ଶିକ୍ଷାର ରାଜନୀତିକରଣ,ବ୍ୟବସାୟୀ କରଣ ପାଇଁ ୨୦୨୦ ଶିକ୍ଷାନୀତିକୁ ପ୍ରତ୍ୟାହାର କର – ଏ.ଆଇ.ଏସ.ଏଫ.
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଅଖିଳ ଭାରତ ଛାତ୍ର ସଙ୍ଘ(ଏ.ଆଇ.ଏସ.ଏଫ.)କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଶିକ୍ଷା ସଂକୋଚନକାରୀ, ବ୍ୟବସାୟୀ କରଣ ପାଇଁ ଯେଉଁ ୨୦୨୦ ଶିକ୍ଷାନୀତି କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ସେ ସମ୍ପର୍କରେ ଏକ ସେମିନାର “ଜାତୀୟ ଶିକ୍ଷା ନୀତି ୨୦୨୦” ,ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ ଓ ୧୪ହଜାର ୫ଶହ ସ୍କୁଲ ବନ୍ଦ ନିଷ୍ପତ୍ତି ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ସାଥି ବିଶ୍ୱଜିତ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରର ପ୍ରାରମ୍ଭରେ ଶହୀଦମାନଙ୍କ ଉଦେଶ୍ୟରେ ୨ମିନିଟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଛାତ୍ରନେତା ସାଥି ଆହ୍ୱାନ ରାଉତରାୟ ଅଖିଳ ଭାରତ ଛାତ୍ର ସଙ୍ଘ ପକ୍ଷରୁ ସାରା ରାଜ୍ୟ ବ୍ୟାପି ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ଠାରୁ ଡିସେମ୍ବର ୬ତାରିଖ ବାବା ସାହେବ ଆମ୍ବେଦକରଙ୍କ ତିରୋଧାନ ଦିବସ ପର୍ଯ୍ୟନ୍ତ “ଶିକ୍ଷା ବଂଚାଅ – ଓଡିଶା ବଂଚାଅ” ଡାକରାକୁ ସବୁଠାରେ ପହଁଚାଇବାକୁ ଆହ୍ୱାନ ଦେଇଥିଲେ । ଏହି ଆଲୋଚନାଚକ୍ରରେ ଅଖିଳ ଭାରତ ଛାତ୍ର ସଙ୍ଘର ରାଜ୍ୟ ସଭାପତି ସାଥି ସଙ୍ଘମିତ୍ରା ଜେନା ମୁଖ୍ୟବକ୍ତା ଭାବରେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ସଙ୍ଘର ପ୍ରାକ୍ତନ ରାଜ୍ୟ ସମ୍ପାଦକ ସାଥି ଜୟନ୍ତ ଦାସ, ଅଖିଳ ଭାରତ ଯୁବ ସଙ୍ଘର ଜିଲ୍ଲା ସମ୍ପାଦକ ସାଥି ରଞ୍ଜନ କୁମାର ମଲ୍ଲିକ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ଆଇନଜୀବି ସାଥି ରମଣୀରଞ୍ଜନ ରାଉତରାୟ, ଡେରାବିଶି ଡିଗ୍ରୀ କଲେଜର ଛାତ୍ରୀ ସାଥି ଏମ.କି.ଶୁଭଶ୍ରୀ ସରୋଜିନି, ଛାତ୍ରନେତା ସାଥି ଆୟୁଷ୍ମାନ ପରିଡା, ସାଥି ବର୍ଷାରାଣୀ ମଲ୍ଲିକ, ସାଥି କୈବଲ୍ୟ ମଲ୍ଲିକ, ସାଥି ଅର୍ପିତା ମଲ୍ଲିକ, ସାଥି ସୁନିଲ କୁମାର ସାହୁ ପ୍ରମୁଖ ଛାତ୍ରନେତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ବର୍ତ୍ତମାନ ଦେଶରେ ଏକ ପ୍ରକାର ଶିକ୍ଷାନୀତି ଗ୍ରହଣ ନକରି ସରକାର ନିଜେ ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଭଳି ୩ପ୍ରକାରର ସରକାରୀ ବିଦ୍ୟାଳୟ ସହିତ ପ୍ରତି ଗାଁରେ ବେସରକାରୀ ବିଦ୍ୟାଲୟ ଖୋଲିଚାଲିଛନ୍ତି । ଏବେ ସରକାରୀ ସ୍କୁଲକୁ ବନ୍ଦ କରି ବେସରକାରୀ ସ୍କୁଲକୁ ବଢାଇବାକୁ ସରକାର ଆଗ୍ରହୀ ବୋଲି ଆଲୋଚନାଚକ୍ରରେ ମତପ୍ରକାଶ ପାଇଥିଲା । ତୁରନ୍ତ ଏକ ପ୍ରକାର ଶିକ୍ଷା ବ୍ୟବସ୍ଥା ସହିତ ମାଗଣାରେ ବୈଜ୍ଞାନିକ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ନିମନ୍ତେ ଡାକରା ଦିଆଯାଇଥିଲା ।


