ସିଡ୍ବଲ୍ରେ ସବୁଜ ଦୀପାବଳୀର ବାର୍ତ୍ତା
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ପ୍ରତି ପୂଜା ପାର୍ବଣରେ କିଛି ନା କିଛି ପରିବେଶ ସଂରକ୍ଷଣର ବାର୍ତ୍ତା ଦେଇ ଲୋକଙ୍କ ନିକଟରେ ପହଂଚିଥାନ୍ତି ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ । ଆଲୋକର ପର୍ବ ଦୀପାବଳୀକୁ ପ୍ରଦୂଷଣ ଏବଂ ବିପଦମୁକ୍ତ କରିବା ପାଇଁ ନିଆରା ଶୈଳୀରେ ସବୁଜ ଦୀପାବଳୀ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ।ଭୁବନେଶ୍ୱର ପୋଖରୀପୁଟସ୍ଥିତ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍-୨ଠାରେ ରହୁଥିବା ଶ୍ରୀ ସାହୁ ଇକୋ-ଫ୍ରେଣ୍ଡଲି ଦୀପାବଳୀର ଉପାଦେୟତାକୁ ସିଡ୍ବଲ୍ ରେ ଫୁଟାଇଛନ୍ତି । ପରିବେଶ ଉପଯୋଗୀ ବିହନ ପେଣ୍ଡୁ (ସିଡ୍ବଲ୍)ରେ ଦୀପ ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ମାଟି, ମଞ୍ଜି ଓ ଖତରେ ପ୍ରସ୍ତୁତ ଏହି ବିହନ ପିଣ୍ଡୁଳା ଗୁଡ଼ିକୁ ପ୍ରଜ୍ଜ୍ୱଳିତ ଦୀପ ଆକାରରେ ସଜ୍ଜିତ କରାଇ ଜନସାଧାରଣଙ୍କୁ ସଚେତନତା ଉଦ୍ଦେଶ୍ୟରେ ସବୁଜ ଦୀପାବଳୀ ପାଳନ ପାଇଁ ଆହ୍ୱାନ ଜଣାଇଛନ୍ତି । ‘ସେ ନୋ ଟୁ କ୍ରାକର୍ସ’କୁ ସମର୍ଥନ କରି ସୁଶାନ୍ତ କୁହନ୍ତି ଦେଶରେ ୫୦ ପ୍ରତିଶତ ବାୟୁ ପ୍ରଦୂଷଣ ଦୀପାବଳୀ ସମୟରେ ହୋଇଥାଏ । ବାଣରୁ ନିର୍ଗତ ଧୂଆଁରେ ସଲ୍ଫର ଡ଼ାଇଅକ୍ସାଇଡ୍, କାର୍ବନ ଡ଼ାଇଅକ୍ସାଇଡ୍ ଓ କାର୍ବନ ମନୋଅକ୍ସାଇଡ୍ ପରି ମାରାତ୍ମକ ଗ୍ୟାସ୍ ଶ୍ୱାସ ପରି ମାରାତ୍ମକ ରୋଗ ସୃଷ୍ଟି କରେ । ଶବ୍ଦ ପ୍ରଦୂଷଣର ଜ୍ୱାଳା ମଧ୍ୟ ଭୋଗିବାକୁ ପଡ଼ିଥାଏ । ବାଣ ବ୍ୟବହାର ନକରି କେବଳ ଦୀପ ଜାଳି ଉତ୍ସବ ପାଳନ କରିବା ପାଇଁ ଜନସାଧାରଣଙ୍କୁ ସେ ନିବେଦନ କରିଛନ୍ତି ଯାହାକି ଏକ ସବୁଜ ସୁନ୍ଦର ପରିବେଶ ତିଆରିରେ ସହାୟକ ହୋଇପାରିବ । ସବୁଜ ଦୀପାବଳୀର ବାର୍ତ୍ତାଟିକୁ ବ୍ୟାପକ ଭାବରେ ପ୍ରସାର ପାଇଁ ସୁଶାନ୍ତଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।


