ଧାନମଣ୍ଡି ଖୋଲିବାରେ ବିଳମ୍ବ ଅଭିଯୋଗ;ଦଲାଲ ସକ୍ରିୟ, ଚାଷୀ କ୍ଷତିଗ୍ରସ୍ତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଧାନମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିବା ନେଇ ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଂଚଳର ଚାଷୀ ମାନେ ଅଭିଯୋଗ କରିଛନ୍ତି । ଅମଳ ଧାନକୁ ସାଇତି ରଖିବା ପାଇଁ ଆବଶ୍ୟକ ସ୍ଥାନ ଅଭାବ ରହିଥିବା ବେଳେ ବନ୍ୟ ଜନ୍ତୁ ଓ ଲଘୁଚାପ ବର୍ଷା ଆଶଙ୍କା ରହିଥିବାରୁ ଚାଷୀକୁ ଭୟ ଘାରିଛି । ଏହାର ସୁଯୋଗ ନେଇ ଦଲାଲ ମାନେ ସକ୍ରିୟ ହୋଇ ଉଠିଛନ୍ତି । ଗାଁ ଗାଁ ବୁଲି ନିମ୍ନ ସହାୟକ ମୁଲ୍ୟ ଠାରୁ କମ୍ ଦରରେ ଚାଷୀଙ୍କ ଠାରୁ ଧାନ କିଣୁଥିବାର ଦେଖିବାକୁ ମିଳିଛି । ଶାଗମାଛ ଦରରେ ଅମଳ ଧାନକୁ କ୍ଷେତରୁ ହିଁ ଦଲାଲ ମାନେ ଚାଷୀଙ୍କ ଠାରୁ କିଣି ନେଉଛନ୍ତି । ସରକାରୀ ଧାନ ମଣ୍ଡି ଆରମ୍ଭ ହୋଇନଥିବାରୁ ଚାଷୀ ମାନେ ବାଧ୍ୟ ହୋଇ ଦଲାଲ ମାନଙ୍କୁ କମ୍ ଦରରେ ବିକ୍ରି କରୁଛନ୍ତି । ଏ ନେଇ ଚାଷୀଙ୍କୁ ବହୁତ କ୍ଷତିର ସମ୍ମୁଖୀନ ହେଉଛନ୍ତି । ହିଞ୍ଜିଳିକାଟୁ ବ୍ଳକରେ ଚଳିତ ବର୍ଷ ୧୯ଟି ସେବା ସମବାୟ ସମିତି , ଗୋଟିଏ ସ୍ୱଂୟ ସହାୟିକା ଗୋଷ୍ଠୀ ଓ ଗୋଟିଏ ପାଣି ପଂଚାୟତ ଜରିଆରେ ସରକାର ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣିବେ । ଗତ ବର୍ଷ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବାର ଦେଖିବାକୁ ମିଳିଥିଲା । ହଜାର ହଜାର ଚାଷୀ ଧାନ ବିକ୍ରି ପାଇଁ ଟୋକେନ ପାଇଥିଲେ ବି ଶେଷ ପର୍ଯ୍ୟନ୍ତ ଟାର୍ଗେଟ ନିଳିବାରୁ ଧାନ ବିକ୍ରି କରିପାରିନଥିବା ଜଣାପଡ଼ିଛି । ଫଳରେ ଚାଷୀ, ଦଲାଲଙ୍କୁ ଧାନ ବିକ୍ରି କରି ବେଶ କ୍ଷତି ସହିଥିଲେ । ଆନ୍ଧ୍ର ବେପାରୀ ଓ ମିଲର ମାଲେମାଲ ହୋଇଥିବାର ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ସେ ଭୁଲ ନଦୋହରାଇବା ପାଇଁ ସେଂଟ୍ରାଲ ଟୋକେନ ବ୍ୟବସ୍ଥା କରାଯାଇଛି । ପଞ୍ଜୀକୃତ ଚାଷୀ ନିଜ ନାମ ସମବାୟ ସମିତି ଓ ସ୍ୱଂୟ ସହାୟିକା ଗୋଷ୍ଠିଙ୍କ ନିକଟରେ ପଞ୍ଜିକରଣ ବେଳେ ଧାନ ବିକ୍ରି କରିବା ତାରିଖ ନିଜେ ଧାର୍ଯ୍ୟ କରିଛନ୍ତି । ସେହି ଅନୁସାରେ ଚଳିତ ବର୍ଷ ଚାଷୀଙ୍କୁ ଟୋକେନ ମିଳିବ । ହେଲେ ଡ଼ିସେମ୍ବର ୧୬ ତାରିଖରୁ ଗଞ୍ଜାମ ଜିଲ୍ଲାରେ ଧାନ ମଣ୍ଡି ଖୋଲିବାକୁ ଥିବା ବେଳେ ବର୍ତମାନ ସମୟରେ ଚାଷୀ ଅମଳ ଧାନକୁ କାଟି ରଖିଛି । ଏହାର ସୁଯୋଗ ନେଇ ଆନ୍ଧ୍ରାବେପାରୀ ଓ ଏଜେଂଟ ଗାଁ ଗାଁ ବୁଲି ଚାଷୀଙ୍କ ଠାରୁ ଧାନ କିଣୁଥିବାର ଦେଖିବାକୁ ମିଳିଛି । ଦଲାଲଙ୍କ ପ୍ରଲୋଭନରେ ଚାଷୀ ପ୍ରଲୋଭିତ ହୋଇ କ୍ୱିଂଟାଲ ପିଛା ୧୨୫୦ରୁ ୧୩ ଶହ ଟଙ୍କାରେ ଧାନ ବିକ୍ରି କରିବାରେ ଲାଗିଛନ୍ତି । ଏପରିକି ଚାଷୀଙ୍କୁ ଦଲାଲ ମାନେ ଧାନ କାଟିବା, ଅମଳ କରିବା ପାଇଁ ଅଗ୍ରୀମ ଟଙ୍କା ଓ ଧାନ ରଖିବା ପାଇଁ ଅଖା ଦେଉଥିବାର ଦେଖାଯାଉଛି । ଆନ୍ଧ୍ରବେପାରୀ ଓ ମିଲରଙ୍କ ଏଜେଂଟ ଚାଷୀଙ୍କ ଦୁଆର ମୁହଁରେ ସମସ୍ତ ପ୍ରକାର ସୁବିଧା ଦେଉଛନ୍ତି । ସରକାରୀ ମୁଲ୍ୟ କ୍ୱିଂଟାଲ ପିଛା ସର୍ବନିମ୍ନ ୧୮୬୮ ଟଙ୍କା ରହିଥିବା ବେଳେ ଆନ୍ଧ୍ର ବ୍ୟବସାୟୀ ଚାଷୀଙ୍କୁ ଅନେକ ସମୟରେ ବିଭିନ୍ନ ପ୍ରକାରର ସାହାର୍ଯ୍ୟ ଯୋଗାଇ ଦେଉଥିବା ନେଇ କିଛି ଚାଷୀ କହିଛନ୍ତି । ଅନ୍ୟପକ୍ଷରେ ହାତ ପାହାନ୍ତାରେ ନଗଦ ଟଙ୍କା, ପରିବହନ ଖର୍ଚ୍ଚ, ଅଖା, ଲୋଡ଼ିଂ ଓ ଅନଲୋଡ଼ିଂ ବାବଦକୁ ସବୁ ଟଙ୍କା ଦଲାଲ ଦେଉଥିବାରୁ ଚାଷୀ ମାନେ ବେପାରୀ ମୁହାଁ ହେଉଛନ୍ତି । ଚାଷୀଭ୍କ ଅଭିଯୋଗ ଅନୁଯାୟୀ ମଣ୍ଡିରେ ଧାନ ବିକ୍ରି ସମୟରେ ମିଲର ମାନେ କ୍ୱିଂଟାଲ ପିଛା ୫ରୁ୭ କିଲୋଗ୍ରାମ ବିଭିନ୍ନ ପ୍ରକାରର ଆଳ ଦେଖାଇ କାଟୁଥିବାର ଅଭିଯୋଗ ହୋଇଛି । ଏହା ସହ ଧାନ ବିକ୍ରି କରିବା ପାଇଁ ଟୋକେନ କେବେ ଆସିବ ତାହାର କିଛି ଠିକ୍ ଠିକଣା ନଥିବା ନେଇ ଚାଷୀ ମାନେ କହିଛନ୍ତି । ଚାଷୀ ମାନଙ୍କୁ ଦଲାଲ ମାନେ ଲୁଟୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ପ୍ରଦାନ କରି ତୁରନ୍ତ ଧାନ ମଣ୍ଡି ଆରମ୍ଭ କରିବାକୁ ହିଞ୍ଜିଳିକାଟୁ ଅଂଚଳର ଚାଷୀ ମାନେ ଦାବି ଜଣାଇଛନ୍ତି ।


