ଆନ୍ଦୋଳନକାରୀ ଏଏନ୍‌ଏମ୍ ମାନଙ୍କ ଦାବିକୁ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ସମର୍ଥନ ଘୋଷଣା

ଭୁୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଧାରଣାରତ ଏ.ଏନ୍‌.ଏମ୍ ସଂଗଠନର ଦାବିକୁ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି ସର୍ବାନ୍ତକରଣରେ ସମର୍ଥନ କରୁଅଛି । ପୃଥିବୀତମାମ କରୋନା ମହାମାରୀ ଆକ୍ରାନ୍ତ ଥିଲାବେଳେ ଯେଉଁ କରୋନା ଯୋଦ୍ଧାମାନେ ରୋଗୀଙ୍କର ସମସ୍ତ ସ୍ୱାସ୍ଥ୍ୟସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ, ସେମାନେ ରାଜରାସ୍ତାରେ, ଶୀତ କାକରରେ ଓ ଭୋକ ଉପାସରେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଦୀର୍ଘ ୨୦ ଦିନ ହେଲା ପଡ଼ିରହିବା ଅତ୍ୟନ୍ତ ନିର୍ମମ ଓ ନିନ୍ଦନୀୟ ଘଟଣା । ସ୍ୱାସ୍ଥ୍ୟସେବାରେ ପଛୁଆ ଓଡ଼ିଶା ରାଜ୍ୟରେ ହଜାର ହଜାର ଏଏନ୍‌ଏମ୍ ପଦବୀ ଆଜି ଖାଲି ପଡ଼ିଅଛି ଓ ସର୍ବନିମ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଆହୁରି ଅନେକ ସ୍ୱାସ୍ଥ୍ୟକର୍ମୀମାନଙ୍କର ଆବଶ୍ୟକ ଥିବାବେଳେ ଉପଯୁକ୍ତ ତାଲିମପ୍ରାପ୍ତ, କର୍ତ୍ତବ୍ୟନିଷ୍ଠତା ପ୍ରତିପାଦିତ କରିଥିବା ଓ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚୟନ ପ୍ରକ୍ରିୟା ଦେଇ ନିଯୁକ୍ତି ପାଇଥିବା ୬୪୪୩ ଏଏନ୍‌ଏମ୍ ମାନଙ୍କୁ ଆନ୍ଦୋଳନ ନିମନ୍ତେ ବାଧ୍ୟ କରିବା କୌଣସି ଜନମଙ୍ଗଳକାରୀ ରାଷ୍ଟ୍ର ପାଇଁ ଆଦୌ ହିତକର ନୁହେଁ । ବରଂ ଏହି ମନୋବୃତ୍ତି ମୋଗଲ ସାହିକୁ ସୁଚାଏ ।
ଏହି ପରିପ୍ରେକ୍ଷୀରେ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ମହାସଚିବ ଶୁଭେନ୍ଦୁ ରାଉତରାୟ, ମୁଖ୍ୟାଳୟ ସାଧାରଣ ସମ୍ପାଦକ ହୃଷିକେଶ ମହାପାତ୍ର, ମହିଳା ଶାଖାର ସାଧାରଣ ସମ୍ପାଦିକା ଜ୍ୟୋତ୍ସ୍ନାମୟୀ ନାୟକ, ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ ପ୍ରଫୁଲ୍ଲ କୁମାର ମଲ୍ଲିକ, ଓଡ଼ିଶା ରାଜ୍ୟ ନିଗମ ମହାସଂଘର ଅର୍ଥ ସମ୍ପାଦକ ତଥା ସଂଗ୍ରାମ ସମିତି ଖୋର୍ଦ୍ଧା ଜିଲ୍ଲା ଶାଖାର ସାଧାରଣ ସମ୍ପାଦକ ପ୍ରଭାତ ପରିଡ଼ା, ବାଣୀବିହାର ଜୋନ୍‌ର ଉପସଭାପତି ହୃଦାନନ୍ଦ ସେନାପତି, ସମ୍ପାଦକ ଅମୁଲ୍ୟ ଭାରିମଲ୍ଲ, ସହ ସମ୍ପାଦକ ଜୀବନଜ୍ୟୋତି ପଟ୍ଟନାୟକ ପ୍ରମୁଖ ଧାରଣାରତ ଏନ୍‌ଏମ୍‌ମାନଙ୍କ ସମସ୍ୟାକୁ ତୁରନ୍ତ ଓ ଅଗ୍ରାଧିକାର ଭିତରେ ବିଚାର କରି ଖାଲିଥିବା ପଦବୀରେ ଗ୍ରେଡ଼େସନ ଭିତ୍ତିରେ ନିଯୁକ୍ତି ଦେବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ