ଏକ ସଙ୍ଗରେ ଦୁଇଟି କାର୍ଯ୍ୟକ୍ରମ ଶିକ୍ଷକଙ୍କ ଚାପ ବଢାଉଛି
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିିଭିନ୍ନ ବିଦ୍ୟାଳୟରେ ଏକ ସଙ୍ଗରେ ଚାଲିଥିବା ଦୁଇ ଦୁଇଟି କାର୍ଯ୍ୟକ୍ରମ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଚାପ ବଢାଉଥିବା ଜଣାଯାଇଛି । ପ୍ରକାଶ ଯେ, ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଅଧିନରେ ପ୍ରାଥମିକ ଶିକ୍ଷକ ମାନେ ଅକ୍ଟୋବର ୧ରୁ ଦୈନନ୍ଦିନ ନିଷ୍ଠା କାର୍ଯ୍ୟକ୍ରମ ଅଧିନରେ ଦୀକ୍ଷା ପ୍ଲାଟ ଫର୍ମରେ ବିଭିନ୍ନ ମଡୁଲ ଅନ୍ଲାଇନ୍ ଟ୍ରେନିଂ ନେଇ ଆସୁଛନ୍ତି । ଅକ୍ଟୋବର ମାସରେ ୬ଟି ମଡୁଲ ଓ ନଭେମ୍ବର ମାସରେ ୬ଟି ମଡୁଲ ଟ୍ରେନିଂ ରହିଥିଲା । ଡିସେମ୍ବର ମାସର ୧ରୁ ୧୫ ତାରିଖ ମଧ୍ୟରେ ୩ଟି ମଡୁଲ ଅନ୍ଲାଇନ୍ ଟ୍ରେନିଂ ଶିକ୍ଷକ ମାନେ ନେଇ ସାରିଛନ୍ତି । ଡିସେମ୍ବର୧୬ରୁ ୩୧ ମଧ୍ୟରେ ୩ଟି ମଡୁଲ ରହିଥିବା ବେଳେ ସେଥିରେ ବିଦ୍ୟାଳୟର ନେତୃତ୍ୱ, ଧାରଣା ଓ ପ୍ରୟୋଗ ସମୂହ, ବିଦ୍ୟାଳୟ ଶିକ୍ଷାରେ ସମନ୍ୱିତ କାର୍ଯ୍ୟକ୍ରମ ରହିଛି । ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଅନ୍ଲାଇନ୍ ପାଇଁ ଓସେପା, ଡିସେମ୍ବର ୧୫ ତାରିଖ ଚିଠି ନଂ-୮୭୯୭ରେ ପ୍ରତ୍ୟେକ ଜିଲା ଓ ବ୍ଲକ ଶିକ୍ଷାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଅନୁସାରେ ଶିକ୍ଷକ ମାନେ ତାଲିମ ନେବା ସହିତ ଡିସେମ୍ବର ୧୫ ତାରିଖ ଠାରୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ନିଜ ନିଜ ବିଦ୍ୟାଳ ଅଞ୍ଚଳର ଘର ଘର କୋଭିଡ୍ ନିୟମ ପାଳନ କରି ଗ୍ରାମ ପାଠଶାଳାରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଉଥିବା ବେଳେ ରେଡିଓ ମାଧ୍ୟମରେ ମଧ୍ୟ ଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି । ଗ୍ରାମ ପାଠଶାଳା ମାଧ୍ୟମରେ ପାଠପଢାକୁ ନେଇ ଅଭିଭାବକ ମାନଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କୋଡିଡ୍ ମହାମାରୀ ପରିପେକ୍ଷୀରେ ଅଭିଭାବକ ମାନେ ଏହାକୁ ବିରୋଧ କରି ଶିକ୍ଷକ ମାନଙ୍କୁ କେତେକ ସ୍ଥାନରେ ଦୁର୍ବ୍ୟବହାର କରିଥିବା ଖବର ମିଳିଛି । ଏକା ସଙ୍ଗେ ଦୁଇ ଦୁଇଟି କାର୍ଯ୍ୟକ୍ରମ ଚାଲିବା ସହିତ କେତେକ ସ୍ଥାନରେ ଅଭିଭାବକ ମାନଙ୍କ ଖରାପ ମନ୍ତବ୍ୟ ଶିକ୍ଷକ ମାନଙ୍କ ଚାପ ବଢାଇ ଦେଇଥିବା ଜଣାଯାଇଛି ।


