ଅଙ୍ଗନୱାଡି ଗୃହ ନିର୍ମାଣରେ ଅନିୟମିତତା ନେଇ ଅଭିଯୋଗ କଲେ ଗ୍ରାମବାସୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ସିଲନ୍ଦି ଗ୍ରାମରେ ନିର୍ମାଣାଧୀନ ଅଙ୍ଗନୱାଡି କେନ୍ଦ୍ର ଗୃହରେ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ସିଲନ୍ଦିସ୍ଥିତ କାହ୍ନୁ ଚରଣ ବିଦ୍ୟା ମନ୍ଦିର ପରିସରରେ ୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ହେଉଛି । ଏହି ଅଙ୍ଗନୱାଡିରେ ୪ଟି ହରିଜନ ସାହିର ଗରିବ ପିଲା ମାନେ ପାଠ ପଢୁଛନ୍ତି । ହାଇସ୍କୁଲ ପ୍ରାଙ୍ଗଣରେ ଗୃହ ନିର୍ମାଣ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ସ୍ଥାନ ନିରୁପଣ କରାଯାଇନାହିଁ । ଏହା ହାଇସ୍କୁଲ ସୀମା ସଂଲଗ୍ନ ଏକ ପୋଖରୀ ନିକଟରେ ନିର୍ମାଣ କରାଯାଉଛି । ହାଇସ୍କୁଲର ପାଚେରୀ ନଥିବାରୁ ଛୋଟ ପିଲାଙ୍କ ପାଇଁ ଉକ୍ତ ପୋଖରୀ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି । ୧ନଂ.ଜୋନ୍ ଅଙ୍ଗନୱାଡି ଅଞ୍ଚଳ ଠାରୁ ନିର୍ମାଣ ହେଉଥିବା କେନ୍ଦ୍ର ଗୃହର ଦୂରତା ପ୍ରାୟ ୩ କିମି ହେବ । ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ତତ୍ତ୍ୱବଧାନରେ ଚାଲିଛି । ଗୃହ କାର୍ଯ୍ୟ ଅତି ନିମ୍ନମାନର କରାଯାଉଛି । ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀରେ ଅନିୟମିତତା ଓ ଦୁର୍ନୀତି କରାଯାଇଥିବା ଗ୍ରାମବାସୀୀ ମାନେ ଅଭିଯୋଗ କରିଛନ୍ତି । ଏସଂପର୍କରେ ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଗ୍ରାମର ଘନଶ୍ୟାମ ସାମଲ, ବୀରଭଦ୍ର ପରିଡା, ଚକ୍ରଧର ସାହୁ, ତପନ ବାରିକ, ଶ୍ରୀକାନ୍ତ ଜେନା, ବିଜୟ ଜେନା, କୁଲୁ ଜେନା, ଆନନ୍ଦ ସାହୁ, ଜଗନ୍ନାଥ ମୁଖୀ, ପ୍ରଦୀପ ମହାନ୍ତି, ବଳରାମ ସାହୁ, ହରିହର ସାମଲ, ବାଇଧର ମହାନ୍ତି, ମାଧବ ଚରଣ ସାହୁ, ହଳଧର ସାହୁ, ବାବୁରାମ ଓଝା, ପ୍ରଫୁଲ୍ଲ ସାହୁ, ରମାକାନ୍ତ ଜେନାଙ୍କ ସମେତ ବହୁ ବ୍ୟକ୍ତି ଜିଲାପାଳ, ବିଡିଓ, ସହକାରୀ ଯନ୍ତ୍ରୀ, ଭିଜିଲାନ୍ସ ଡି.ଏସ୍.ପି ଭଦ୍ରକଙ୍କ ଠାରେ ଅଭିଯୋଗ କରିଛନ୍ତି ।


