ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଡେ’ ନାଇଟ ଟେଷ୍ଟ ପାଇଁ ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ
ନୂଆଦିଲ୍ଲୀ: କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଡେ’ ନାଇଟ ଟେଷ୍ଟ । ଏହି ପ୍ରଥମ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ୧୧ ଜଣିଆ ଦଳ ଘୋଷଣା ହୋଇସାରିଛି । ତେବେ ଏହି ଟେଷ୍ଟ ମ୍ୟାଚରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିନାହିଁ । ତେଣୁ ରିଦ୍ଧିମାନ ଶାହା ୱିକେଟ କିପର ଦାୟିତ୍ୱ ସମ୍ଭାଳିବେ । ଏହାସହ ଶୁଭମନ ଗିଲଙ୍କୁ ମଧ୍ୟ ୧୧ ଜଣିଆ ଦଳରେ ସ୍ଥାନ ମିଳିନାହିଁ। ତେବେ ଦଳରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲଙ୍କ ସହ କିଏ ଓପନିଂ କରିବ ତାକୁ ନେଇ ଚର୍ଚ୍ଚା ହେଉଥିଲା ।ହେଲେ ଦଳ ପୃଥୀ ସ’ଙ୍କ ଉପରେ ଭରସା ରଖିଛି । ନ୍ୟୁଜିଲାଣ୍ଡ ଗସ୍ତ ପରଠୁ ଆଇପିଏଲରେ ପୃଥୀ ସ’ଙ୍କ ପ୍ରଦର୍ଶନ ଏତେ ଭଲ ରହି ନଥିଲା । ତେବେ ଏହି ଟେଷ୍ଟ ତାଙ୍କ ପାଇଁ ଭଲ ଯିବ ବୋଲି ଆଶା କରାଯାଉଛି । ସେହିପରି ଏଥର ଶୁଭମନ ଗିଲ ଟେଷ୍ଟରେ ଡେବ୍ୟୁ କରିଥାନ୍ତେ । ହେଲେ ତାଙ୍କୁ ଦଳରେ ସ୍ଥାନ ମିଳିନାହିଁ । ତେଣୁ ଟେଷ୍ଟରେ ଡେବ୍ୟୁ କରିବା ପାଇଁ ତାଙ୍କୁ ଆହୁରି ଅପେକ୍ଷା କରିବାକୁ ହେବ । ଏହାସହ ଦଳ ଦକ୍ଷ ବୋଲର ଭାବେ ଉମେଶ ଯାଦବଙ୍କ ଉପରେ ଭରସା କରିଛି ।


