‘ମାନବ ଅଧିକାର ଦିବସ’ ଉପଲକ୍ଷେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଯୋଡ଼ା,(ସମୀର କୁମାର ଦାସ): ଡିସେମ୍ବର ୧୦, ୨୦୨୦: ‘ମାନବ ଅଧିକାର ଦିବସ’ ଉପଲକ୍ଷେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ତଲକ ହଟିଂ, ଜୋରିବାର, ବିଚ୍ଚାକୁଣ୍ଡି ଏବଂ ଖଣ୍ଡବନ୍ଧଠାରେ ୪ଟି ସଚେତନତା ଅଧିବେସନ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷ ‘ଉନ୍ନତ ପୁନରୁଦ୍ଧାର-ମାନବ ଅଧିକାର ସମର୍ଥନରେ ଠିଆ ହେବା’ ନାମକ ବିଷୟବସ୍ତୁ ଉପରେ ଜୋରିବାର, ତଲକ ହଟିଂ, ବିଚ୍ଚାକୁଣ୍ଡି ଓ ଖଣ୍ଡବନ୍ଧଠାରେ ଆୟୋଜିତ ହୋଇଥିବା ସଚେତନତା ଅଧିବେସନରେ ଯୁବକ ଯୁବତୀ, ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ମିଶାଇ ୫୦ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ମାନବ ଅଧିକାର ଉଲ୍ଲଙ୍ଘନକୁ ନିୟନ୍ତ୍ରଣ କରିବାରେ ସଚେତନତା କାର୍ଯ୍ୟକ୍ରମର ଏକ ପ୍ରମୁଖ ଭୂମିକା ରହିଛି । ଅଧିକ ସୁଫଳ ପାଇବା ପାଇଁ ଶିକ୍ଷା ଦ୍ୱାରା ବ୍ୟକ୍ତିମାନଙ୍କୁ ନିଜ ଅଧିକାର ପ୍ରତି ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବା ବ୍ୟତୀତ ସାଧାରଣ ଲୋକମାନଙ୍କ ବିଭିନ୍ନ ଅଧିକାର ସହିତ ଅସମାନତା, ବହିଷ୍କାର ଓ ପକ୍ଷପାତିତା ଭଳି ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସଚେତନ କରିବା ଲକ୍ଷ୍ୟରେ ଏହି ଅଧିବେସନର ଆୟୋଜନ କରାଯାଇଥିଲା । ଏହି ଅଧିବେସନରେ ‘ସମ୍ବିଧାନଗତ ଅଧିକାର’ ଉପରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ମାନବ ଅଧିକାର ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ଟାଟା ଷ୍ଟିଲ ଫାଉଣ୍ଡେସନ୍ର ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ଆମ ସମ୍ବିଧାନରେ ସ୍ଥାନିତ ନୀତି ଓ ଆଦର୍ଶ ତଥା ଏହାର ସୁରକ୍ଷା ପାଇଁ ମାନବ ଅଧିକାରର ସାର୍ବଜନୀକରଣ ଘୋଷଣାନାମା ମାଧ୍ୟମରେ ଏକ ନ୍ୟାୟପୂର୍ଣ୍ଣ ତଥା ସମାନ ସମାଜ ହାସଲ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ସହିତ ମାନବିକ ଗାରିମା ଏବଂ ଦେଶର ନାଗରିକମାନଙ୍କ ଅଲଂଘନୀୟ ଅଧିକାରର ପ୍ରସାର ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ।