ଡାକବିଭାଗ ପକ୍ଷରୁ ଶାଖା ଡାକପାଳଙ୍କ କର୍ମଶାଳା
ଆସିକା (ୱାଇଏନ୍ଏସ୍) : ସ୍ଥାନୀୟ ସମବାୟ ଚିନିଶିଳ୍ପ ଲିଃର ଅତିଥି ଭବନରେ ବୁଧବାର ପୂର୍ବାହ୍ନରେ ଆସିକା ଡାକମଣ୍ଡଳ ଅଧୀନସ୍ଥ ପୂର୍ବ ଉପଖଣ୍ଡ ଅନ୍ତର୍ଗତ ଚିନିଶିଳ୍ପ ନୁଆଗାଁ ଉପଡାକଘର ଏବଂ ଗୁଣ୍ଠପଡା ଉପଡାକଘର ଓ ମୁଣ୍ଡମରାଇ ଉପଡାକଘର ଅଧୀନରେ କାର୍ଯ୍ୟରତ ଥିବା ବିପିଏମ୍ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଦିଲୀପ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଡାକବିଭାଗର ପୋଷ୍ଟମାଷ୍ଟର ଜେନେରାଲ୍ କର୍ଣ୍ଣେଲ୍ ବିନୋଦ କୁମାର ଯୋଗଦେଇ ଡାକବିଭାଗର ୬ଟି ପ୍ରମୁଖ ବ୍ୟବସାୟିକ କ୍ଷେତ୍ର ଯଥା ଘରୋଇ ଡାକ, ପାର୍ସଲ୍ ସେବା, ଆନ୍ତର୍ଜାତୀୟ ଡାକସେବା, ନାଗରିକ-କେନ୍ଦ୍ରୀୟ ଡାକସେବା, ଡାକ ସଞ୍ଚୟ ବ୍ୟାଙ୍କ ଏବଂ ଡାକଜୀବନ ବୀମାର ସଫଳ କାର୍ଯ୍ୟକାରିତା ଉପରେ ବିସ୍ତୃତ ଭାବେ ଉପସ୍ଥିତ ବିପିଏମ୍ ମାନଙ୍କୁ ମାର୍ଗଦର୍ଶନ କରିବା ସାଙ୍ଗକୁ ଜନସାଧାରଣଙ୍କ ଯୋଗାଯୋଗକୁ ବୃଦ୍ଧି କରିବା ଏବଂ ସେବା ପ୍ରଦାନକୁ ଆହୁରି ଉନ୍ନତ କରିବା ସାଙ୍ଗକୁ ଡାକସେବାର ମୁଖ୍ୟକ୍ଷେତ୍ର ଗୁଡିକୁ ଆହୁରି ଦୃଢୀଭୁତ କରିବା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଡାକବିଭାଗର ପୋଷ୍ଟମାଷ୍ଟର ଜେନେରାଲ୍ କର୍ଣ୍ଣେଲ୍ ବିନୋଦ୍ କୁମାର କର୍ମଶାଳାରେ ଉପସ୍ଥିତ ଥିବା ୨୫ ଜଣ ଶାଖା ଡାକପାଳମାନଙ୍କୁ ବିଭିନ୍ନ ଡାକସେବା ସଂକ୍ରାନ୍ତୀୟ ସୁବିଧା ଅସୁବିଧା ଉପରେ ପଚାରି ବୁଝିବା ସାଙ୍ଗକୁ ଡାକସେବାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଡାକଘର ସଞ୍ଚୟ ଖାତାକୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଖାତା ସହିତ ସଂଯୋଗ କରିବା, ଡାକ ସଞ୍ଚୟ ବ୍ୟାଙ୍କ ଖାତା ଖୋଲିବା ଏବଂ ଡାକଜୀବନ ବୀମା କାର୍ଯ୍ୟକୁ ଆହୁରି ଅଧିକରୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ ପାରଦର୍ଶିତା ଦେଖାଇଥିବା ୯ ଜଣ ଶାଖା ଡାକପାଳଙ୍କୁ ସମ୍ମାନିତ କରାଯାଇଥିଲା । ଆସିକା ଡାକମଣ୍ଡଳର ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଦିଲୀପ କୁମାର ବେହେରା ଏହି କର୍ମଶାଳା ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଡାକ ନେଟ୍ୱର୍କକୁ ଦଳଗତ କାର୍ଯ୍ୟ ଏବଂ ଗ୍ରାହକକେନ୍ଦ୍ରିକ ସେବା ଓ ବ୍ୟବସାୟ ବିକାଶ ପଦକ୍ଷେପର ଗୁରୁତ୍ୱ ଉପରେ ଆଲୋକପାତ କରିଥିବା ବେଳେ ଭଂଜନଗର ଡାକବିଭାଗର ଉପସହକାରୀ ଅଧୀକ୍ଷକ ଶ୍ରୀମତୀ କିରଣମାଳା ପଣ୍ଡା ଯୋଗଦେଇ ଡାକସେବାର ବିଭିନ୍ନ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପୋଷ୍ଟମାଷ୍ଟର ଜେନେରାଲ୍ କର୍ଣ୍ଣେଲ୍ ବିନୋଦ୍ କୁମାର ଆସିକା ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ପରିଦର୍ଶନ କରି ୭ ତାରିଖ ଦିନ ଘଟିଥିବା ଭାୟାବହ ଅଗ୍ନିକାଣ୍ଡର ସମୀକ୍ଷା କରିବା ସହ ପୁନରୁଦ୍ଧାର ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପୋଷ୍ଟମାଷ୍ଟର ଜେନେରାଲ୍ କର୍ଣ୍ଣେଲ୍ ବିନୋଦ୍ କୁମାରଙ୍କ ସମବାୟ ଚିନିଶିଳ୍ପ ଅତିଥି ଭବନରେ ଅନୁଷ୍ଠିତ କର୍ମଶାଳା କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବିଭାଗୀୟ କର୍ମଚାରୀ ଅନୁପ୍ କୁମାର ପାଣିଗ୍ରାହୀ, ଦୀପକ ପାଣିଗ୍ରାହୀ, ରମେଶ ଚନ୍ଦ୍ର ସେଠୀ, ପ୍ରଭାତ କୁମାର ପ୍ରଧାନ, ଲକ୍ଷ୍ମୀ ନାରାୟଣ ପାତ୍ର, ସନ୍ତୋଷ କୁମାର ଗୌଡ, ସମରେଶ୍ ଗୌଡ, ବିଜୟ କୁମାର ପଣ୍ଡା, ବାବୁଲା ପାତ୍ର, ପିଙ୍କୁ ମହାନ୍ତି, ସୂର୍ଯ୍ୟନାରାୟଣ ସେଠୀଙ୍କ ସମେତ ବହୁ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


