ ଏବଂ ଅକ୍ଷୟ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଜିଲ୍ଲାର ରାୟଗଡ ବ୍ଲକର ପେକଟ ଗ୍ରାମ ଠାରେ ତୁମ୍ବେଶ୍ୱର ଯୁବକ ସଂଘ ଏବଂ ଲିମାରିସିଂ ଗ୍ରାମର ଏକଲବ୍ୟ ଯୁବକ ସଂଘ ଅଂଶ ଗ୍ରହଣ କରି ଫିଟ୍ ଇଣ୍ଡିଆ ଯୋଗ କାର୍ଯ୍ୟକ୍ରମ କରିଥିଲେ । ଏହି ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସଫଳତାର ସହ କରାଯାଇଥିବାରୁ ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ