ପୂର୍ବତନ ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ପ୍ରମୋଦ ଦାସଙ୍କ ପରଲୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ପୂର୍ବତନ ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ପ୍ରମୋଦ କୁମାର ଦାସଙ୍କ ୯୨ ବର୍ଷ ବୟସରେ କଟକସ୍ଥିତ ଏକ ଘରୋଇ ହସପିଟାଲରେ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଦାସ ରାଜ୍ୟ ସରକାରଙ୍କର ତତକାଳୀଣ କମ୍ୟୁନିଟି ଡେଭଲପମେଂଟ ଓ ରୁରାଲ ରିକନଷ୍ଟ୍ରକସନ(ସି.ଡି.ଆର.ଆର.) ବିଭାଗ ଅଧିନରେ ମଣ୍ଡଳ ଉନ୍ନୟନ ଅଧିକାରୀ ଭାବେ ନିଜସ୍ୱ ଚିନ୍ତାଧାରାରେ ସରକାରୀ ବ୍ୟବସ୍ଥାର ତ୍ରୁଟି ସଂଶୋଧନ କରି ୧୯୮୦-୮୧ ମସିହାରେ ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ । ଅବିଭକ୍ତ କଟକ ଜିଲ୍ଲାର ପଦ୍ମବନ ନେମାଳକୁ କଟକରୁ ସିଧା ରାସ୍ତା ନିର୍ମାଣାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଓ ଗରଦପୁର ବ୍ଲକ ସମେତ ନିଶ୍ଚିନ୍ତକୋଇଲୀ ବ୍ଲକରେ ମଣ୍ଡଳ ଉନ୍ନୟନ ଅଧିକାରୀ ଭାବେ ବିଗତ ଦିନରେ ଅନେକ ଜନ ହିତକର କାର୍ଯ୍ୟ କରିଥିଲେ ସ୍ୱର୍ଗତ ଦାସ । ପରବର୍ତ୍ତୀ ସମୟରେ କେଉଁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ସାମଜକଲ୍ୟାଣ ଅଧିକାରୀ ଭାବେ କାର୍ଯ୍ୟ କରି ସ୍ୱର୍ଗତ ଦାସ ଅବସର ଗ୍ରହଣ କରିଥିଲେ । ନିଜ ଗ୍ରାମ ଭରତପୁରରେ ଅବସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ଜିଲ୍ଲା ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି, ନିମାଇ ଚରଣ ମାନସିକ ନ୍ୟୁନତା ସଂସ୍ଥାନ ପରିଚାଳନା କମିଟିର ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ତାଙ୍କର ମଧ୍ୟମ ପୁତ୍ର ଦିଲ୍ଲୀ ପୈାରନିଗମର ବରିଷ୍ଠ କର୍ମଚାରୀ ସୁଶାନ୍ତ କୁମାର ଦାସ, ପୁତୁରା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶୁଭାଂଶୁ କୁମାର ଦାସ, ସାନଭାଇ ପ୍ରବୋଧ କୁମାର ଦାସ ଓ ସମସ୍ତ ପୁଅ ତଥା ଗ୍ରାମବାସୀମାନେ ତାଙ୍କ ମର ଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗ୍ରାମ୍ୟ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।


