ରୋଗୀଣା ପୁଅକୁ ବାପ ଛାଡିଦେଲା ପରେ …………
ମା କୋଳକୁ ଆଶ୍ରା କରି ଦେଢବର୍ଷ ହେବ ବ୍ଲଡ କ୍ୟାନସରରେ ଛଟପଟ ହେଉଛି ଆଶିଷ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ମା କୋଳ ଖାଲି ରହିଲେ ଜଣେ ନାରୀ ଦୁଃଖି ରହିଥାଏ । ଯଦିବା ଲକ୍ଷେ ଶିବ ପୂଜିବା ପରେ କୋଳ ପୂରଣ ହୋଇଥାଏ । ତାହା କେଉଁ ମୂହୁର୍ତ୍ତରେ ଖାଲି ହୋଇଯିବ ସେ କଥା ଭାବିଭାବି ମଧ୍ୟ ମାଆଟିଏ ଦୁଃଖରେ ମ୍ରିୟମାଣ ହୋଇଯାଏ । ନଥିବ ନାହିଁ ପୁଅଟିଏ ଥାଇ ରୋଗ ଯନ୍ତ୍ରଣାରେ ଛଟପଟ ହେବା ମାଆ ପାଇଁ ଯେ କେତେ କଷ୍ଟ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ବିରୋଳି ଗ୍ରାମର ସୁଜାତା ଜେନା ନିକଟ ଆନନ୍ଦପୁର ଗ୍ରାମର ମାନସ କୁମାର ଜେନାଙ୍କୁ ବିବାହ କରିଥିଲେ । ବିବାହ ପରେ ପରେ ସୁଜାତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପୁଅ ଆଶିଷକୁ ଛଅମାସ ହୋଇଥିବାବେଳେ ସେ ଦୀର୍ଘଦିନ ଧରି ଜ୍ୱରରେ ଆକ୍ରାନ୍ତ ହୋଇଥିଲା । ବାପ ମାଆ ପୁଅକୁ ନେଇ କଟକ ଠାରେ ପରୀକ୍ଷା ନିରୀକ୍ଷା କରିବାରୁ ତାକୁ ମାରାତ୍ମକ ବ୍ଲଡ କ୍ୟାନସର ହୋଇଥିବା ଜଣାପଡିଥିଲା । ଏହାପରେ ସୁବିଧାବାଦୀ ମାନସ ମାଆ ପୁଅଙ୍କ ହାତ ଛାଡିଦେଇଥିଲା । ପୁଅ ଭଲ ହେଲେ ଘରକୁ ଫେରିବୁ ବୋଲି କହି ସ୍ୱାମୀ ଦେଢର୍ଷ ହେବ ମାଆ ପୁଅଙ୍କୁ ଧରାଛୁଆଁ ଦେଉନାହିଁ । ସୁଜାତା ଭାଗ୍ୟକୁ ଆଦରି ବାପଘର ବିରୋଳି ଠାରେ ରହି ପୁଅ ଆଶିଷର ଚିକିତ୍ସା ଆରମ୍ଭ କରିଥିଲା । ଦୀର୍ଘ ଦେଢବର୍ଷ ହେବ କଟକ ଶିଶୁ ଭବନ ଠାରେ ପୁଅର ଚିକିତ୍ସା ହେଉଥିବାବେଳେ ମାମୁଁ, ଅଜା ମଧ୍ୟ ନିଜର ଜମିବାଡି ବିକ୍ରି କରିସାରିଲେଣି । ଏପରିକି ବୃଦ୍ଧ ବୟସରେ ଆଶିଷର ଅଜା ମଗାଯଚା କରି ନାତି ପାଇଁ ଅର୍ଥ ଯୋଗାଡ କରୁଥିଲେ ସୁଦ୍ଧା ତାହା ସମୁଦ୍ରକୁ ଶଙ୍ଖେ ଭଳି ହେଉଛି । ପ୍ରତ୍ୟକ ମାସରେ ଦୁଇଥର ରକ୍ତ ବଦଳିବା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଅନେକ ଟଙ୍କା ଖର୍ଚ୍ଚ ହେଉଥିବାରୁ ସୁଜାତା ମଧ୍ୟ ଏକମାତ୍ର ପୁଅକୁ ବଞ୍ଚାଇବା ପାଇଁ ମଗାଯଚା କରୁଛନ୍ତି । ଜିଲ୍ଲା ରେଡ କ୍ରସ ପକ୍ଷରୁ ଯଦିଓ ଚିକିତ୍ସା ପାଇଁ ୨୦ହଜାର ଟଙ୍କା ଯୋଗାଯାଇଥିଲା । ତାହା ମଧ୍ୟ ମାରାତ୍ମକ ରୋଗ ତୁଳନାରେ କିଛି ନୁହଁ । ଏବେ ଆଶିଷର ରକ୍ତ ଦିଆଯାଇଥିବାବେଳେ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ହୋଇଯାଇଛି । ବିଶେଷକରି କ୍ୟାନସରର ଉପଶମ ପାଇଁ ବ୍ୟବହାର କରାଯାଉଥିବା କେମୋ କମ ଦାମର ହୋଇଥିବାରୁ ଆଶିଷ ଭଲ ହୋଇପାରୁନଥିବା ମାମୁ ଉମାକାନ୍ତ କହିଛନ୍ତି । ତେଣୁ ତାକୁ ବମ୍ବେ ନେବା ପାଇଁ କିଛିଲୋକ ପରାମର୍ଶ ଦେଉଥିଲେ ସୁଦ୍ଧା ଆର୍ଥିକ ଅନଟନ ଯୋଗୁ ତାହା ସମ୍ଭବ ହେଉନଥିବା ଜଣାଇଛନ୍ତି । ବମ୍ବେରେ ବ୍ଲଡ କ୍ୟାନସର ପାଇଁ ଉପଯୁକ୍ତ ଚିକିତ୍ସା ମିଳିଲେ ପୁଅ ଭଲ ହୋଇଯିବା ଆଶା ଥିଲେ ସୁଦ୍ଧା ଆବଶ୍ୟକୀୟ ଅର୍ଥ ନଥିବାରୁ ମାଆ ମଧ୍ୟ ଦୁଃଖରେ ଭାଙ୍ଗି ପଡୁଛନ୍ତି । ଗତ ଦେଢବର୍ଷ ମଧ୍ୟରେ ବନ୍ଧୁ, ବାନ୍ଧବ ଓ ଆତ୍ମୀୟସ୍ୱଜନ ଯାହା କିଛି ସାହାଯ୍ୟ କରିସାରିବା ପରେ ରୋଗ ବଢିବା ବେଳକୁ ଆଶିଷ ପାଇଁ କେହି ଆହା କହୁନାହାଁନ୍ତି । ଏପରିସ୍ଥଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଯଦି ନିଷ୍ପାପ ଶିଶୁ ପ୍ରତି ସାହାଯ୍ୟର ହାତ ବଢାନ୍ତି ଗୋଟିଏ ମାଆର କୋଳ ସବୁଦିନ ପାଇଁ ହସି ଉଠନ୍ତା ଏଥିରେ ସନ୍ଦେହ ନାହିଁ ।


