କର୍ମଚାରୀ ଅଭାବ ଯୋଗୁ ଚୋରା ମଦକାରବାର ବୃଦ୍ଧି
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ପୂର୍ବରୁ ବିଭିନ୍ନ ସ୍ଥାନରେ ଚୋରାମଦ କାରବାର ହେଉଥିଲାବେଳେ କରୋନା ଆସିବା ପରେ ଗତ ୮/୧୦ମାସ ମଧ୍ୟରେ ଏହା ଦ୍ୱିଗୁଣିତ ବଢିଯାଇଛି । ସୂଚନା ମୁତାବକ ଭଣ୍ଡାରିପୋଖରୀ, ଧାମନଗର ଅଞ୍ଚଳରେ ବିଦେଶୀ ମଦ ସହିତ ଦେଶୀ ମହୁଲୀମଦ ଅବାଧ ଚୋରା ବିକ୍ରୟ ଯୋଗୁ ଗ୍ରାମାଞ୍ଚଳ ମାନଙ୍କରେ ଏକ ଅଶାନ୍ତ ବାତାବରଣ ସୃଷ୍ଟି ହେଉଛି । ଯଦିବା ସ୍ଥାନୀୟ ଥାନା ଅବକାରୀ ବିଭାଗ ପକ୍ଷରୁ କେତେବେଳେ କେମିତି ଚୋରା ବେପାରୀଙ୍କୁ ଧରାଯାଉଛି । କିନ୍ତୁ ବେଆଇନ ବେପାର ବନ୍ଦ ହେବାର ନାଁ ଧରୁନି । ମଦ ବିକ୍ରୟ ଓ ଚୋରା କାରାବାର ସମ୍ପର୍କିତ ସମସ୍ତ କାର୍ଯ୍ୟ ପାଇଁ ଅବକାରୀ ଥାନା ରହିଥିଲେ ସୁଦ୍ଧା କର୍ମଚାରୀ ଜନିତ ଅଭାବ କାରଣରୁ ଏହା ଉପରେ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁନାହିଁ । ସୂଚନା ଅନୁସାରେ ଧାମନଗର ଅବକାରୀ ଥାନା ଅଧିନରେ ସରକାରୀ ଭାବେ ୭ଗୋଟି ବିଦେଶୀ ଠିପିବନ୍ଦ, ୨ଟି ବାର ଓ ୩ଗୋଟି ଦେଶୀ ମଦଦୋକାନ ରହିଛି । ଏହାର ସଠିକ ଦେଖାଶୁଣା କରିବା ପାଇଁ ମାତ୍ର ଚାରିଜଣ କର୍ମଚାରୀ ରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଧାମନଗର ଅବକାରୀ ଥାନା ଅଧିନରେ ଆଖଣ୍ଡଳମଣୀ ଠାରୁ ଆଖୁଆପଦା ଯାଏଁ ସୀମା ରହିଥିବାବେଳେ ବ୍ୟାପକ ଅଞ୍ଚଳରେ ଚୋରା ମଦକାରବାର ବୃଦ୍ଧି ପାଉଛି । ଅବକାରୀ ଥାନାରେ ଅଧିକାରୀଙ୍କୁ ମିଶାଇ ୮ଜଣ କର୍ମଚାରୀ ଆବଶ୍ୟକତା ଥିବାବେଳେ ରହିଛନ୍ତି ମାତ୍ର ୪ । ନୂତନ ଅବକାରୀ ଥାନାଟିରେ ସରକାରଙ୍କ ପକ୍ଷରୁ ଜଣେ ଅବକାରୀ ଅଧିକାରୀ, ଜଣେ ଉପଅଧିକାରୀ ଓ ଦୁଇଜଣ କନେଷ୍ଟବଳ ରହିଛନ୍ତି । ଆରଡିରୁ ଆଖୁଆପଦା ୩ଗୋଟି ସାଧାରଣ ଥାନା ରହିଥିବାବେଳେ ଗୋଟିଏ ଅବକାରୀ ଥାନାରେ ମାତ୍ର ୪ଜଣ କର୍ମଚାରୀ ନିଯୁକ୍ତି ଧର୍ମକୁ ଆଖିଠାର ଭଳି ହୋଇଛି । ଯେଉଁଥିପାଇଁ ଅବାଧରେ ବିଭିନ୍ନ ଗ୍ରାମାଞ୍ଚଳ ଗୁଡିକରେ ଦେଶୀ ଓ ବିଦେଶୀ ମଦ ଚୋରାକାରବାର ବୃଦ୍ଧି ପାଉଛି । ଏଥିପ୍ରତି ସରକାର ଦୃଷ୍ଟିଦେଇ ଆବଶ୍ୟକ କର୍ମଚାରୀ ଯୋଗାଇଲେ ଚୋରା ମଦକାରବାରକୁ ରୋକାଯାଇପାରନ୍ତା ବୋଲି ବିଭିନ୍ନ ମହଲରୁ ମତପ୍ରକାଶ ପାଇଛି ।


