ପ୍ରଦୀପଙ୍କୁ ବିଜେଡିରୁ ବହିଷ୍କାର ଓ ଜେଲ ପରେ ଗଜପତି ଅନୁଗତ୍ୟଙ୍କ ଠାରେ ହୃଦ୍କମ୍ପନ ବୃଦ୍ଧି
ପାରଳାଖେମୁଣ୍ଡି, (ତାରିିଣୀ ପ୍ରସାଦ ପଣ୍ଡା): ଗତ ୪ବର୍ଷ ଧରି ଗଜପତି ଜିଲ୍ଲାର ସମସ୍ତ ଦାୟୀତ୍ୱରେ ଥିବା ପୁର୍ବତନ ମନ୍ତ୍ରୀ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜିଲ୍ଲା ବିଜୁ ଜନତା ଦଳରେ ଜହ୍ନମାମୁଁ ସାଜିଥିଲେ । ସେ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟତମ ବିଶ୍ୱସ୍ତ ଥିବା ଡ.ପାଣିଗ୍ରାହୀଙ୍କୁ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଜୁ ଜନତା ଦଳର ଗଜପତି ଜିଲ୍ଲାସ୍ତରୀୟ ନେତା,କର୍ମୀ ସମସ୍ତଙ୍କ ଠାରେ ତାଙ୍କର ବେଶ ପ୍ରଭାବ ଥିଲା । ହେଲେ ଦଳରୁ ବହିଷ୍କାର ଓ ଜେଲ ହାଜତକୁ ପ୍ରଦୀପ ପାଣିଗ୍ରାହୀ ଚାଲିଯିବା ପରେ ତାଙ୍କର ଘନିଷ୍ଠ ଥିବା ଦଳୀୟ ଆନୁଗତ୍ୟଙ୍କ ଠାରୁ ଆରମ୍ଭ କରି କେତେକ ପଦାଧିକାରୀଙ୍କ ଠାରେ ହୃଦ୍କମ୍ପନ ବୃଦ୍ଧି ପାଇବା ସହ ବର୍ତ୍ତମାନ ଏମାନେ ନିଜ ପ୍ରତି ବିପଦ ଗଣିବା ଆରମ୍ଭ କରିଛନ୍ତି । ଗତ ୨୦୧୯ ନିର୍ବାଚନରେ ପ୍ରଦୀପ ପାଣିଗ୍ରାହୀ ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ଆସନରେ ବିଜେଡିର ଜିତାପଟ ପାଇଁ ସମସ୍ତ ଦାୟୀତ୍ୱ ଗ୍ରହଣ କରି ନିର୍ବଚନ ପରିଚାଳନା ଓ ପାଣ୍ଠି ବିନିଯୋଗ ଆଦିର ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ । ତଥାପି ଗଜପତି ଜିଲ୍ଲାରେ ବିଜେଡି ଦଳ ପାରଳାଖେମୁଣ୍ଡି ଓ ମୋହନା ଆସନରେ ପରାଜିତ ହେବା ସହ ପାରଳାଖେମୁଣ୍ଡିରେ ବିଜେପି ଓ ମୋହନାରେ କଂଗ୍ରେସ ଆସନ ଦଖଲ କଲା । ଗତ ସାଧାରଣ ନିର୍ବାଚନରେ ଦଳୀୟ ପାଣ୍ଠିକୁ ସଦ୍ ବିନିଯୋଗ କରା ନ ଯାଇ ବିଭିନ୍ନ ଭାବେ ହେରଫେର ହେବା ଯୋଗୁଁ ବିଜେଡିର ନିର୍ବାଚନ ଫଳାଫଳ ନୈରାଶ୍ୟଜନକ ହୋଇଥିବା ସେହି ସମୟରେ ବିଜେଡିର କେତେକ ନେତା ଓ କର୍ମୀ ଅଭିଯୋଗ କରିଥିଲେ । ଏଥି ପାଇଁ ପରୋକ୍ଷ ଭାବେ ମଧ୍ୟ ବିଜେଡି ହାଇକମାଣ୍ଡ ପ୍ରଦୀପଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ସହ ନିର୍ବାଚନର କିଛି ମାସ ପରେ ଗଜପତି ଜିଲ୍ଲା ଦାୟୀତ୍ୱରୁ ହଟାଇ ଥିଲେ । ହେଲେ ସେ ଯାହା ହେଉନା କାହିଁକି ଏଥି ପୂର୍ବରୁ ଗତ ୪ବର୍ଷ ମଧ୍ୟରେ ପ୍ରଦୀପ ପାଣିଗ୍ରାହୀ ଗଜପତି ଜିଲ୍ଲାରେ ବିଜୁ ଜନତା ଦଳର ସର୍ବେସର୍ବା ହୋଇଥିବାରୁ ତାଙ୍କର ଆନୁଗତ୍ୟ ବିଜୁ ଜନତା ଦଳ ସହ କେତେକ ପଦାଧିକାରୀଙ୍କ ଠାରେ ରହିବା ସ୍ୱାଭାବିକ । ପ୍ରଦୀପ ପାଣିଗ୍ରାହୀ ଦଳରୁ ବିଦା ହୋଇ ଜେଲ୍ ଜିବା ଘଟଣା ଘଟି ୪ଦିନରୁ ଅଧିକ ସମୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାର ନେତାମାନେ କୌଣସି ପ୍ରତିକ୍ରୀୟା ପ୍ରକାଶ କରି ନାହାଁନ୍ତି । ଏ ସବକୁ ଲକ୍ଷ୍ୟ କଲେ ଗଜପତି ବିଜେଡି ଦଳରେ ପ୍ରଦୀପ ପାଣିଗ୍ରାହୀଙ୍କ ଆନୁଗତ୍ୟ ନିଶ୍ଚିତ ରହିଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନେ ସନ୍ଦେହ ପ୍ରକାଶ କରୁଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ଆନୁଗତ୍ୟ ନେଇ ଦଳ ଭବିଷ୍ୟତରେ କେଉଁ ପଦକ୍ଷେପ ଗ୍ରହଣ କରିବେ ସେ ନେଇ ସମୟକୁ ଅପେକ୍ଷା କରିବାକୁ ପଡିବ ।


