ରାଜ୍ୟ ସ୍ୱାର୍ଥ ବିରୋଧୀ ଏମଏମଡିଆର ଆକ୍ଟ ରଦ୍ଦ ଦାବିରେ ଇଣ୍ଡିଆ ବ୍ଲକ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ–୨୦୨୬କୁ ରଦ୍ଦ କରାଯିବା ଦାବିରେ ଇଣ୍ଡିଆ ବ୍ଲକ ଅନ୍ତର୍ଗତ ରାଜନୈତିକ ଦଳମାନଙ୍କ ଆହ୍ୱାନ କ୍ରମେ ରାଜ୍ୟ ବ୍ୟାପି ପ୍ରତିବାଦ ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ କେନ୍ଦ୍ରାପଡା ଜିଲ୍ଲାପାଳ ଅଫିସି ସମ୍ମୁଖରେ ଏକ ମିଳିତ ପ୍ରତିବାଦ ସଂଗଠିତ ହେଇ ଯାଇଛି। କଂଗ୍ରେସ ଜିଲ୍ଲା ସଭାପତି ଦେବସ୍ମିତା ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଭାରତୀୟ ସଂବିଧାନର ସୁରକ୍ଷା, ଦେଶର ସଂଘୀୟ ଢାଞ୍ଚା , ରାଜ୍ୟମାନଙ୍କର ସାମ୍ବିଧାନିକ ଓ ଆର୍ôଥକ ଅଧିକାର, ପ୍ରାକୃତିକ ଓ ଖଣିଜ ସମ୍ପଦ ଉପରେ ଖଣିଜ ସମୃଦ୍ଧ ରାଜ୍ୟମାନଙ୍କର ନ୍ୟାୟସଙ୍ଗତ ଅଧିକାର ଏବଂ ଆଦିବାସୀ ଓ ଖଣି ପ୍ରଭାବିତ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ଜନ ବିରୋଧୀ ଆଇନ ରଦ୍ଦ କରିବା ପାଇଁ ବକ୍ତାମାନେ ଦାବି କରିଥିଲେ। ବକ୍ତାମାନେ କହିଥିଲେ ଏହି ଆଇନ ଲାଗୁହେଲେ ରାଜ୍ୟ ଏକ ଲକ୍ଷ ହଜାର କୋଟି ଟଙ୍କା ରାଜସ୍ୱ ହରାଇବ। ଓଡିଶା କେନ୍ଦ୍ରର କରଦ ରାଜ୍ୟ ନହେଉ। ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଯାଇଥିବା ମୋହନ ସରକାର ରାଜ୍ୟକୁ କର୍ପୋରେଟ ହାଉସ ପାଖରେ ବିକ୍ରି କରିଦେବ। ଏହି ବିଲକୁ ଓଡିଶାରୁ ନିର୍ବାଚିତ ସମସ୍ତ ବିଜେପି ସାଂସଦ ସମର୍ଥନ ଦେଇ ଓଡିଶାବାସୀଙ୍କୁ ଧୋକ୍କା ଦେଇଛନ୍ତି ବୋଲି କହି ବକ୍ତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହି ସଭାରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ରମଣୀରଞ୍ଜନ ରାଉତରାୟ, ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ବରିଷ୍ଠ ନେତା ଭାଗିରଥି ଜେନା,ପ୍ରଫୁଲ୍ଲ ଦାସ, ଆକବର ଅଲ୍ଲୀ, ଫକୀର ଖଟୁଆ, କୃଷ୍ଣପ୍ରିୟ ବାରିକ, ରବିନାରାୟଣ ବେହେରା, ଜ୍ୟୋତିରଞ୍ଜନ ପରିଡା, ରାଜୀବ ଲୋଚନ ମିଶ୍ର, ସିତାଂଶୁ ଲେଙ୍କା, ହରିଶ ପଟ୍ଟନାୟକ, ଦିଲି୍ଲପ ପ୍ରଧାନ, ସନ୍ତୋଷ ବେହେରା, ପ୍ରକାଶ ମହାନ୍ତି, ବିଧୁୁଭୂଷଣ ମହାପାତ୍ର, ସତ୍ୟପ୍ରିୟ ସାମଲ, କୈଳାସ ତରାଇ, ସିପିଆଇରୁ ଆଦିକନ୍ଦ ରାଉଳ, ଅଜୟ ସାମଲ, ଆହ୍ୱାନ ରାଉତରାୟ, ସିପିଆଇ(ଏମ୍)ରୁ ଜଗତଜୀବନ ଦାସ, ନରୋତ୍ତମ ପାର୍ଥସାରଥୀ, ସୋମନାଥ ବିଶ୍ୱାଳ, ଦିଲ୍ଲୀପ ପଣ୍ଡା, ମାନଭଞ୍ଜନ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସଭା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡିଶାରୁ ନିର୍ବାଚିତ କୋଡିଏ ଜଣ ବିଜେପି ସାଂସଦଙ୍କ କୁଶ ପୁତଳିକା ଦାହ କରାଯାଇ ଥିଲା। ଶେଷରେ ପ୍ରତିବାଦକାରୀ ମାନେ ଏକ ଶୋଭାଯାତ୍ରାରେ ଯାଇ ଅତିରିକ୍ତ ଜିଲ୍ଲାପାଳ ନବକ୍ରୀଷ୍ଣ ଜେନାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।


