ବିଜେପୁରରେ ନୂଆ-ପୁରୁଣା ଲଢ଼େଇ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ଲାଗି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ଶେଷ ହୋଇଛି । ଆସନ୍ତାକାଲି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ । ଦୁଇ ପୁରୁଣା ମୁହଁ ବିଜେଡିର ରୀତା ସାହୁ ଓ ବିଜେପିର ସନତ ଗଡ଼ତିଆଙ୍କ ସହିତ କେଂଗ୍ରସର ନୂଆ ମୁହଁ ଦିଲୀପ ପଣ୍ଡାଙ୍କ ମଧ୍ୟରେ ମୁକାବିଲା ଲାଗି କ୍ଷେତ୍ର ପ୍ରସ୍ତୁତ ହୋଇଛି । ଏଥିସହିତ ରାଜନୈତିକ ମହଲରେ ବିଜେପୁର ଉପନିର୍ବାଚନକୁ ନେଇ ଅବଗଣନା ମଧ୍ୟ ଆରମ୍ଭ ହୋଇଗଲାଣି । ଏହି ମହଲରେ ତର୍ଜମା ଆରମ୍ଭ ହୋଇଛି, କିଏ ଦଖଲ କରିବ ବିଜେପୁର?
କୌତୂହଳର କଥା ହେଉଛି, ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ମାତ୍ରେ ପରସ୍ପରର ନିକଟତର ଥିବା ବିଜେଡି-ବିଜେପି ସେମାନଙ୍କ ଆଚରଣ ବଦଳାଇବା ଆରମ୍ଭ କଲେଣି । ସାଧାରଣ ନିର୍ବାଚନ ପରଠାରୁ ଉଭୟ ଉଭୟଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ସମର୍ଥନ ଯୋଗାଇ ଆସୁଥିଲେ । ଆଉ ଏବେ କଥା କଥାକେ ପୁଣି ଚିହିଁକି ଉଠିଲେଣି ।
ଆଜି ବିଜେପି ସାଂସଦ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ କଣ କରିଛନ୍ତି, ତାର ହିସାବ ମାଗିଛନ୍ତି । ଏହା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ବିଜେଡିର ଭାବମୂର୍ତି କଳା କରିବା ଲାଗି ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସ୍ଥାନୀୟ ନେତାଙ୍କୁ ଦଳ ଟାର୍ଗେଟ କରିଥିଲା । ଅଭିଯୁକ୍ତକୁ ସୁରକ୍ଷା ଦେଉଥିବାର ଅଭିଯୋଗ ଆଣିଥିଲା ଦଳ । ରଣନୀତି ସୂଚାଇଲାଣି ଯେ ସୁରେଶ ପୂଜାରୀଙ୍କୁ ସାମ୍ନାରେ ରଖି ବିଜେପି ଏହି ଉପନିର୍ବାଚନ ଲଢ଼ିବ ।
ବିଜେପିର ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ପରିବର୍ତିତ ରଣକୌଶଳ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି । କାରଣ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ପରଦିନ ଉଭୟ ଉଭୟଙ୍କର ପ୍ରଶଂସା ପାଇଁ ବାଟ ଖୋଲିବା ଘଟଣାରାଜ୍ୟବାସୀ ଭୁଲିନାହାନ୍ତି । ଏଣୁ ବିଜେପିର ଏହି କୌଶଳ ସାଧାରଣ ଭୋଟରଙ୍କୁ କେତେ ପ୍ରଭାବିତ କରିବ, ତାହା ଉପରେ ଅଧିକ ତର୍ଜମା ଆରମ୍ଭ ହୋଇଛି ।
କଂଗ୍ରେସ ନୂଆ ତରିକାରେ ନିର୍ବାଚନ ଲଢିବା ସଂପର୍କରେ ସୂଚାଉଛି । ଏଥର ନିର୍ବାଚନ ପରିଚାଳନା ଲାଗି ସ୍ଥାନୀୟ ୯ଜଣ ନେତାଙ୍କୁ ପିସିସି ଦାୟିତ୍ୱ ଦେଇଛି ଓ ସମସ୍ତଙ୍କ ଠାରୁ ଆଗରେ ପ୍ରାର୍ଥୀ ଘୋଷଣା କରିଥିଲା । ସ୍ଥାନୀୟ ଅଞ୍ଚଳର ଜଣେ ଯୁବ ନେତା ଦିଲୀପଙ୍କୁ ନିର୍ବାଚନ ମଇଦାନକୁ ଆଣି ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ବିକଳ୍ପ ଭାବେ ଉଭା କରାଇବାକୁ ଉଦ୍ୟମ କରିଛି । ହେଲେ ଦଳ ପାଇଁ ସମସ୍ୟା ହେଲା, ପୁଅକୁ ପ୍ରାର୍ଥୀ ନ କରାଯିବା କାରଣରୁ କେଂଗ୍ରସ ନେତା ରିପୁନାଥ ସେଠ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଲାଣି । ସେହିଭଳି ଗତ କିଛି ଉପନିର୍ବାଚନ ସୂଚାଇଛି ଯେ ବିଭିନ୍ନ ରାଜନୈତିକ ଦଳ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି । ହେଲେ ଅର୍ଥ ନାହିଁ ଓ ଆକାଉଣ୍ଟ ନମ୍ବର ଦେଇ ଦଳୀୟ ନେତୃତ୍ୱ ଟଙ୍କା ମାଗିବା ପରୋକ୍ଷରେ କର୍ମୀଙ୍କୁ ନିରୁତ୍ସାହିତ କରିଛି ।
ବିଜେଡି ପୁରୁଣା ପ୍ରାର୍ଥୀ ଓ ପୁରୁଣା ରଣନୀତିରେ ନିର୍ବାଚନ ଲଢିବାକୁ ଆରମ୍ଭ କରିଛି । ଆଦୌ କୋଳାହଳ ନ କରି ଲୋକଙ୍କ ସହିତ ରହିବା ଲାଗି ବିଜେଡି ଶୀର୍ଷ ନେତୃତ୍ୱ ବିଜେପୁର ଦାୟିତ୍ୱ ନେଇଥିବା ନେତାଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ମନ୍ତ୍ର ଧରି ଆଜି ସୁଦ୍ଧା ପ୍ରାୟ ୫୦ରୁ ଅଧିକ ବରିଷ୍ଠ ଓ ଯୁବ ନେତା, ବିଧାୟକ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଗାଁ ଗଣ୍ଡାରେ ନେତା ଗଡ଼ ଜଗିବା ଆରମ୍ଭ କଲେଣି । ଦଳର ଛାମୁଆ ନେତାମାନେ ଭୁବିଜେପୁରରେ ଅଫିସ ଖୋଲି ଆଜି ପ୍ରାରମ୍ଭିକ ସ୍ଥିତି ସମୀକ୍ଷା କରିଛନ୍ତି । ଆସନ୍ତାକାଲି ଏକ ବଡ଼ ରାଲିରେ ଯାଇ ରୀତା ପ୍ରାର୍ଥିପତ୍ର ଦାଖଲ କରିବେ ।
ଉଲ୍ଲେଖଯୋଗ୍ୟ ଯେ ୨୦୧୮ ବିଜେପୁର ନିର୍ବାଚନରେ ଦିବଙ୍ଗତ କଂଗ୍ରେସ ନେତା ସୁବଳ ସାହୁଙ୍କ ଧର୍ମପତ୍ନୀ ରୀତା ସାହୁ ବିଜେଡିର ବିଜେପୁର ପ୍ରାର୍ଥୀ ହୋଇଥିଲେ । କଂଗ୍ରେସ ଦୁର୍ଗ ଭେଦି ବିଜେଡି ନିଜ ପକେଟକୁ ଆଣିଥିଲା ଏହି ଆସନ । ୨୦୧୯ ସାଧାରଣ ନିର୍ବାଚନରେ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ପ୍ରାର୍ଥୀ ହୋଇଥିଲେ । ବଡ଼ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିଲେ । ସେତେବେଳେ ସନତ ଗଡତିଆ ପାଖାପାଖି ୫୧ ହଜାର ଭୋଟ ହାତେଇଥିଲେ ଓ ବିଜେପି ଦ୍ୱିତୀୟ ସ୍ଥାନ ଦଖଲ କରିଥିଲା । ଉଭୟ ପୁରୁଣା ନେତାଙ୍କ ସହିତ ଏଥର ନୂଆ ପ୍ରାର୍ଥୀ ଭାବେ ବରଗଡ଼ ଜିଲ୍ଲା କଂଗ୍ରେସ ଉପସଭାପତି ଦିଲୀପ ପଣ୍ଡା ଲଢିବେ ।
ଏବେ ଦେଖିବା କଥା, ୨୦୧୮ ଉପ-ନିର୍ବାଚନର ପୁନରାବୃତ୍ତି ହେବ ନା ନାହିଁ? ସନତଙ୍କୁ ଭରସା ଓ ସୁରେଶଙ୍କ ନେତୃତ୍ୱରେ ବିଜେପି ବାଜିମାତ୍ କରିବ? ନା ଦୁର୍ବଳ ହୋଇପଡ଼ିଥିବା “ହାତ’ ବଳ ଫେରିପାଇବ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ