ଭୂମୀହରା, ଶ୍ରମିକ, ଅବହେଳିତଙ୍କ ପାଇଁ ବି.ଜେ.ଡି ନେତାଙ୍କ ଯୁଦ୍ଧଂଦେହୀ ଡାକରା;ଧର୍ମଶାଳାରେ ରାଜନୀତିରେ ହଟଚମଟ

ଯାଜପୁର,(ଓ୍ବାଇଏନ୍ଏସ୍): ଧର୍ମଶାଳାର ଭୂମୀହରା, ଶ୍ରମିକ ତଥା ଅବହେଳିତଙ୍କ ପାଇଁ ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି । ରବିବାର ଏହି ଅବସରରେ ବିରାଟ ଶୋଭାଯାତ୍ରା ସହ ସଭା ଧର୍ମଶାଳା ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।ଏହି ଅବସରରେ ସାହାଣିଢିଅ ପଂଚାୟତର ଚାରଗୋଠ ଗ୍ରାମ ନିକଟରେ ଥିବା କଠୌଣୀ ମଠ ନିକଟରେ ଅନୁଷ୍ଠିତ ବଡ ଧରଣର ସଭାରେ ସତୀଶ କହିଥିଲେ ଯେ, ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଂଜିରା ଏବଂ ବାଲିସାହି ଅଂଚଳର ବହୁଗ୍ରାମର ଜନବସତି ଜଙ୍ଗଲ କିସମ ଜମି ହୋଇ ଯାଇଛି । ଏହା ଫଳରେ ବହୁ ଗ୍ରାମର ଲୋକ ଭିଟାମାଟି ଶୂନ୍ୟ ହୋଇଛନ୍ତି । ଏହି ଅଂଚଳର ଲୋକେ ଏଥିପାଇଁ ବିଭିନ୍ନ ପ୍ରକାର ସୁବିଧା, ସୁଯୋଗରୁ ବଂଚିତ ହେଉଛନ୍ତି । ଅତୀତରେ ବାଘ ରହୁଥିବା ବାଘୁଆ ପାହାଡରୁ ପଥର ଚାଲାଣ ପାଇଁ ଏହି ପାହାଡକୁ ରାଜସ୍ୱ ବିଭାଗ ଅଧୀନରେ ଥିବା ବେଳେ ମଣିଷ ରହୁଥିବା ଅଂଚଳକୁ ଚକ୍ରାନ୍ତ କରାଯାଇ ଜଙ୍ଗଲ କିସମ କରାଯାଇଛି । ଏହା ବିରୋଧରେ ବିଧାନସଭା ଠାରୁ ପଂଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବର୍ଷ ବର୍ଷ ଧରି ସ୍ୱର ଉଠାଇ ନାହାନ୍ତି । ତୁରନ୍ତ ଜନପ୍ରତିନିଧି ମାନେ ଏଥିନେଇ ବିଧାନସଭାରୁ ପଂଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରତିବାଦ କରନ୍ତୁ ନଚେତ ଲୋକଙ୍କ ସ୍ୱର ଉଠାଉ ନଥିବା ଜନପ୍ରତିନିଧିଙ୍କୁ ଏହି ଅଂଚଳରେ ପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ସତୀଶ କହିଥିଲେ ଯେ, ଅତୀତରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦଇତାରୀ-ପାରାଦ୍ୱୀପ ଜାତୀୟ ରାଜପଥ ପାଇଁ ପରିଚୟ ପାଇଥିବା କଂଟିଗଡିଆରୁ କବାଟବନ୍ଧ ମଧ୍ୟରେ ଥିବା ୨୦ ପଂଚାୟତ ଧର୍ମଶାଳାର ପ୍ରାଣକେନ୍ଦ୍ର ହୋଇଥିବା ବେଳେ ଏହି ଅଂଚଳ ପ୍ରତି ବୈମାତୃକ ମନୋଭାବକୁ ଆଉ ବରଦାସ୍ତ କରାଯିବ ନାହିଁ । ସମାଜର ଦଃୁସ୍ଥ ଅବହେଳିତ ବର୍ଗର ସ୍ୱାର୍ଥରକ୍ଷା ପାଇଁ ନବୀନ ପଟ୍ଟନାୟକ ସରକାର ସମଗ୍ର ଦେଶରେ ଦୃଷ୍ଟାନ୍ତ ହୋଇଥିବା ବେଳେ ଧର୍ମଶାଳାରେ ଗରୀବ ମାନେ ବିଭିନ୍ନ କ୍ଷେତ୍ରରେ ଅତ୍ୟାଚାରିତ । ମୁଖ୍ୟତ ଶ୍ରମିକ ଶ୍ରେଣୀ ଯାବତୀୟ ଶୋଷଣର ଶୀକାର ହେବା ନେଇ ଶ୍ରମିକ ମାନେ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଭିଟାମାଟି ସୁରକ୍ଷା ମଂଚ ଗଢାହେବା ସହ ସର୍ବସମ୍ମତକ୍ରମେ ସତୀଶଙ୍କୁ ଏହାର ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ଏଥିରେ ସର୍ବଶ୍ରୀ ଲକ୍ଷ୍ମୀଧର ପରିଡା, ଅଜୟ ବାରିକ, ରଂଜନ ଦାଶ, ବିଜୟ ସ୍ୱାଇଁ, ଆଡଭୋକେଟ ସୁଢଳ କବି, ସଂଜୟ ମିଶ୍ର, ହିମାଂଶୁ ସାହାଣୀ, ତପନ ବରାଳ, ହରମୋହନ ସାହାଣୀ, ଅର୍ଜୁନ ମଳିକ, ପବିତ୍ର ରାଉତ, ନାରାୟଣ ସ୍ୱାଇଁ, ଲକ୍ଷ୍ମଣ ପ୍ରଧାନ, ସୁଶାନ୍ତ କୁମାର ରାଉତ, ରୁଦ୍ର ନାରାୟଣ ଓଝା, ମହେଶ୍ୱର ସ୍ୱାଇଁ ପ୍ରମୁଖ ଉଦବୋଦନ ଦେଇଥିଲେ । କାର୍ତ୍ତିକ ସ୍ୱାଇଁ ପ୍ରାରମ୍ବିକ ସୂଚନା ଏବଂ ରମେଶ ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ । ବିଜୁବାବୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଦୃଢ ସମର୍ଥନ କରି ହୋଇଥିବା ଏହି ସଭାରେ ଧର୍ମଶାଳାର ବି.ଜେ.ଡି ନେତୃତ୍ୱକୁ ଦୃଢ ବିରୋଧ କରାଯାଇଥିଲା । ଦୀର୍ଘବର୍ଷ ଧରି ବିଜୁ ପରିବାରର ଆଗୁଆ ସମର୍ଥକ ଭାବେ ପରିଚିତ ସତୀଶ ବିଶ୍ୱାଳଙ୍କ ନେତୃତ୍ୱକୁ ସମର୍ଥନ କରି ବହୁ ସଂଖ୍ୟାରେ ମୋଟର ସାଇକେଲ ଶୋଭାଯାତ୍ରାରେ ରାମଚନ୍ଦ୍ରପୁର ତାରିଣୀ ଛକରୁ ସଭାସ୍ଥଳ ପର୍ଯ୍ୟନ୍ତ ଯାଇଥିଲା । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋକୁ ଗୋଟିଏ ବଡ ଧରଣର ରଥରେ ଶୋଭାଯାତ୍ରାରେ ନିଆଯାଇ ସଭାସ୍ଥଳକୁ ଅଣାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ