ଏମ୍ଏସ୍ଏମ୍ଇକୁ ୨୯୦ କୋଟି, ସୁଧ ରିହାତି ବାବଦରେ ୧୦୮ କୋଟି
ଭୁବନେଶ୍ବର: କରୋନା ମହାମାରୀ ଯୋଗୁ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ସେମାନେ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏସବୁ ଉଦ୍ୟୋଗକୁ ଆଶ୍ବସ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୮୯ କୋଟି ୪୨ ଲକ୍ଷ ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ରେ ଉଦ୍ୟୋଗୀମାନଙ୍କୁ ସୁଧ ଛାଡ଼ଠାରୁ ଆରମ୍ଭ କରି ଅଧିକ ସବ୍ସିଡି, ଏସ୍ଜିଏସ୍ଟି ବାବଦ ଟିକସ ଭରିବା ଏବଂ ପ୍ରତିଷ୍ଠାନ ଗୁଡ଼ିକୁ ବାର୍ଷିକ ରକ୍ଷଣାବେକ୍ଷଣ ଅର୍ଥ ଛାଡ଼ କରିବା ଆଦି ଅନ୍ତର୍ଭୁକ୍ତ ରହିଛି। ବ୍ୟାପକ ବର୍ଗର ଉଦ୍ୟୋଗୀଙ୍କୁ ଲାଭ ପହଞ୍ଚାଇବା ହେଉଛି ଏହାର ଲକ୍ଷ୍ୟ। ବିଶେଷକରି ମହିଳା ଏବଂ ଆର୍ଥିକ ଦୁର୍ବଳ ବର୍ଗର ଏମଏସଏମଇ ଉଦ୍ୟୋଗୀଙ୍କୁ ଏହାର ଲାଭ ଯେଭଳି ଅଧିକ ମିଳିବ ତାହାକୁ ଦୃଷ୍ଟିରେ ରଖି ପ୍ୟାକେଜ ପ୍ରସ୍ତୁତ କରାଯାଇଛି। ଏମର୍ଜେନ୍ସି କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ (ଇସିଏଲ୍ଜିଏସ୍)ରେ ୧,୭୦,୦୦୦ ଏମଏସଏମଇ ୟୁନିଟ ଉପକୃତ ହେବେ। ସେମାନଙ୍କୁ ସୁଧ ରିହାତି ମିଳିବ। ଇସିଏଲଜିଏସ୍ ଅଧୀନରେ ଏମଏସଏମଇକୁ ଗୋଟିଏ ବର୍ଷର ମୋରାଟୋରିୟମ ସହିତ ସୁଧ ରିହାତି ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଛି।


