ସରିଲା ରଜ, ଆରମ୍ଭ ହୋଇନି ଚାଷ କାର୍ଯ୍ୟ
ଆସିକା (ୱାଇଏନ୍ଏସ୍) : ଓଡିଆ ପରମ୍ପରା ଅନୁଯାୟୀ ମୌସୁମୀ ବାୟୁର ଆଗମନ ସହ ପ୍ରଥମ ବର୍ଷାଜଳ ପାଇ ଜମିର ସୁଖିଲା ମାଟି ଆର୍ଦର୍ର୍୍ର ହୋଇଥାଏ । ଯାହାକୁ ଧରତ୍ରୀ ମାତାର ରଜସ୍ୱଳା ସମୟ ବୋଲି ମଧ୍ୟ ବିଶ୍ୱାସ କରାଯାଇଥାଏ । ରଜପର୍ବ ଶେଷ ହୋଇଯାଇଥିଲେ ବି ଆବଶ୍ୟକୀୟ ବର୍ଷା ହୋଇନଥିବା ଯୋଗୁଁ ଆସିକା ଅଞ୍ଚଳର ଚାଷୀ ଚାଷକାର୍ଯ୍ୟ ଆରମ୍ଭ କରିପାରିନଥିବା ଜଣାପଡିଛି । ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ଅଧିକାଂଶ ଚାଷୀଙ୍କ ମହଲରେ ସେପରି ଆନନ୍ଦ ନାହିଁ । ଅତୀତରେ ରଜପର୍ବ ପୂର୍ବରୁ ଧାନ ବୁଣାବୁଣି ସାଙ୍ଗକୁ ତଳିପକା କାର୍ଯ୍ୟ ସାରି ଚାଷୀ ଆନନ୍ଦ ମନରେ ରହିଥାଏ । ଚଳିତବର୍ଷ ରଜପର୍ବ ଶେଷ ହୋଇଯାଇଥିଲେ ବି ମୌସୁମୀର ପରିବର୍ତ୍ତନ ଆସିନଥିବାରୁ ଏହା କେତେକ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଚଳିତମାସରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବାରୁ ଏବେ ମୌସୁମୀ ବର୍ଷାକୁ ଚାଷୀ ଅପେକ୍ଷା କରିବସିଛି । ବର୍ଷା ନହେଲେ ବିହନ ବୁଣା ଓ ତଳିପକା କାର୍ଯ୍ୟ ଆହୁରି ବିଳମ୍ବ ହେବାର ସମ୍ଭାବନା ରହିଥିଲା ବେଳେ ଯାହାର ସିଧାସଳଖ ପ୍ରଭାବ ଚାଷ ଉତ୍ପାଦନ ଉପରେ ପଡିବା ସମ୍ଭାବନାକୁ ଏଡାଇ ହେଉ ନାହିଁ । ଆସିକା ବ୍ଳକ୍ ଓ ଏନ୍ଏସି ଅଧିନସ୍ଥ କେତେକ ଅଞ୍ଚଳରେ ଚଳିତବର୍ଷର ଖରିଫ୍ ଧାନଚାଷ ବିଳମ୍ବ ହୋଇଛି । ଗତ ଏପ୍ରିଲ ମାସ ୨୦ତାରିଖରୁ ପବିତ୍ର ଅକ୍ଷୟ ତୃତୀୟା ତିଥିରେ କେତେକ ଚାଷୀ ଅଖିମୁଠି ଅନୁକୂଳ କରିଥିଲେ ମଧ୍ୟ ଆବଶ୍ୟକତା ପରିମାଣର ବର୍ଷା ହୋଇନଥିବା ଯୋଗୁଁ ବିଲରେ ହଳ ପଶିପାରି ନାହିଁ । ଆସିକା ଅଞ୍ଚଳର ଶହଶହ ଚାଷୀ ମୌସୁମୀ ବର୍ଷାକୁ ଚାହିଁ ବସି ରହିଛନ୍ତି । ଆସିକା ଅଞ୍ଚଳର ଶହଶହ ଏକର ଜମି ବର୍ଷାଜଳ ଉପରେ ନିର୍ଭରଶୀଳ ଥିବାବେଳେ ଆସିକା ଅଞ୍ଚଳରେ ଚଳିତ ଜୁନ୍ ମାସ ୧୫ ତାରିଖ ସୁଦ୍ଧା ପ୍ରାୟ ୯୩ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ଚାଷୀ ଚାଷକାମ ଆରମ୍ଭ କରିଥାଏ । ଗତ ଏପ୍ରିଲ ମାସ ୨୦ତାରିଖରେ ଅକ୍ଷୟ ତୃତୀୟା ପର୍ବ ଶେଷ ହୋଇଯାଇଛି । ଆସିକା ଅଞ୍ଚଳର ଅଧିକାଂଶ ଜମି ବର୍ଷାଜଳ ଉପରେ ନିର୍ଭରଶୀଳ ଥିବାରୁ ଚାଷୀ ଏବେ ମୌସୁମୀ ବର୍ଷାକୁ ଅପେକ୍ଷା କରି ବସିଛି । ଆସିକା ଅଞ୍ଚଳରେ ଖରିଫ୍ ଋତୁରେ ଅଧିକରୁ ଅଧିକ ଧାନଚାଷ ହୋଇଥାଏ । ଆସିକା ବ୍ଳକ ଅଧିନସ୍ଥ ଅଧିକାଂଶ ଅଞ୍ଚଳରେ ଗତ କିଛିଦିନ ହେଲା ଆବଶ୍ୟକ ପରିମାଣର ବର୍ଷା ହୋଇନଥିବା ଯୋଗୁଁ ଚାଷୀ ଚିନ୍ତାରେ ପଡିଯାଇଛି । ଜମିରେ ଚାଷ କରିବା ପାଇଁ ବର୍ତ୍ତମାନ ବର୍ଷାଜଳ ଅପେକ୍ଷାରେ ରହିଥିବା ଜଣାପଡିଛି । ଯାହାରି ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଥିବା ଲକ୍ଷ୍ୟ କରାଯାଇଛି । ଆସିକା କୃଷିଜିଲ୍ଲା କାର୍ଯ୍ୟାଳୟ ଅଧିନସ୍ଥ ଆସିକା ବ୍ଳକ୍ ଓ ଏନ୍ଏସି ଅଧିନସ୍ଥ ଅଞ୍ଚଳର ସମୁଦାୟ ୧୭୬୩୯ ହେକ୍ଟର ଚାଷ ଜମି ମଧ୍ୟରୁ ୭୨୧୩ ହେକ୍ଟର ଜମିରେ ଧାନଚାଷ ଓ ୧୦୪୨୬ ହେକ୍ଟର ଜମିରେ ଅଣଧାନଚାଷ କରାଯାଉଥିବା ଜଣାପଡିଛି । ଆସିକା କୃଷିଜିଲ୍ଲା କାର୍ଯ୍ୟାଳୟ ଅଧିନସ୍ଥ ଋଷିକୁଲ୍ୟା କେନାଲ୍ ଜରିଆରେ ୧୨୫୫୫ ହେକ୍ଟର ଜମିରେ ଜଳସେଚନ ପାଇଁ ସୁବିଧା ରହିଥିବା ବେଳେ ୫୦୮୪ ହେକ୍ଟର ଜମି ବର୍ଷାଜଳ ଉପରେ ନିର୍ଭରଶୀଳ । ତେବେ ବର୍ଷାଭାବରୁ ବର୍ତ୍ତମାନ ଆସିକା ଅଞ୍ଚଳର ଚାଷୀକୁଳ ହତାଶ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା ଦିନେ ଦୁଇ ଦିନ ଭିତରେ ବର୍ଷା ହେଲା ପରେ ଚାଷୀ ଜମିରେ ବିହନ ବୁଣି ତଳି ପକାଇ ଚାଷକାର୍ଯ୍ୟ ଆରମ୍ଭ କରିବାକୁ ସଜବାଜ ହେଉଥିବା ଜଣାପଡିଛି । ଆସିକା ବ୍ଳକ ଓ ଏନ୍ଏସି ଅଧୀନସ୍ଥ ଅଞ୍ଚଳରେ ୨୧ଟି ସରକାରୀ ଧାନବିହନ ବିକ୍ରୟ କେନ୍ଦ୍ରରେ ବିହନ ବିକ୍ରୀ କରାଯାଉଥିବା ଜଣାପଡିଛି । ସେଥିମଧ୍ୟରୁ ୧୬ଟି ସେବା ସମବାୟ ସମିତି ଓ ୫ଟି ସରକାରୀ ସ୍ୱିକୃତୀପ୍ରାପ୍ତ ଖୁଚୁରା ବିକ୍ରୟ କେନ୍ଦ୍ରରେ ଧାନ ବିହନ ବିକ୍ରୀ କରାଯାଉଛି । ଆସିକା ଅଞ୍ଚଳରେ ଏଯାବତ୍ ବର୍ଷା ଅଭାବରୁ ଆରମ୍ଭ ହୋଇନାହିଁ ବିହନ ବୁଣା । ଚାଷୀକୂଳ ମୌସୁମୀ ଆସିବା ବାଟକୁ ଅନାଇ ବସିଛନ୍ତି । ପାଗ ଅନୁକୂଳ ହେଲେ ବିଲରେ ଧାନବିହନ ବୁଣିବେ ବୋଲି ଅପେକ୍ଷା କରିଛନ୍ତି । ଆସିକା ବ୍ଳକ ଓ ଏନ୍ଏସି ଅଧୀନସ୍ଥ ଶହ ଶହ ଚାଷୀଙ୍କୁ ମୌସୁମୀ ବର୍ଷା ହିଁ ସାହାରା ବୋଲି ଆଲୋଚିତ ହେଉଥିବା ବେଳେ ଚାଷୀମାନେ ବିଭିନ୍ନ କିସମର ଧାନ ଖରିଫ୍ରେ ଚାଷ କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।


