ସରିବ ଗ୍ରୀଷ୍ମ ଅବକାଶ : ଆଜିଠୁୁ ଆରମ୍ଭ ପାଠପଢା
ଆସିକା (ୱାଇଏନ୍ଏସ୍) : ଖରାଛୁଟି ଶେଷ ହେବା ପରେ ଆସନ୍ତାକାଲି ଅର୍ଥାତ୍ ୧୮ ତାରିଖରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେନ୍ଦୁପଦର, ନିମିନା, ବାଲିସିରା, କେ.ନୁଆଁପଲ୍ଲୀ, ଆସିକା ଏନ୍ଏସି, ନଳବଣ୍ଟା, ଖାରିଆ, କାଳଷଣ୍ଢପୁର, ବାବନପୁର, ହରିଡାପଦର, ଭେଟନଇ, ବଡଖୋଲି, ଗଙ୍ଗାପୁର କ୍ଳଷ୍ଟର ଅଧୀନସ୍ଥ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ, ପ୍ରାଥମିକ ବିଦ୍ୟାଳୟ ଖୋଲିବ ବୋଲି ଜଣାପଡିଛି । ଗ୍ରୀଷ୍ମ ଅବକାଶ ସରିବା ପରେ ଆସନ୍ତାକାଲି ଅର୍ଥାତ୍ ୧୮ ତାରିଖ ଠାରୁ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବାକୁ ଥିବା ବେଳେ ସେହିଦିନ ଠାରୁ ଶିଶୁବାଟିକା ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କୁ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯିବ ବୋଲି ଜଣାପଡିଛି । ଆସନ୍ତାକାଲି ଠାରୁ ସମସ୍ତ ସରକାରୀ ଓ ବେସରକାରୀ ତଥା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବା ସାଙ୍ଗକୁ ପାଠପଢା ସ୍ୱାଭାବିକ ଭାବେ ଆରମ୍ଭ ହେବ ବୋଲି ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ବୁଧବାର ନିଜ ନିଜ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ଶ୍ରେଣୀଗୃହ ଠାରୁ ଆରମ୍ଭ କରି ବିଦ୍ୟାଳୟର ସଫେଇ, ସ୍ୱଚ୍ଛତା, ପରିଷ୍କାର ପରିଚ୍ଛନ୍ନତା, ପିଇବା ପାଣି, ଶୌଚାଳୟ, ପାଣିଟାଙ୍କି ସଫା, ଶ୍ରେଣୀଗୃହରେ ଥିବା ସମସ୍ତ ଫର୍ଣ୍ଣିଚରକୁ ସଫାସୁତରା କରିବା ଦିଗରେ ପଦକ୍ଷେପ ନେବା ସହ ପିଲାଙ୍କ ବସିବା ଉପଯୋଗୀ, ଅନାବନା ଘାସ କଟା, ରୋଷେଇଶାଳ, ବାସନକୁସନ, ଗ୍ୟାସଷ୍ଟୋଭ୍ ଆଦିକୁ ସଫା, ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇ ସାମଗ୍ରୀର ଏକ୍ସପାଇରୀ ତାରିଖ ଯାଞ୍ଚ, ସ୍ମାର୍ଟକ୍ଳାସ୍ ରୁମ୍ ଓ ଇ-ଲାଇବ୍ରେରୀକୁ ବ୍ୟବହାର ପାଇଁ ପ୍ରସ୍ତୁତ, ପାନୀୟ ଜଳକୁ ଗୁରୁତ୍ୱ, ପିଲାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ନିଆଯାଇଥିବା ପଦକ୍ଷେପ ସମେତ ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି । ଚଳିତ ବର୍ଷ ଗତ ଏପ୍ରିଲ ମାସ ୨୭ ତାରିଖରୁ ଖରାଛୁଟି ଆରମ୍ଭ ହୋଇଥିଲା । ଗ୍ରୀଷ୍ମ ଅବକାଶ ପାଇଁ ଶିକ୍ଷାନୁଷ୍ଠାନ ଗୁଡିକ ବର୍ତ୍ତମାନ ବନ୍ଦ ରହିଥିଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଆଗୁଆ ଖରାଛୁଟି ଘୋଷଣା କରାଯାଇଥିଲା । ଗ୍ରୀଷ୍ମ ଛୁଟି ଆଜି ଶେଷ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ୧୮ ତାରିଖରୁ ସ୍କୁଲ ଖୋଲିବ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଦ୍ୟାଳୟ ଗୁଡିକର ବହୁ ଶିକ୍ଷକ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟରେ ନିୟୋଜିତ ଥିବାରୁ କେତେକ ବିଦ୍ୟାଳୟରେ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି ।


