କାଦୁଆ ଗ୍ରାମରୁ କେବେ ହଟିବ ଜବରଦଖଲ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ତହସିଲ ଅଧିନ କାଦୁଆ ଗ୍ରାମରେ ପ୍ରାୟ ୫ ବର୍ଷ ଧରି ଜବରଦଖଲ ସମସ୍ୟା ଲାଗି ରହିଛି। ରାସ୍ତାର ଦୁଇପାର୍ଶ୍ୱରେ ଜବରଦଖଲ ସହ ରାସ୍ତା ମଝିରେ ଅଷ୍ଟପ୍ରହରୀ ମଣ୍ଡପ ଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଶେଷକରି ଆମ୍ବୁଲାନ୍ସ ଓ ଦମକଳ ଭଳି ଜରୁରୀକାଳୀନ ଗାଡ଼ି ଯାତାୟାତରେ ଗୁରୁତ୍ତର ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଜବରଦଖଲ ହଟାଇବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦୀର୍ଘଦିନ ଧରି ପ୍ରଶାସନ ନିକଟରେ ଦାବି ହୋଇଆସୁଥିବା କହିଛନ୍ତି ଗ୍ରାମବାସୀ। ଏହାକୁ ନେଇ ଆଜି କାଦୁଆ ଗ୍ରାମରେ ପ୍ରଶାସନ ପକ୍ଷରୁ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଡେରାବିଶ ତହସିଲଦାର ସରୋଜ କୁମାର ନାୟକ, ଅତିରିକ୍ତ ତହସିଲଦାର ଦୀପକ କୁମାର ବେହେରା ଓ ତହସିଲ କର୍ମଚାରୀ ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତରେ ଗ୍ରାମବାସୀଙ୍କ ଅଭିଯୋଗ ଶୁଣାଣି ହୋଇଥିଲା। ଏହି ଅଭିଯୋଗ ଶୁଣାଣିରେ ତହସିଲଦାର ଶ୍ରୀ ନାୟକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାର କୈାଣସି ପ୍ରତିଶୃତି ନଦେଇ ଚାଲିଯାଇଥିଲେ। ତେଣୁ ରାସ୍ତା ଜବରଦଖଲ ଓ ଅଷ୍ଟପ୍ରହରୀ ମଣ୍ଡପ ସମ୍ପର୍କରେ ପ୍ରଶାସନ କଣ ପଦକ୍ଷେପ ନେବ ଏବଂ ୫ ବର୍ଷର ସମସ୍ୟା କେତେ ଶୀଘ୍ର ସମାଧାନ ହେବ ତାହାକୁ ନେଇ ଏବେ କାଦୁଆ ଗ୍ରାମବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଜନଶୁଣାଣି ପାଇଁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସରପଞ୍ଚଙ୍କୁ ନୋଟିସ କରାଯାଇଥିଲେ ମଧ୍ୟ ସମିତିସଭ୍ୟ ଓ ସଂପୃକ୍ତ ୱାର୍ଡର ୱାର୍ଡସଭ୍ୟଙ୍କୁ କୈାଣସି ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି।ପ୍ରଶାସନର ଏଭଳି କାର୍ଯ୍ୟ ଦ୍ୱାରା ଆଗାମୀ ଭବିଷ୍ୟତରେ ଗ୍ରାମରେ ଜଟିଳ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଶକ୍ତିଶ୍ରୀ ଲେଙ୍କା, ସଞ୍ଜୟ ଭଦ୍ର, ପ୍ରମୋଦ ସାମଲ, କ୍ଷୀତିଶ ଭଦ୍ର, ଉମାକାନ୍ତ ଭଦ୍ର, ହିମାଂଶୁ ଲେଙ୍କା ଓ କ୍ଷୀରୋଦ ସାମଲ ପ୍ରମୁଖ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ