ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର
ବନ୍ତ,(ଚାନ୍ଦିନୀ ମହାନ୍ତି): ଗତ ଶୁକ୍ରବାର ବନ୍ତ ଥାନା ଅଧିନ ବରହମପୁର-ଶିଆଳିଆ ରାସ୍ତାର କଣ୍ଟିଗଢିଆ ପୋଲ ନିକଟରେ ଏକ ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହେବା ଘଟଣାରେ ଗୁରବାର ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ପ୍ରକାଶ ଯେ, ଗତ ଶୁକ୍ରବାର ସକାଳ ୯ଟା ୩୦ ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାନ୍ଦିଆ ଅଞ୍ଚଳର ଜଣେ ଯୁବକ ଓଡି-୨୨ପି-୫୭୪୨ ବାଇକ୍ ଯୋଗେ ବରହମପୁର-ଶିଆଳିଆ ରାସ୍ତାରେ ଯାଉଥିବା ବେଳେ କଣ୍ଟିଗଢିଆ ପୋଲ ନିକଟରେ ଅପରପାଶ୍ୱର୍ରୁ ଦ୍ରୁତଗତିରେ ଆସୁଥିବା ଓଡି-୦୧ଟି-୦୦୫୦ ପିକ୍ ଅପ୍ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଚଳାଉଥିବା ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ମାନେ ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆବଶ୍ୟକ ଚିକିତ୍ସା ନମିଳିବାରୁ ତାଙ୍କୁ ଏକ ଘରୋଇ ହସପିଟାଲକୁ ନିଆଯାଇ ଅସ୍ତ୍ରୋପଚାର କରାଯାଇଥିଲା । ଦୁର୍ଘଟଣାରେ ଯୁବକଙ୍କର ବାମ ଗୋଡ ଆଣ୍ଠୁ ସଂଲଗ୍ନ ହାଡ ଭାଙ୍ଗି ଚୁନା ହୋଇଯାଇଥିବା ଜଣାଯାଇଛି । ପୁଅର ଚିକିତ୍ସାରେ ବ୍ୟସ୍ତ ରହିବା କାରଣରୁ ଥାନାରେ ଅଭିଯୋଗ କରିବା ବିଳମ୍ବ ହୋଇଥିଲା । ଗୁରବାର ଯୁବକଙ୍କ ବାପା ସଚ୍ଛିନ୍ଦ୍ର ମହାନ୍ତି ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ-୧୬୩/୨୦ ମୂଳେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।


