ଶିକ୍ଷକ ସହଦେବ ବେହେରାଙ୍କୁ ମିଳିଲା ଗ୍ଲୋବାଲ ଡିଜିଟାଲ ଟିଚର ଏକ୍ସଲେନ୍ସି ଆୱାର୍ଡ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶାର ଆଦିବାସୀ ଅଧିଷ୍ୟୁତ ମୟୁରଭଞ୍ଜ ଜିଲାର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଧାତିକିଡିହା ସରକାରୀ ଉପ୍ରା ବିଦ୍ୟାଳୟର ଶିକ୍ଷକ ଭାବେ ସହଦେବ ବେହେରା କାର୍ଯ୍ୟରତ ଅଛନ୍ତି । ଚଳିତ ବର୍ଷ ତାଙ୍କୁ ଗ୍ଲୋବାଲ ଡିଜିଟାଲ ଏକାଡେମୀ ଦ୍ୱାରା ଆୟୋଜିତ ବିଶ୍ୱର ମର୍ଯ୍ୟଦାଜନକ ପୁରସ୍କାର ଗ୍ଲୋବାଲ ଡିଜିଟାଲ ଟିଚର ଏକ୍ସଲେନ୍ସି ଆୱାର୍ଡ-୨୦୨୦ ପୁରସ୍କାର ନଭେମ୍ବର ୨୭ ତାରିଖରେ ମିଳିଛି । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଯୋଗୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେ ବିଦ୍ୟାଳୟରେ ଉତ୍ତମ ଶିକ୍ଷା ପ୍ରଦାନ ସହ ଆଦିବାସୀ ପିଲା ମାନଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରିବା, ବିଭିନ୍ନ ଜିଲା, ରାଜ୍ୟ ସ୍ତରରେ ଶୈକ୍ଷିକ କାର୍ଯ୍ୟ କରିବା, ଆଲୋଚନା ଚକ୍ର, ୱେବିନାର ଓ କର୍ମଶାଳାରେ ଅଂଶିଦାର ହୋଇ ନିଜସ୍ୱ ମତ ପ୍ରଦାନ କରିବା ସହିତ ରାଜ୍ୟ ସାଧନ କର୍ମୀ ଭାବରେ ବେଶ ପରିଚିତ । ସେ ଓଡିଶା, ଉତ୍ତର ପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ବାଙ୍ଗାଲୋର, ଭୁଟାନ, ନାଇଜେରିଆ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ଫିଲିଫାଇନ୍ସ ଆଦି ଦେଶର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ଆନ୍ତର୍ଜାତିକ ସ୍ତରରେ ଶାନ୍ତି ଓ ମାନବାଧିକାର ପାଇଁ କାର୍ଯ୍ୟ କରୁଛନ୍ତି । ସେ ଅନ୍ଲାଇନ ମାଧ୍ୟମରେ ଶିକ୍ଷାଦାନ କରି ଛାତ୍ରଛାତ୍ରୀଙ୍କର ପ୍ରିୟଭାଜନ ହୋଇ ପାରିଛନ୍ତି । ଶ୍ରୀଯୁକ୍ତ ବେହେରା କେନ୍ଦୁଝର ଜିଲା ସଡଙ୍ଗୀ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ବାବାଜି ବେହେରା ଓ ସ୍ୱର୍ଗତା ମାଳତୀ ବେହେରାଙ୍କ ପୁତ୍ର ଅଟନ୍ତି ।


