କେନ୍ଦ୍ର କିମ୍ବା ରାଜ୍ୟ ହାତକୁ ଆସିପାରେ ଇଏସ୍‌ଆଇ ହସ୍ପିଟାଲ୍‌

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ଅଧୀନରେ ଦେଶରେ ଏକାଧିକ ଡାକ୍ତରଖାନା ପରିଚାଳିତ ହୋଇ ଆସୁଛି। ତେବେ ଏଥିରେ ଦ୍ବୈତ ନିୟନ୍ତ୍ରଣଜନିତ ସମସ୍ୟା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ କେତେକ ଡାକ୍ତରଖାନାକୁ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିଜ ନିୟନ୍ତ୍ରଣକୁ ନିଅନ୍ତୁ। ନିଗମ ପକ୍ଷରୁ ଏପ୍ରକାର ଅନୁରୋଧ କରାଯାଇଛି ବୋଲି ଏ ସଂପର୍କରେ ଅବଗତ ଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କେତେକ ଡାକ୍ତରଖାନାକୁ ରାଜ୍ୟ ସରକାରମାନେ ଚଳାଉଥିବାବେଳେ ନିଗମ ପକ୍ଷରୁ ଔଷଧ ଯୋଗାଇ ଦିଆଯାଉଛି। ଇଏସ୍‌ଆଇସି ହସ୍ପିଟାଲ ଗୁଡ଼ିକ ଉପରେ କରୋନା-୧୯ର ପ୍ରଭାବ କ’ଣ ରହିଛି ଏବଂ ଏଗୁଡ଼ିକର ପରିଚାଳନା ସଂପର୍କରେ ଆଲୋଚନା ପାଇଁ ଶ୍ରମ ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ପକ୍ଷରୁ ଇଏସ୍‌ଆଇସି ଓ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ମଙ୍ଗଳବାର ଡାକିଛି। ସବୁଠୁ ବଡ଼ ସମସ୍ୟା ହେଉଛି ଇଏସ୍‌ଆଇସି ଅଧୀନରେ ପରିଚାଳିତ ହେଉଥିବା ଡାକ୍ତରଖାନାଗୁଡ଼ିକ ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ସମର୍ଥ ହେଉନାହିଁ। ଦୀର୍ଘଦିନ ହେଲା ଏହି ସମସ୍ୟା ଲାଗି ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି। କେତେକ ଡାକ୍ତରଖାନା ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବାବେଳେ ନିଗମ ପକ୍ଷରୁ ଔଷଧପତ୍ର ଯୋଗାଇ ଦିଆଯାଉଥିବାରୁ ଡାକ୍ତରଖାନାଗୁଡ଼ିକୁ ପରିଚାଳନା କରିବା କଷ୍ଟକର ହେଉଛି। ତେଣୁ ଉତ୍ତମ ପରିଚାଳନା ପାଇଁ ଏଭଳି ଡାକ୍ତରଖାନାଗୁଡ଼ିକୁ ସଂପୃକ୍ତ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ହାତକୁ ନିଅନ୍ତୁ ବୋଲି ଅଧିକାରୀଜଣକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ତେବେ ଇଏସ୍‌ଆଇସି ଦ୍ବାରା ପରିଚାଳିତ ଡାକ୍ତରଖାନାଗୁଡ଼ିକରେ ସମସ୍ୟା ଏବକାର ନୁହେଁ। ବହୁଦିନ ହେଲା ସମସ୍ୟା ଲାଗି ରହିଛି। ଏହାର ପରିଚାଳନା ପାଇଁ ନିଗମରୁ ମାତ୍ରାଧିକ ଅର୍ଥ ଖର୍ଚ୍ଚ ହେଉଛି ବୋଲି ସେ କହିଛନ୍ତି। ପୂର୍ବରୁ ଇଏସ୍‌ଆଇ ଡାକ୍ତରଖାନାଗୁଡ଼ିକୁ ଆଧୁନିକୀକରଣ କରି ତାହାକୁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ମାନର କରିବା ପାଇଁ ଉପା ସରକାର ଅମଳରେ ଲକ୍ଷ୍ୟ ଥିଲା। କିନ୍ତୁ ପାଣ୍ଠି ଅଭାବ ଯୋଗୁ ତାହାକୁ କାର୍ଯ୍ୟକାରୀ କରାଯାଇ ପାରି ନଥିଲା। ଇଏସ୍‌ଆଇସି ସମତେ କେନ୍ଦ୍ର ଓ ରାଜ୍ୟ ସରକାର ଇଏସ୍‌ଆଇ ଡାକ୍ତରଖାନାଗୁଡ଼ିକର ପରିଚାଳନାକୁ ଦେଖିଥାନ୍ତି। ଏହା ହିଁ ମୂଳ ସମସ୍ୟା। ଏଥିପାଇଁ ନିର୍ଦ୍ଦିଷ୍ଟ ଭାବେ କାହାରିକୁ ଦାୟିତ୍ବ କିମ୍ବା ଦୋଷ ଦେବା ସମ୍ଭବ ହେଉନାହିଁ ବୋଲି କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ